ଭୋଟର ସଚେତନତା ପାଇଁ ଗଠନ ହେଲା ‘ସୁଇପ୍‌ କମିଟି’

ଭୁବନେଶ୍ବର () ଆଗାମୀ ସାଧାରଣ ନିର୍ବାଚନରେ ମତଦାନର ବୃଦ୍ଧି ନିମନ୍ତେ ଭାରତ ନିର୍ବାଚନଙ୍କ ନିର୍ଦ୍ଦେଶାନୁସାରେ ରାଜ୍ୟରେ ଭିନ୍ନଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କ ନାମ ‘ରାଜ୍ୟ ଆଇକନ୍‌’ ଭାବେ ମନୋନୀତ କରାଯାଇ ନିର୍ବାଚନ କମିଶନଙ୍କ ଅନୁମୋଦନ ନିମନ୍ତେ ପ୍ରେରଣ କରାଯାଇଛି । ଏହି କ୍ରମରେ ଆଥ୍‌ଲେଟ୍‌ ଦୂତୀ ଚାନ୍ଦ, ପାରା ଆଥ୍‌ଲେଟ୍‌ ଜୟନ୍ତୀ ବେହେରା, ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରମୋଦ ଭଗତ, ଋତୁରାଜ ମହାନ୍ତି, ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଶିବାନୀ ସଙ୍ଗୀତା ଏବଂ ଅଭିନେତା ସ୍ବରାଜଙ୍କ ନାମ ନିର୍ବାଚନ କମିଶନଙ୍କ ନିକଟକୁ ପଠାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରକାଶ କରିଛନ୍ତି ।

ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ରାଜ୍ୟସ୍ତରୀୟ ସୁଇପ୍‌’ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଆଇକନ୍‌ମାନଙ୍କୁ ବିଭିନ୍ନ ପ୍ରକାରର ଭୋଟର ସଚେତନତା କାର୍ଯ୍ୟକ୍ରମରେ ନିୟୋଜିତ କରାଯିବା ସହ ନୂତନ ତଥା ଯୁବ ଭୋଟରମାନଙ୍କୁ ମତଦାନ ଆଡ଼କୁ ଆକୃଷ୍ଟ କରିବା ଫଳରେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ ବୋଲି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ଭିନ୍ନଭିନ୍ନ ଉପାୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ସ୍ତରରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ‘ରାଜ୍ୟସ୍ତରୀୟ ସୁଇପ୍‌’ ଗଠନ କରାଯାଇଛି । ରାଜ୍ୟରେ ୨୯୦୮ ଟି ବିଦ୍ୟାଳୟ ଓ ୬୬୫ଟି ମହାବିଦ୍ୟାଳୟରେ ସୁଇପ୍‌ କମିଟିମାନ ଗଠନ କରାଯାଇ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଅନୁରୂପ ଭାବେ ରାଜ୍ୟର ୩୦ଟି ଜିଲ୍ଲାରୁ ‘ଜିଲ୍ଲାସ୍ତରୀୟ ସୁଇପ୍‌ କମିଟି’ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇ ସଚେତନତା କାର୍ଯ୍ୟକ୍ରମ ଚାଲୁରହିଛି । ରାଜ୍ୟର ବିଭିନ୍ନ ବୁଥ୍‌ସ୍ତରରେ ୨୧,୩୬୪ଟି ଚୁନାବ୍‌ ପାଠଶାଳା ଗଠନ କରାଯାଇ ଭୋଟରମାନଙ୍କୁ ଇଭିଏମ୍‌ ସହ ଭିଭିପ୍ୟାଟ୍‌ ଯନ୍ତ୍ର ସାହାଯ୍ୟରେ ଭୋଟଦାନ ସଂପର୍କରେ ସଚେତନ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଅନୁଷ୍ଠାନମାନଙ୍କରେ ୭୧୪ ଗୋଟି ‘ଭୋଟର ସଚେତନତା ମଣ୍ଡଳୀ’ ଗଠନ କରାଯାଇ ଇଭିଏମ୍‌ ସହ ଭିଭିପ୍ୟାଟ୍‌ ମାଧ୍ୟମରେ ମତଦାନର କଳାକୌଶଳ ଭୋଟରମାନଙ୍କୁ ଶିଖା ଯାଉଛି । ଏଥି ସହିତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ ଜରିଆରେ ୨୭୦ ଜଣଙ୍କୁ କ୍ୟାମ୍ପସ୍‌ ଆମ୍ବାସାଡ଼ର ଭାବେ ନିଯୁକ୍ତି ଦିଆଯାଇ ମତଦାନ ସଂପର୍କରେ ଭୋଟରମାନଙ୍କୁ ସଚେତନ କରାଯାଉଛି । ସୁଗମ ମତଦାନ ନିମନ୍ତେ ବିଶେଷ କରି ଦିବ୍ୟାଙ୍ଗ ଭୋଟର ଭାଇଭଉଣୀମାନଙ୍କ ନିମନ୍ତେ ଅଗ୍ରାଧିକାର ଭିତ୍ତିରେ ମତଦାନ ନିମନ୍ତେ ସମସ୍ତ ପ୍ରକାର ବନ୍ଦୋବସ୍ତ ଜିଲ୍ଲା ପ୍ରଶାସନ କରିବ ବୋଲି ଆଜିର ଏହି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରକାଶ କରିଛନ୍ତି । ଦିବ୍ୟାଙ୍ଗ ଭୋଟରମାନଙ୍କୁ ନିଜ ଘରୁ ଭୋଟଗ୍ରହଣ କେନ୍ଦ୍ରକୁ ଆଣି ମତଦାନ କରି ସାରିବା ପରେ ପୁଣି ଘରେ ଛାଡ଼ିବା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଗାଡ଼ି ଯୋଗାଇ ଦେବାକୁ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସମଗ୍ର ଭାରତ ବର୍ଷରେ ଆମ ରାଜ୍ୟ ଓଡ଼ିଶା ଦିବ୍ୟାଙ୍ଗ ଭୋଟର ଚିହ୍ନଟ କରିବାରେ ଦ୍ବିତୀୟ ସ୍ଥାନରେ ଅଛି । ଓଡ଼ିଶାରେ ସମୁଦାୟ ୪,୭୦,୦୦୦ ଦିବ୍ୟାଙ୍ଗ ଭୋଟର ଆସନ୍ତା ନିର୍ବାଚନରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ ।

ଜନହିତରେ ଭୋଟରମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ନିମନ୍ତେ ରେଡ଼ିଓ ଓ ଦୂରଦର୍ଶନରେ ଦେଶିଆ, ସମ୍ବଲପୁରୀ ଏବଂ ସାନ୍ତାଳୀ ଭାଷାରେ ରେଡ଼ିଓ ଜିଙ୍ଗଲ୍‌ସ୍‌ ଏବଂ ଭିଡ଼ିଓ ସ୍ପଟ ତିଆରି କରାଯାଇ ପ୍ରସାରଣ କରାଯିବାକୁ ବୈଠକରେ ଉପସ୍ଥିତ ଥିବା ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନିବେଦନ କରାଯାଇଛି । ଓଡ଼ିଶା ରାଜ୍ୟ ଦେଇ ଚଳାଚଳ କରୁଥିବା ସବୁ ଟ୍ରେନ୍‌ ବଗିରେ ଭୋଟର ସଚେତନତା ନିମନ୍ତେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରସ୍ତୁତ ଷ୍ଟିକର ଲଗାଇବା ସହ ପ୍ଲାଟ୍‌ଫର୍ମମାନଙ୍କରେ ହୋଡ଼ିଂ ଲଗାଇବାକୁ ଉପସ୍ଥିତ ରେଳ ବିଭାଗର ଅଧିକାରୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 2 =