ମା’ ମାନଙ୍କୁ ନବୀନଙ୍କ ଉପହାର : ସୁଧମୁକ୍ତ ଋଣ ସହ ମୋବାଇଲ କିଣିବାକୁ ଆର୍ଥିକ ସହାୟତା

ଭୁବନେଶ୍ବର () ନୂଆ ବର୍ଷରେ ମିଶନ ଶକ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପହାର । ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆହୁରି ଶକ୍ତିଶାଳୀ ଓ ପ୍ରଭାବୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସ୍ବୟଂ ସହାୟକ ଗୋଷ୍ଠିମାନଙ୍କୁ ବିନା ସୁଧରେ ଋଣ ଦେବାକୁ ଘୋଷଣା କରିଛନ୍ତି । 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ଦିଆଯିବ । ଆଜି ପୁରୀରେ ମିଶନ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହାଦ୍ବାରା ରାଜ୍ୟର 6ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠିର 70 ଲକ୍ଷ ମହିଳା ଉପକୃତ ହେବେ ।

ଏଥିସହିତ ନୂତନ ସ୍ବୟଂ ସହାୟକ ଗୋଷ୍ଠିମାନଙ୍କ ପାଇଁ 15ହଜାର ଟଙ୍କା ସିଡ୍ ମନି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସବୁ ବ୍ଲକ ସ୍ତରୀୟ ମହାସଂଘ ନିମନ୍ତେ 25 ଲକ୍ଷ ଟଙ୍କାର ସହାୟତା ରାଶି ଓ ଡିଜିଟାଲ ସଶକ୍ତିକରଣ ପାଇଁ ମୋବାଇଲ ଫୋନ କିଣିବାକୁ ପ୍ରତ୍ୟେକ ସ୍ବୟଂ ସହାୟକ ଗୋଷ୍ଠିକୁ 3ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି । ଅଙ୍ଗନବାଡି କର୍ମୀମାନଙ୍କୁ 500 ଟଙ୍କା ଓ ସହାୟିକାମାନଙ୍କୁ 200 ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା ମାନେ ମଂଚ ଉପରେ ନିଜ ନିଜର ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ । ମନ୍ତ୍ରୀ, ବିଧାୟକ, ବିଧାୟିକା ଓ ଅନ୍ୟାନ ବିଶିଷ୍ଟ ଅତିଥିମାନେ ଶ୍ରୋତାମାନଙ୍କ ଗହଣରେ ବସି ସେମାନଙ୍କ ସଫଳତାର କାହାଣୀ ଶୁଣିଥିଲେ । ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟକ୍ରମ ସଂପର୍କରେ ଶୁଣିଥିଲେ  ।

ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ଦ୍ବାରା ମହିଳାମାନେ ସହଜରେ ରୋଜଗାର ବୃଦ୍ଧି, ଅନଲାଇନ ବ୍ୟାଙ୍କ ସେବା ସଂପର୍କରେ ଅବଗତ ହେବା ସହ ତଦାରଖ, ଉତ୍ପାଦିକ ସାମଗ୍ରୀର ପ୍ରଚାର, ସ୍ବଳ୍ପ ବ୍ୟୟରେ ଯୋଗାଯୋଗ ସୁବିଧା ପାଇପାରିବେ । ମୋବାଇଲ କିଣିବା ପାଇଁ ଦିଆଯାଉଥିବା ସହାୟତା ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ସ୍ବୟଂ ସହାୟକ ଗୋଷ୍ଠି ନିଜ ପସନ୍ଦର ଯେକୌଣସି କମ୍ପାନୀର ସ୍ମାର୍ଟ ଫୋନ କିଣିପାରିବେ ।

2001 ମସିହାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆଜି 18 ବର୍ଷ ପରେ ଏହା ଏକ ନୀରବ ବିପ୍ଲବରେ ପରିଣତ ହୋଇଛି । ଓଡିଶାର ମା ମାନଙ୍କ ମଧ୍ୟରେ ନୂଆ ଜାଗରଣ ସୃଷ୍ଟି ହୋଇଛି । ରାଜ୍ୟର 70 ଲକ୍ଷ ମହିଳା ଓ 6 ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠିର ଏକ ବିରାଟ ପରିବାର ରାଜ୍ୟର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନରେ ଯୋଗଦାନ ରଖିପାରିଛନ୍ତି ।

ସେହିପରି ମହିଳାମାନଙ୍କ ଡିଜିଟାଲ ସଶକ୍ତିକରଣ ପାଇଁ ସ୍ବୟଂ ସହାୟକ ଗୋଷ୍ଠିମାନଙ୍କୁ ସହାୟତା ପ୍ରଦାନ ସହିତ ପ୍ରତି ପଂଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ସ୍ବାଗତ ଭାଷଣ ଦେଇ ମିଶନ ଶକ୍ତି କାର୍ଯ୍ୟକ୍ରମର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ମହିଳା ସମବାୟ ବିକାଶ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

seventeen − four =