ବାଲେଶ୍ଵର ବିକାଶ ପାଇଁ ୧୫୫ କୋଟିର ପ୍ରକଳ୍ପ କାର୍ଯ୍ୟକାରୀ

ଭୁବନେଶ୍ୱର: ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ପର୍ଯ୍ୟାୟ ରେ ୧୫୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ବିକାଶ ସମ୍ପର୍କରେ ଦୁଇ ପର୍ଯ୍ଯାୟ ଉଚ୍ଚ ସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫T) ଶ୍ରୀ ଭି.କେ ପାଣ୍ଡିଆନ ଓ ପୂର୍ତ୍ତ ସଚିବ ଶ୍ରୀ କିଷନ କୁମାର ସକାଳେ ବାଲେଶ୍ଵର ଯାଇ ବିଭିନ୍ନ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ । ସେଠାରୁ ଫେରି ସେମାନେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଥିଲେ । ଏହାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ନିମ୍ନୋକ୍ତ ଘୋଷଣା କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି “ବାଲେଶ୍ଵର ହେଉଛି ଓଡିଶାର ଅନ୍ୟତମ ମୁଖ୍ୟ ସହର । ଏହା ମୋର ପ୍ରିୟ ଲେଖକ ଫକୀର ମୋହନ ସେନାପତିଙ୍କ ଜନ୍ମ ସ୍ଥାନ । ନିକଟରେ ମୁଁ ବାଲେଶ୍ଵର ବାସୀଙ୍କୁ କଥା ଦେଇଥିଲି ଯେ ବାଲେଶ୍ଵର ମ୍ୟୁନିସିପାଲିଟିର ବିକାଶ ଉପରେ ଆମେ ଧ୍ୟାନ ଦେବୁ । ଏ ଅବସରରେ ମୁଖ୍ୟମନ୍ତ୍ରୀ ନିମ୍ନୋକ୍ତ ପ୍ରକଳ୍ପ ଗୁଡିକ ଘୋଷଣା କରିଥିଲେ ।

୧. ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୮ କୋଟି ଟଙ୍କା ବ୍ୟୟ ରେ ବାଲେଶ୍ଵର ସହଦେବଖୁନ୍ଟା ବସଷ୍ଟାଣ୍ଡ ର ବିକାଶ କରାଯିବ
୨. ତୁମୂଳିଆ ଗେଟ ଫ୍ଲାଏ ଓଭର ଠାରୁ ଷ୍ଟେସନ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା କୁ ଛଅ ଥାକିଆ କରାଯିବ । ଏହା ସହିତ ଏ ରାସ୍ତାରେ ଆଧୁନିକ ଷ୍ଟ୍ରୀଟ ଲାଇଟର ବ୍ୟବସ୍ତା ମଧ୍ୟ କରାଯିବ । ବାଲେଶ୍ଵର ମ୍ୟୁନିସିପାଲିଟିର ସବୁ ମୁଖ୍ୟ ରାସ୍ତାର ଉନ୍ନତିକରଣ କରାଯିବ । ଏଥିରେ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି । ଏହା ସହରରେ ଟ୍ରାଫିକ ସମସ୍ୟା ଦୂର କରିବାରେ ସହାୟକ ହେବ ।
୩. ବାଲେଶ୍ଵର ର କ୍ରୀଡାବିତ ମାନଙ୍କ ଭିତରେ ଥିବା ପ୍ରତିଭା ର ବିକାଶ ପାଇଁ ବାଲେଶ୍ଵର ମ୍ୟୁନିସିପାଲିଟି ୧୪ କୋଟି ଟଙ୍କା ବ୍ୟୟରେ ବହୁମୁଖୀ ଇନଡୋର ହଲ୍, ସୁଇମିଂ ପୁଲ୍ ଆଦି ଉନ୍ନତ କ୍ରୀଡା ଭିତ୍ତିଭୂମି ର ବିକାଶ କରାଯିବ । ଏହାସହିତ କ୍ରୀଡାବିତ ମାନଙ୍କ ପାଇଁ ଉଚ୍ଚ ମାନର ତାଲିମ ବ୍ୟବସ୍ତା କରାଯିବ ।
୪. ବୁଢାବଳଙ୍ଗ ନଦୀ ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ଜୀବନରେଖା। ୫୩ କୋଟି ଟଙ୍କା ଖର୍ଚ୍ଚରେ ବୁଢାବଳଙ୍ଗ ନଦୀବନ୍ଧର ସୁରକ୍ଷା ସହିତ ସୌନ୍ଦର୍ଯ୍ୟକରଣ କରାଯିବ । ବାଲେଶ୍ଵର ସହରବାସିଙ୍କ ପାଇଁ ଅବସର ବିନୋଦନ ନିମନ୍ତେ ବୁଢାବଳଙ୍ଗ ନଦୀକୁଳ ର ଆବଶ୍ୟକ ବିକାଶ କରାଯିବ ।

୫. ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ମୁଖ୍ୟ ପୋଖରୀ ଗୁଡିକ ଯଥା ଗଡଗଡିଆ ପୋଖରୀ , ଶୋଭାରାମପୁର ପୋଖରୀ , ବଡଖୁଆ ପୋଖରୀ, ନୂଆ ପୋଖରୀ, ହରଚନ ପୋଖରୀ ଓ ହରଗଙ୍ଗା ପୋଖରୀ ଆଦିର ସୌନ୍ଦର୍ଯ୍ୟକରଣ ଓ ବିକାଶ କରାଯିବ । ଏହା ସହରର ପରିବେଶକୁ ସୁନ୍ଦର କରିବା ସହିତ ନାଗରିକ ମାନଙ୍କ ନିମନ୍ତେ ଖୋଲା ସ୍ଥାନ ସୃଷ୍ଟି କରିବ।
୬. ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ଡ୍ରେନେଜ୍ ଚ୍ୟାନେଲ୍ ଓ ତତସଂଯୁକ୍ତ ରାସ୍ତା ଗୁଡିକର ୭ କୋଟି ଟଙ୍କା ବ୍ୟୟରେ ବିକାଶ କରାଯିବ । “
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ,” ବାଲେଶ୍ଵର ମେଡିକାଲ୍ କଲେଜ୍ ଶିକ୍ଷାଦାନ ହସ୍ପିଟାଲ୍ ନିମନ୍ତେ ୨୭୫ କୋଟି ଟଙ୍କାର କାମ ଚାଲୁ ରହିଛି । ସେହପରି ଗତ ୪ ୫ ମାସ ହେବ ବାଲେଶ୍ଵର ମ୍ୟୁନିସିପାଲିଟି ପକ୍ଷରୁ ୧୬ କୋଟି ଟଙ୍କା ବ୍ୟୟରେ ସହରରେ ସିମେଣ୍ଟ କଂକ୍ରିଟ ରୋଡ , କମ୍ୟୁନିଟି ସେଣ୍ଟର ଆଦି ବିଭିନ୍ନ ଭିତ୍ତିଭୂମି ବିକାଶ କାମ ମଧ୍ୟ ଜାରି ରହିଛି । “
ଆମେ କଥା ନୁହେଁ ସବୁବେଳେ କାମରେ ବିଶ୍ବାସ କରୁ ବୋଲି ତାଙ୍କ ଉକ୍ତି କୁ ମୁଖ୍ୟମନ୍ତ୍ରୀ ଦୋହରାଇବା ସହ ଏ ସବୁ କାମ ଶୀଘ୍ର ଆରମ୍ଭ ହେବ ଓ ପ୍ରଥମିକତାର ସହ କାର୍ଯ୍ୟକାରୀ କରାଯିବ ବୋଲି ଘୋଷଣା କରିଥିଲେ । ବାଲେଶ୍ଵର ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଆମେ କାମ କରି ଚାଲିବୁ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏ ଦିଗରେ ବାଲେଶ୍ଵର ଜିଲ୍ଲାର ଭାଇ ଭଉଣୀ ମାନଙ୍କ ସହଯୋଗ କାମନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

fifteen − 6 =