କ୍ୱାଟର୍ସର ପ୍ରେମରେ ଅବସରପ୍ରାପ୍ତ କର୍ମଚାରୀ

ଭୁବନେଶ୍ୱର ()  ସରକାରୀ କ୍ୱାଟର୍ସର ମୋହ କିଛି କର୍ମଚାରୀଙ୍କୁ ଏମିତି ଘାରିଛି ଯେ ଅବସରର ଦୀର୍ଘଦିନ ପରେ ଏହାକୁ ଛାଡିପାରୁ ନାହାନ୍ତି । ମୋଟା ଅଙ୍କର ଘରଭଡା ଦେଇ ଏମାନେ ରହୁଥିବାରୁ ଚାକିରି ଜୀବନରେ ରାଜଧାନୀରେ କ୍ୱାଟର୍ସଟିଏ ପାଇବାପାଇଁ ଚାତକ ଭଳି ଅନାଇ ବସିଥିବା ଅନେକ କର୍ମଚାରୀ ହାତଶ ହେଉଛନ୍ତି । ଚାକିରି ସମୟରେ ରାଜଧାନୀର ପ୍ରମୁଖ ସ୍ଥାନ ବିଶେଷକରି ଏକ ନମ୍ବର, ଦୁଇନମ୍ବର, ଚାରି ନମ୍ବର, ଛଅ ନମ୍ବର, ନଅ ନମ୍ବର ଓ ଆଠ ନମ୍ବର ୟୁନିଟ୍‍ରେ ସରକାରୀ ଘର ପାଇଥିବା କର୍ମଚାରୀମାନେ ଅବସର ପରେ ବି ଏହାକୁ ଛାଡୁ ନାହାନ୍ତି । ନିୟମ ଅନୁଯାୟୀ ଅବସର ନେବାର ୩ମାସ ପର୍ଯ୍ୟନ୍ତ ସେମାନେ ଏହାକୁ ରଖିପାରିବେ । ଏହାପରେ ବଜାର
ବ୍ୟବସ୍ଥା ଅନୁଯାୟୀ ଭଡା ଲାଗୁ ହେବ । ଯଦି କର୍ମଚାରୀମାନେ ଘର ନଛାଡିବେ ତେବେ ସେମାନଙ୍କ ଉପରେ ପ୍ରତିବର୍ଷ ଭଡାର ପରିମାଣ ବଢି ଚାଲିବ ।
 
 
ତେବେ ସରକାରୀ କ୍ୱାଟର୍ସର ମୋହ ଯୋଗୁଁ କିଛି କର୍ମଚାରୀ ଅବସର ପରେ କ୍ୱାଟର୍ସ ରଖିବାପାଇଁ ବିଭାଗରେ ଓଏସ୍‍ଡି ଭାବେ କାର୍ଯ୍ୟ କରୁଛନ୍ତି । ଏହି ଉପାୟରେ ୩/୪ବର୍ଷ ଘରଟିକୁ ରଖିବାପରେ ଆଉ ତାହାକୁ ଛାଡୁ ନାହାନ୍ତି । ବିଭିନ୍ନ ବାହାନା ଦେଖାଉଛନ୍ତି । ବଜାର ଦରରୁ ଅଧିକ ଭଡା ପଡିଲେ ବି ନଛାଡି ସେଠାରେ ରହୁଛନ୍ତି । ଅନୁଧ୍ୟାନରୁ ଜଣାଯାଇଛି ଯେ ନଅ ନମ୍ବର, ଚାରି ନମ୍ବର, ଆଠ ନମ୍ବର ଅଞ୍ଚଳରେ ଘର ଛାଡୁନଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ଢେର ଅଧିକ ରହିଛି । ଏମାନେ ମାସକୁ ମୋଟା ଅଙ୍କର ଘରଭଡା ଦେଉଛନ୍ତି । ଅବଶ୍ୟ ସେମାନେ ଯଦି ଏହି ଅଞ୍ଚଳରେ ବେସରକାରୀ ଘର ଭଡାରେ ନେବେ ତେବେ ଅଧିକ ଅର୍ଥ ଗଣିବାକୁ ପଡିବ । ଏଥି ସହିତ ଘର ମାଲିକଙ୍କ କଟକଣାର ବି ସ୧ୁଖୀନ ହେବେ । ତେବେ ସବୁଠାରୁ ମଜାର କଥା ହେଉଛି ଘର ଛାଡୁନଥିବା ଅନେକ ଅବସରପ୍ରାପ୍ତ କର୍ମଚାରୀଙ୍କର ରାଜଧାନୀ ଓ ଏହାର ଆଖପାଖରେ ନିଜର ଘର ରହିଛି । ତାହାକୁ ସେମାନେ ଭଡାରେ ଲଗାଇ ଦେଇଛନ୍ତି । ନିଜ ଘରଭଡା ପଇସା ସରକାରଙ୍କୁ ଦେଇ ରାଜଧାନୀର ପ୍ରମୁଖ ଅଞ୍ଚଳରେ ରହିବାରେ ଲାଗିଛନ୍ତି ।
 
 
ଏହା ଫଳରେ ଦୀର୍ଘଦିନ ଧରି ସରକାରାୀ କ୍ୱାଟର୍ସଟିଏ ପାଇବାପାଇଁ ଆବେଦନ କରିଥିବା କର୍ମଚାରୀ କେବଳ ଲାଇନ୍‍ରେ ରହିବା ସାର ହେଉଛି । ମିଳିଥିବା ସୂଚନା ଅନୁଯାୟୀ ଛଅ ନମ୍ବର, ଦୁଇ ନମ୍ବର ଭଳି କେତେକ ଅଞ୍ଚଳରେ ଅନେକ ସରକାରୀ କ୍ୱାଟର୍ସ ଖାଲି ପଡିଥିଲେ ମଧ୍ୟ ନୂଆ କର୍ମଚାରୀମାନେ ତାହାକୁ ପାଇବାକୁ ହକ୍‍ଦାର ନଥିବାରୁ ସେମାନଙ୍କୁ ଏହା ମିଳୁନାହିଁ । ବରିଷ୍ଠ କର୍ମଚାରୀମାନେ ଛୋଟ ଛୋଟ ଘରେ ରହି ସେହିଠାରେ ଅବସର ଗ୍ରହଣ କରିବା ଫଳରେ ଏଭଳି ସ୍ଥିତି ଉପୁଜିଛି । ତେବେ ଅବସର ପରେ ବି ମାଳ ମାଳ ସରକାରୀ ଘରକୁ ନିଜ ନିୟବଣରେ ରଖିବା ଯୋଗୁଁ ସ୍ଥତି ଅଧିକ ଜଟିଳ ହୋଇଛି । ତେଣୁ କେବଳ ଭଡା ବଢାଇଲେ ହେବନାହିଁ, ନିର୍ଦ୍ଦିଷ୍ଟ ସମୟ ପରେ ଏମାନଙ୍କୁ ସରକାରୀ ଘରୁ ବିଦା ନକଲେ ନୂଆ କର୍ମଚାରୀ ଓ ଲାଇନ୍‍ରେ ଥିବା ଅନେକ କର୍ମଚାରୀ ଚାକିରିକାଳ ମଧ୍ୟରେ କ୍ୱାଟର୍ସ ଟିଏ ପାଇପାରିବେ ନାହିଁ ବୋଲି କହୁଛନ୍ତି ।
Share

Leave a Reply

Your email address will not be published. Required fields are marked *

2 × 5 =