୪ଟି ପର୍ଯ୍ୟାୟ ନିର୍ବାଚନକୁ ନେଇ ବିଜେଡ଼ି ପ୍ରଶ୍ନ କଲା

ବିଜେପିର ମନ୍ଦ ଉଦ୍ଦେଶ୍ୟରେ ପ୍ରଭାବିତ ହୋଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର (): ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଧାର୍ଯ୍ୟକୁ ନେଇ ପ୍ରଶ୍ନ କରିଛି ବିଜୁ ଜନତା ଦଳ ।  ମନ୍ଦ ଉଦ୍ଦେଶ୍ୟରେ ଏହା କରାଯାଇଛି  ଏବଂ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେପି ଦ୍ବାରା ପ୍ରଭାବିତ ହୋଇ ଏଭଳି ସୁପାରିଶ କରିଥିବା ମନେ ହେଉଛି ବୋଲି ବିଜେଡି ଆଇଟି ୱିଙ୍ଗ୍ ମୁଖ୍ୟ ତଥା ଦଳର ମୁଖପାତ୍ର ଅମର ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ ୪ଟି ପର୍ଯ୍ୟାୟର ନିର୍ବାଚନ ଧାର୍ଯ୍ୟ ପଛରେ କୌଣସି ଯୁକ୍ତି କିମ୍ବା ଆଧାର ନାହିଁ ।  ଆନ୍ଧ୍ରପଦେଶ, ଗୁଜୁରାଟ ଭଳି ରାଜ୍ୟରେ ଲୋକସଭା ଆସନ ସଂଖ୍ୟା ଓଡ଼ିଶାଠାରୁ ଅଧିକ ହୋଇଥିଲେ ମଧ୍ୟ ସେଠାରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଧାର୍ଯ୍ୟ କରାଯାଇଛି । କର୍ଣ୍ଣାଟକ, ରାଜସ୍ଥାନ ଭଳି ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଧାର୍ଯ୍ୟ ହୋଇଛି । ୨୦୦୯ ଏବଂ ୨୦୧୪ ମସିହାରେ ଓଡ଼ିଶାରେ ମାଓ ସମସ୍ୟା ଅଧିକ ଥିବା ବେଳେ ଏବେ ତାହା ଆଶାତୀତ ଭାବେ ହ୍ରାସ ପାଇଛି । ଏପରିସ୍ଥଳେ, ଓଡ଼ିଶାରେ ଚାରୋଟି ପର୍ଯ୍ୟାୟରେ ନିର୍ବାଚନର ଆବଶ୍ୟକତା କ’ଣ ପାଇଁ ପଡ଼ିଲା ବୋଲି ବିଜେଡ଼ି ପ୍ରଶ୍ନ କରୁଛି ।

ସେ କହିଛନ୍ତି, ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟ ନିର୍ବାଚନ ଅଧିକାରୀ ଏଠାରେ ସବୁ ରାଜନୈତିକ ଦଳ ସହ ବିଚାରବିମର୍ଷ କରିବା ସମୟରେ ଏହା ତାଙ୍କୁ ଅବଗତ କରାଯାଇଥିଲା । ସେ ନିଜେ ଓଡ଼ିଶାର ସ୍ଥିତିକୁ ଭଲ ଭାବେ ହୃଦୟଙ୍ଗମ କରିଥିଲେ । ମାତ୍ର ରାଜ୍ୟରେ ୪ ଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ କିଭଳି ଅନୁମୋଦନ କଲେ ତାହା ସନ୍ଦେହ ସୃଷ୍ଟି କରୁଛି । ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଯେଉଁଠି ବିଜେପିର ସ୍ଥିତି ଭଲ ନାହିଁ ସେଠାରେ ଚାରି ଏବଂ ତତୋଧିକ ପର୍ଯ୍ୟାୟର ନିର୍ବାଚନ ଧାର୍ଯ୍ୟ ହୋଇଥିବାରୁ ମନ୍ଦ ଉଦ୍ଦେଶ୍ୟ ରଖାଯାଇଥିବା ସ୍ପଷ୍ଟ ବାରି ହେଉଛି । ଓଡ଼ିଶାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିରପେକ୍ଷତା ରକ୍ଷା ନ କରି ବିଜେପି ଦ୍ବାରା ପ୍ରଭାବିତ ହୋଇଥିବା ଜଣାପଡୁଛି ବୋଲି ସେ କହିଛନ୍ତି ।

ବିଜେଡ଼ି କହି ରଖିବାକୁ ଚାହେଁ ଯେ ଚାରୋଟି ପର୍ଯ୍ୟାୟ ନିର୍ବାଚନ ଓଡ଼ିଶା ରାଜକୋଷ ପାଇଁ ବୋଝ ଏବଂ ଗତଥର ଠାରୁ ଖର୍ଚ୍ଚ ଦୁଇଗୁଣ ହେବ । ଦୁଇଟି ପର୍ଯ୍ୟାୟ ନିର୍ବାଚନ କରି ରାଜ୍ୟ ରାଜକୋଷର ଏହି ବୋଝକୁ କମାଯାଇ ପାରିଥାଆନ୍ତା । ତେବେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷପାତିତା ଓ ବିଜେପିର ଯୋଜନା ସଫଳ ହେବ ନାହିଁ । ଓଡ଼ିଶାରେ ବିଜୁ ଜନତା ଦଳ ବହୁତ ଭଲ କରିବ ଏବଂ ବିଜେପି ତାର ପୂର୍ବସ୍ଥିତିରେ ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 + 9 =