ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଲେ ବିଜାତଳାର ବିଜୟୀ ଜିଲ୍ଲା ପରିଷଦ ସଭ୍ୟ

ବିଜାତଳା ବିଜୟ ଭୋଟରଙ୍କ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବିଶ୍ବାସ ଓ ଆର୍ଶିବାଦର ପ୍ରତିଫଳନ

ଭୁବନେଶ୍ବର (): ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ଫଳରେ ବିଜୁ ଜନତା ଦଳର ବିଜୟ ଯାତ୍ରା ଅବ୍ୟାହତ ରହିଛି । ଏହାର ପ୍ରତିଫଳନ ଗତ ୭ ତାରିଖ ଦିନ ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ଜିଲ୍ଲା ବିଜାତଳା ଜିଲ୍ଲା ପରିଷଦ ଜୋନ୍‍ ନଂ-୩୨ ଓ ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ ସରପଞ୍ଚ, ସମିତି ସଭ୍ୟ ନିର୍ବାଚନ ଫଳାଫଳରେ । ପ୍ରଥମ ଥର ପାଇଁ ବିଜାତଳା ଉପ-ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀ ରଘୁନାଥ ମାଝୀ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀଙ୍କୁ ୪୨୧୨ ଭୋଟ୍‍ ବ୍ୟବଧାନରେ ହରାଇ ବିଜୟୀ ହୋଇଥିଲେ ।

ଏହି ବିଜୟର ଶ୍ରେୟ ମାଝୀ ମୁଖ୍ୟମନ୍ତ୍ରୀଙ୍କୁ ଦେବା ସହ ୨୦୦ରୁ ଉର୍ଦ୍ଧ୍ବ ଦଳୀୟ କର୍ମୀଙ୍କ ସହ ଆଜି ସକାଳେ ମାନ୍ୟବର ସଭାପତିଙ୍କୁ ନବୀନ ନିବାସରେ ଭେଟି ଆଶୀର୍ବାଦ ଗ୍ରହଣ କରିଛନ୍ତି । ନବୀନ ବିଜୟୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହ ଗଣତନ୍ତ୍ରର ଉଚ୍ଚତର ମୂଲ୍ୟବୋଧକୁ ସମ୍ମାନ ଦେଇ ନିଜ ଅଞ୍ଚଳର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହିତ ଲୋକଙ୍କ ସେବା କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଦଳର ସାଧାରଣ ସଂପାଦକ ତଥା ମୁଖପାତ୍ର ଡ. ଅରୁଣ କୁମାର ସାହୁ କହିଥିଲେ ଯେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ବିଜୁ ଜନତା ଦଳ ଏକାଠି ହୋଇଛି ଏବଂ ସମସ୍ତଙ୍କ ପରିଶ୍ରମ ଫଳରେ ବିଜୁ ଜନତା ଦଳ ବିଜୟୀ ହୋଇଛି । ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଜନସାଧାରଣଙ୍କ ଅତୁଟ ବିଶ୍ବାସ ଓ ଆଶୀର୍ବାଦ ରହିଛି ।

ସୂଚନାଯୋଗ୍ୟ, ସ୍ବାଧୀନତା ପରଠାରୁ ବିଜାତଳା ଜିଲ୍ଲା ପରିଷଦ ଜୋନ୍‍ ନଂ-୩୨ ଆସନରୁ କେବେବି ତକ୍ରାଳୀନ ଜନତା ଦଳ କିମ୍ବା ବର୍ତ୍ତମାନର ବିଜୁ ଜନତା ଦଳ ପ୍ରାର୍ଥୀ ଜିତିପାରିନଥିଲେ । ଏହି ଆସନଟି ଗତ ୨ଟି ନିର୍ବାଚନରେ ବିଜେପି ଓ ତା’ପୂର୍ବରୁ ଜେଏମ୍‍ଏମ୍‍ କବ୍‍ଜାରେ ରହିଥିଲା । ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ୭ ହଜାର ଭୋଟ ପାଇଥିବା ବେଳେ ଜେଏମ୍‍ଏମ୍‍ ୫ହଜାର ଓ ବିଜେଡି ୩ ହଜାର ଭୋଟ ପାଇଥିଲା ।

ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବାଙ୍ଗିରିପୋଷୀ ବିଧାୟକ ସୁଦାମ ମାର୍ଣ୍ଡି, ସାରସକଣା ବିଧାୟକ ଭାଦବ ହାଁସଦା, ବଡ଼ସାହି-ଗଣେଶ୍ବର ପାତ୍ର, ସାଂସଦ ସରୋଜିନୀ ହେମ୍ବ୍ରମ୍‍, ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଡା. ଦେବାଶିଷ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

7 + 14 =