ମହାନଦୀକୁ ମାଡି ଆସୁଛି ବିପଦ

ଭୁବନେଶ୍ୱର (): ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ସରକାର ଟିବ୍ୟୁନାଲ୍ରେ ଆଇନଗତ ଲଢ଼େଇ ଲଢୁଥିବାବେଳେ ମହାନଦୀ ଉପରମୁଣ୍ଡରେ ଆହୁରି ୧୮୦୨ଟି ପ୍ରକଳ୍ପ ନିର୍ମାଣ କରିବାକୁ କେନ୍ଦ୍ର ମଞ୍ଜୁରୀ ଦେଇଛି । ଏଥିସହିତ ମହାନଦୀର ଉପରମୁଣ୍ଡରେ ୧୪୭ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ମଧ୍ୟ କେନ୍ଦ୍ର ସରକାର ଛତିଶଗଡ଼କୁ ଅନୁଦାନ ଦେଉଛନ୍ତି । ପରିସ୍ଥିତି ଏଭଳି ହେଲାଣି ଯେ, ଆଗକୁ ମହାନଦୀରେ ଉକ୍ରଟ ଜଳସଙ୍କଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି ।

ନିକଟରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ଅଣତାରକା ଚିହ୍ନିତ ପ୍ରଶ୍ନରେ କେନ୍ଦ୍ର ଜଳଶକ୍ତି ଓ ସାମାଜିକ ନ୍ୟାୟ ମନ୍ତ୍ରୀ ରତନଲାଲ କଟାରିୟା ଦେଇଥିବା ଉତ୍ତରରୁ ଏହି ସଂକେତ ମିଳୁଛି । ରାଜ୍ୟସଭାରେ କେନ୍ଦ୍ର ସରକାର ରଖିଥିବା ତଥ୍ୟ ଅନୁଯାୟୀ, ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼଼ ୨୩୬୫ଟି ପ୍ରକଳ୍ପ ନିର୍ମାଣ କରିସାରିଛି । ତେବେ ଆହୁରି ୧୮୦୨ଟି ପ୍ରକଳ୍ପ କରିବାର ଯୋଜନା ରାଜ୍ୟ ସରକାର ରଖିଛନ୍ତି । ଏହି ସମସ୍ତ ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ତଳମୁଣ୍ଡରେ ଥିବା ଓଡ଼ିଶା ପାଇଁ ପାଣି ବଞ୍ଚିବ ନା ନାହିଁ, ତାକୁ ନେଇ ଆଶଙ୍କା ବଢ଼ିଯାଇଛି ।

ସେପଟେ ମହାନଦୀକୁ ନେଇ ଓଡ଼଼ିଶା ଓ ଛତିଶଗଡ଼ ମଧ୍ୟରେ ଅର୍ପା ଭୈସଝଁର ପ୍ରକଳ୍ପକୁ ନେଇ ମୂଳ ବିବାଦ ଥିଲା । ଆଉ ଏହି ପ୍ରକଳ୍ପକୁ ମଧ୍ୟ କେନ୍ଦ୍ର ଜଳ ଆୟୋଗ ଟେକ୍ନିକାଲ୍ ଅ ।ଡଭାଇଜରି କମିଟି ୨୦୧୬ ସେପ୍ଟେମ୍ର ୩୦ ତାରିଖରେ ଅନୁମୋଦନ ଦେଇଥିବା କେନ୍ଦ୍ର ସରକାର ରାଜ୍ୟସଭାକୁ ଜଣାଇଛନ୍ତି । ଗୋଟିଏ ପଟେ ମହାନଦୀ ଜଳ ବିବାଦ ଟିବ୍ୟୁନାଲ୍ରେ ବି·ରାଧୀନ ଥିବାବେଳେ ଏତେ ସଂଖ୍ୟକ ନୂଆ ପ୍ରକଳ୍ପ ସଂପର୍କିତ ତଥ୍ୟ ସାମ୍ନାକୁ ଆସିବା ପରେ ପୁଣି ବିବାଦ ତେଜିଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ରାଜ୍ୟର ଜଳସେଚନ ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା ଅଧିନରେ ବିଭିନ୍ନ ପ୍ରକଳ୍ପକୁ ମଞ୍ଜୁରୀ ଦେବାର ବ୍ୟବସ୍ଥା ରହିଛି । ସେହିକ୍ରମରେ ଛତିଶଗଡ଼ର ୧୪୭ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନାରେ ୨୦୧୩-୧୪ରୁ ଅନୁଦାନ ଦିଆଯାଉଛି । ୭୨୨ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟବରାଦରେ ହେଉଥିବା ଏହିସବୁ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଏବେସୁଦ୍ଧା ୨୦୦ କୋଟି ୩୭ ଲକ୍ଷ ଟଙ୍କା କେନ୍ଦ୍ରୀୟ ଅନୁଦାନ ଦେଇଛନ୍ତି ।

ଛତିଶଗଡ଼ର ଏଭଳି କାର୍ଯ୍ୟ ଓଡ଼଼ିଶା ପାଇଁ କ୍ଷତିକାରକ ହେବ । ଯେଉଁ ପ୍ରକଳ୍ପ ଆରମ୍ଭ କରାଯାଇନାହିଁ, ସେଗୁଡ଼଼ିକ ବନ୍ଦ କରାଯାଉ ବୋଲି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଦାବି କରିଛନ୍ତି । ଛତିଶଗଡ଼ ସରକାର ମହାନଦୀରେ ୧୮୦୨ଟି ପ୍ରକଳ୍ପ ନିର୍ମାଣ କଲେ ଓଡ଼଼ିଶାବାସୀ ଟୋପାଏ ହେଲେ ପାଣି ପାଇବେ ନାହିଁ । ଏହି ପ୍ରକଳ୍ପ ହେଲେ କଂଗ୍ରେସ ବିରୋଧ କରିବ ବୋଲି ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ।

ସେପଟେ ବିଜେପିର ଯୁକ୍ତି ହେଉଛି ୨୦ ବର୍ଷ ଭିତରେ ରାଜ୍ୟରେ ଗୋଟିଏ ମଧ୍ୟ ବ୍ୟାରେଜ ହେଲା ନାହିଁ । ମହାନଦୀର ଉପର ମୁଣ୍ଡରେ ଯେତିକି ବ୍ୟାରେଜ ହେଲା, ଠିକ୍ ସମୟରେ ତାକୁ ପ୍ରତିରୋଧ କରିବା ପାଇଁ ସମୟ ପାଇଲେ ନାହିଁ । ଏହାକୁ ନେଇ ବିଜେଡି ସରକାର କେବଳ ରାଜନୀତି କରୁଛନ୍ତି, ଯାହାର ଫଳ ଓଡ଼଼ିଶାବାସୀ ଭୋଗୁଛନ୍ତି ବୋଲି ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି ।

ଛତିଶଗଡ଼ର ମହାନଦୀ ଯୋଜନା ଯୋଗୁ ଓଡ଼ିଶା ପ୍ରତି ବିପଦ ଘନଉଛି । ହେଲେ ହୀରାକୁଦ ତଳମୁଣ୍ଡରେ ଓଡ଼ିଶା ସରକାର ଜଳ ସଂରକ୍ଷଣ ପାଇଁ ବିଶେଷ କିଛି ପ୍ରକଳ୍ପ କରିନାହାନ୍ତି । ଫଳରେ ମହାନଦୀର ଅଧିକାଂଶ ଜଳ ସମୁଦ୍ରକୁ ·ଲିଯାଉଛି । ତେବେ ଛତିଶଗଡ଼ କାରସାଦି ପଦାକୁ ଅ ।ସିବା ଓ ବିଭିନ୍ନ ମହଲରୁ ସମାଲୋଚନା ପରେ ସରକାର ନଦୀ ଭିତରେ ଜଳାଶୟ ନିର୍ମାଣ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ଏଥିଲାଗି ମହାନଦୀ ସମେତ ୩୦ଟି ନଦୀରେ ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟ କରାଯାଉଛି ତେବେ ଏସବୁ ପ୍ରକଳ୍ପ କେବେ ହେବ ତାକୁ ନେଇ ପ୍ରଶ୍ନ ଉଠିଛି ।

Share

Leave a Reply

Your email address will not be published. Required fields are marked *

17 − 9 =