ରାଜସ୍ବ ସେବା ସଂଘର ଆନ୍ଦୋଳନ ଡାକରା

ଭୂବନେଶ୍ବର () ଆସନ୍ତା 25 ତାରିଖରୁ ଓଡିଶା ରାଜସ୍ବ ସେବା ସଂଘର ସବୁ ଓଆରଏସ ଅଫିସରମାନେ କଳାବ୍ୟାଚ ପରିଧାନ କରିବେ  । ଏହି ସମୟ ମଧ୍ୟରେ ଦାବି ପୂରଣ ନହେଲେ ଜୁଲାଇ 2 ତାରିଖରୁ କଲମ ଛାଡ ଆନ୍ଦୋଳନ ଡାକରା ସହ ତହସିଲ ଓ ନିବନ୍ଧନ କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି କରାଯିବ ବୋଲି ରାଜସ୍ବ ସେବା ସଂଘ ନିଷ୍ପତ୍ତି ନେଇଛି  । ଏ ସଂପର୍କରେ ସଂଘ ରାଜସ୍ବ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଲିକ୍ଷିତ ଭାବେ ଜଣାଇଛି  ।

ସଂଘର ଅଭିଯୋଗ ହେଉଛି, ଗତ ମାର୍ଚ୍ଚ 28 ତାରିଖରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧକ୍ଷତାରେ ଆଲୋଚନା ସମୟରେ ସଂଘର ଦାବି ପୂରଣ ନେଇ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି  । ଦ୍ବିତୀୟ ଶ୍ରେଣୀରୁ ପ୍ରଥମ ଶ୍ରେଣୀକୁ ପଦୋନ୍ନତି ସହ ରାଜସ୍ବ ସେବା ଅଧିକାରୀଙ୍କ ଦରମା ବୃଦ୍ଧି, ସମୟୋଚିତ ପଦୋନ୍ନିତ, ବେତନ ଅସଙ୍ଗତି ଦୂର ଆଦି ଦାବି ପୂରଣ ନେଇ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛି ସଂଘ  ।

ସୂଚନାଯୋଗ୍ୟ ଯେ, ରାଜ୍ୟର ସବୁ ସହାୟକ ଜିଲ୍ଲାପାଳ, ଉପନିବନ୍ଧକ, ପୌରପାଳିକାର ନିର୍ବାହୀ ଅଧିକାରୀ, ଜୋନ ଅଫିସର ଏବଂ ଅତିରିକ୍ତ ତହସିଲଦାର ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରାଜ୍ୟର 891ଜଣ ରାଜସ୍ବ ଅଧିକାରୀ ଅବସ୍ଥାପିତ ହୋଇଛନ୍ତି  । ଆନ୍ଦୋଳନ ସଂପର୍କରେ ସଂଘର ସଂପାଦକ ହିତାଂଶୁ ଶେଖର ସାମଲ ରାଜସ୍ବ ସଚିବଙ୍କୁ ଗତ 9 ତାରିଖରେ ଲିକ୍ଷିତ ଭାବେ ଜଣାଇଛନ୍ତି । ଗତ ନଭେମ୍ବର ମାସରେ ଆୟୋଜିତ ରାଜସ୍ବ ସେବା ସଂଘର ସାଧାରଣ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମଧ୍ୟ ସଂଘ ଏସବୁ ଦାବି ଉପସ୍ଥାପନା କରିଥିଲା  । ରାଜସ୍ବ ଅଧିକାରୀମାନେ ଆନ୍ଦୋଳକୁ ଓହ୍ଲାଇଲେ ଉପଜିଲ୍ଲାପାଳ, ତହସିଲ ଓ ନିବନ୍ଧନ କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହେବାର ଆଶଙ୍କା ରହିଛି  ।

Share

Leave a Reply

Your email address will not be published. Required fields are marked *

fifteen − 12 =