୨୩ରେ କୁଳପତି ସମ୍ମିଳନୀ, ୟୁଜି ଓ ପିଜି ନାମଲେଖା ନେଇ ହେବ ଆଲୋଚନା

ଭୁବନେଶ୍ୱର: ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକର କ୍ଲାସରୁମ୍ ପାଠପଢ଼ା ଦୀର୍ଘ ଦିନ ହେବ ବନ୍ଦ ହେଲାଣି । ତେଣୁ କିଭଳି ସେମାନଙ୍କ ପାଠପଢ଼ା ଠିକ ଭାବେ ଚାଲିବ, ସେ ନେଇ ଚିନ୍ତା ପ୍ରକଟ କରିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ । ଏହା ସହିତ ନୂଆ ଶିକ୍ଷାବର୍ଷ ପାଇଁ ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ନାମଲେଖା ଆରମ୍ଭ ହେବ । ୟୁଜି ଓ ପିଜିର କେବଳ ଶେଷ ସେମିଷ୍ଟର୍ ପରୀକ୍ଷା ଅନଲାଇନ୍ରେ ହେବା ପାଇଁ ନିଷ୍ପତ୍ତି ସରିଥିବା ବେଳେ ଅନ୍ୟ ସେମିଷ୍ଟର୍ ପରୀକ୍ଷା ନିଷ୍ପତ୍ତି ହୋଇନାହିଁ । ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ଆସନ୍ତା ୨୩ ତାରିଖ କୁଳପତି ସମ୍ମିଳନୀରେ ଆଲୋଚନା ହେବ ।

୨୩ ତାରିଖ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସକାଳ ୯ଟରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କୁଳପତି ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟ ଉଚ୍ଚଶିକ୍ଷା ସମ୍ପର୍କିତ ସମସ୍ତ ବିଷୟ ଆଲୋଚନା ହେବ । ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ସମ୍ମିଳନୀରେ ୭୫ରୁ ଅଧିକ ଶିକ୍ଷାବିତ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ଉଚ୍ଚଶିକ୍ଷା ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସୂଚନା ଦେଇଛନ୍ତି । ବୈଠକରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ସମେତ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଓ ଆଞ୍ଚଳିକ ଶିକ୍ଷାଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Share

Leave a Reply

Your email address will not be published. Required fields are marked *

two × four =