ଆସନ୍ତାକାଲି ଆୟାର ପାଇଁ ଶେଷ ସୁଯୋଗ

ଭୁବନେଶ୍ବର () : ଓଡିଶା ବିଧାୟକଙ୍କ ପ୍ରତି ଅସୌଜନ୍ୟ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ର ଆଜି ବିଧାନସଭା ଗୃହ କମିଟି ନିକଟରେ ହାଜର ହୋଇଥିଲେ ବି ସତ୍ୟପାଠ ଦାଖଲ କରିପାରିନାହାଁନ୍ତି । ଆସନ୍ତାକାଲି ପୁଣି ଥରେ ଗୃହ କମିଟି ଆଗରେ ଉପସ୍ଥିତ ହୋଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସତ୍ୟପାଠ ଦାଖଲ କରିବାର ଏହା ତାଙ୍କ ପାଇଁ ଶେଷ ସୁଯୋଗ ବୋଲି କହିଛନ୍ତି କମିଟି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ।

ଆଜି ଆୟାର ଗୃହ କମିଟି ଆଗରେ ହାଜର ହୋଇପାରିବେ କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲେ ବି ପୂର୍ବାହ୍ନ ପ୍ରାୟ 10ଟାରେ ତାଙ୍କୁ ଲକ୍ଷ୍ମୀସାଗର ପୋଲିସ ବିଧାନସଭାରେ ହାଜର କରିଥିଲା । କମିଟି ବୈଠକରେ ସେ ସତ୍ୟପାଠ ପ୍ରସ୍ତୁତ କରିନଥିବା କହିଥିଲେ । ତାଙ୍କ ଓକିଲ ମଧ୍ୟ ସତ୍ୟପାଠ ସଂପର୍କରେ କମିଟି ସହ ଆଲୋଚନା କରିଥିଲେ । ଆସନ୍ତାକାଲି ପୁଣି ଥରେ ପୂର୍ବାହ୍ନ 11ଟାରେ ଗୃହ କମିଟି ବୈଠକ ବସିବ । ଆସନ୍ତାକାଲି ତାଙ୍କୁ ସତ୍ୟପାଠ ଦାଖଲ ପାଇଁ ଶେଷ ସୁଯୋଗ ଦେଇଛି କମିଟି ।

ବୈଠକ ପରେ ଆୟାର ପୁଣି ଥରେ ପୋଲିସ ହେପାଜତରେ ଝରପଡା ଜେଲ ଯାଇଛନ୍ତି । ଏହାପୂର୍ବରୁ ତାଙ୍କୁ କୋଣାର୍କ ପୋଲିସ ଓଡ଼ିଶାର କଳା, ସଂସ୍କୃତି ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦୁଇଦିନ ପାଇଁ ରିମାଣ୍ଡରେ ନେଇଥିଲା । ଆୟାର କୋଣାର୍କ ଜେଏମଏଫସି କୋର୍ଟରେ ଜାମିନ ଆବେଦନ କରିଥିଲେ । କୋର୍ଟ କିନ୍ତୁ ଜାମିନ ନାମଞ୍ଜୁର କରିଥିଲେ । ଗତ ଅକ୍ଟୋବର 23 ତାରିଖରେ ସେ ବିଧାନସଭା ଗୃହ କମିଟି ଆଗରେ ହଜାର ହୋଇ ବିଧାନସଭାରୁ ବାହାରିବା ପରେ ସନ୍ଧ୍ୟାରେ ସହୀଦ ନଗର ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲେ । କୋର୍ଟ ଆୟରଙ୍କୁ 14 ଦିନ ପାଇଁ ଜେଲକୁ ରିମାଣ୍ଡରେ ପଠାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

three × four =