ଜବତ ହେଉଛି କାଗଜପତ୍ର, ମିଳୁନି ଗାଡ଼ି

ଭୁବନେଶ୍ବର (ନିପ୍ର): ଗ୍ୟାଙ୍ଗଷ୍ଟର ଟିଟୋର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ରହିଛି ୫୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବ୍ୟାଙ୍କ ଡିପୋଜିଟ୍ । ଏସଟିଏଫ୍ ଅଧିକାରୀମାନେ ଟିଟୋ ଘରୁ ଯେଉଁ ବ୍ୟାଙ୍କ କାଗଜପତ୍ର ଜବତ କରିଥିଲେ ସେଥିରୁ ଏହି ତଥ୍ୟ ଜାଣିବାକୁ ପାଇଛନ୍ତି । ତଦନ୍ତର ଏହା ପ୍ରାଥମିକ ପର୍ଯ୍ୟାୟ ହୋଇଥିବାରୁ ଟିଟୋ ନାଁରେ ଅନ୍ୟ ବ୍ୟାଙ୍କ ଗୁଡ଼ିକରେ ଆହୁରି ଟଙ୍କା ଜମା ହୋଇଥାଇ ପାରେ ବୋଲି ତଦନ୍ତକାରୀ ଅଧିକାରୀମାନେ ଆଶାବ୍ୟକ୍ତ କରିଛନ୍ତି । ଏହି ସବୁ ଟଙ୍କା ଟିଟୋ ନାମରେ ଥିବା ଜଣାପଡ଼ିଛି । ପୂର୍ବରୁ ଜବତ ଯେଉଁ ବ୍ୟାଙ୍କ ଆକାଉଣ୍ଟ ଜବତ ହୋଇଥିଲା ସେଥିରେ ଟିଟୋ ପତ୍ନୀ ନାମରେ ଟଙ୍କା ଥିଲା । ଏବେ କିନ୍ତୁ ଏହି ସବୁ ଟଙ୍କା ଟିଟୋ ନାମରେ ଥିବା ଜଣାପଡ଼ିଛି ।

ଟିଟୋର ଆର୍ଥିକ କାରବାରର ଖୋଳତାଡ଼ କରୁଥିବା କ୍ରାଇମବ୍ରାଞ୍ଚର  ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)କୁ ଏହି ତଥ୍ୟ ଶନିବାର ହସ୍ତଗତ ହୋଇଥିବା ନେଇ ବିଭାଗୀୟ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଟିଟୋ ନାମରେ ଶତାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି । ଯେଉଁଥିରେ ଆନୁମାନିକ ଶହେ କୋଟିରୁ ଅଧିକ ଟଙ୍କା ଫିକ୍ସ ଡିପୋଜିଟ୍ ଥିବା ସନ୍ଦେହ କରାଯାଉଛି । ଟିଟୋକୁ ଜେରା ବେଳେ ଏସଟିଏଫ୍ ଅଧିକାରୀଙ୍କୁ ଏକ ଲିଡ୍ ମିଳିଥିଲା । ଟିଟୋ କେତେ ଟଙ୍କାର ମାଲିକ ଏବଂ ତା’ପାଖରେ କେତେ ଟଙ୍କା ବ୍ୟାଙ୍କ ଡିପୋଜିଟ୍ ଅଛି ସେ ନେଇ ଜେରା ବେଳେ ଗ୍ୟାଙ୍ଗଷ୍ଟର କହିଥିଲା କି, ସେ ତାହାର ସହଯୋଗୀଙ୍କୁ ସମସ୍ତ ବ୍ୟାଙ୍କ ଆକାଉଣ୍ଟର ନମ୍ବର ଦେଇଥାଏ । ଯେଉଁମାନେ ଟଙ୍କା ଆଦାୟ କରନ୍ତି ସେମାନେ ନିଦ୍ଧିଷ୍ଟ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିଥାନ୍ତି । ଏଥିପାଇଁ ତା’ ନିକଟରେ କେତେ ଟଙ୍କା ଜମା ଅର୍ଥ ରହିଛି ସେ ନେଇ ସେ କିଛି ଜାଣି ନ ଥିବା ଟିଟୋ ଜେରା ବେଳେ ଏସଟିଏଫ୍ ଅଧିକାରୀଙ୍କୁ ସୂଚନା ଦେଇଥିଲା ।

ଟିଟୋ ପାଖରୁ ମିଳିଥିବା ଏହି ଲିଡ୍ ଆଧାରରେ ଏସ୍ଟିଏଫ୍ ତାହାର ଜମା ଅର୍ଥ ଯାଞ୍ଚ କରିବା ନିମନ୍ତେ ଅର୍ଥନୈତିକ ଅପରାଧ ଶାଖାର ଅଧିକାରୀଙ୍କ ସହାୟତା  ଲୋଡ଼ିଥିଲା । ଯେଉଁମାନେ ଟିଟୋର ଆକାଉଣ୍ଟ ଥିବା ବ୍ୟାଙ୍କକୁ ଏନେଇ ପତ୍ର ଲେଖିବା ପରେ ତା’ ଆକାଉଣ୍ଟରେ ଏତିକି ପରିମାଣର ଟଙ୍କା ଥିବା ନେଇ ଜଣାପଡ଼ିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୨୦ଟି ବ୍ୟାଙ୍କର ତଥ୍ୟ ହସ୍ତଗତ ହୋଇଛି । ଯେଉଁଥିରେ ଟିଟୋ ନାମରେ ଥିବା ଆକାଉଣ୍ଟରେ ୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜମା ଥିବା ନେଇ ଜଣାପଡ଼ିଛି । ଆହୁରି ଅନ୍ୟ ବ୍ୟାଙ୍କ ଗୁଡ଼ିକର ତଥ୍ୟ ମିଳିବା ପରେ ଟିଟୋ ପ୍ରକୃତରେ କେତେ ଟଙ୍କା ବ୍ୟାଙ୍କରେ ଜମା ରଖିଛି ତାହା ସ୍ପଷ୍ଟ ହେବ ବୋଲି ଇଓଡବ୍ଲ୍ୟୁର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି ।

ଏସବୁ ମଧ୍ୟରେ ଏସଟିଏଫ୍ ଅଧିକାରୀମାନେ ଟିଟୋର ଏକ ୪୦ ଜଣିଆ ଗ୍ୟାଙ୍ଗ ସଦସ୍ୟଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି । ଯେଉଁମାନେ ଗ୍ୟାଙ୍ଗଷ୍ଟରଙ୍କ ସହ ସବୁ ବେଳେ ଚଳପ୍ରଚଳ କରୁଥିଲେ । ପ୍ରତ୍ୟେକ କଥାରେ ଗ୍ୟାଙ୍ଗଷ୍ଟରଙ୍କ ଅନୁମତି ଲୋଡ଼ୁଥିଲେ । ଟିଟୋର ଗୋଟାଏ ଇସାରାରେ ସବୁ କିଛି କରିବାକୁ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ହୋଇ ରହୁଥିଲେ । ତାଲିକା ପ୍ରସ୍ତୁତ ହୋଇଥିବା ଏହି ୪୦ ଜଣ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶଙ୍କ ଘର କେନ୍ଦ୍ରାପଡ଼ା, କଟକ ଓ ନୟାଗଡ଼ ଜିଲାରେ ବୋଲି ଜଣାପଡ଼ିଛି । ନିଜର ମୁଖିଆ ଗିରଫ ହେବା ପରେ ଏମାନେ ସମସ୍ତେ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଉଥିବା ଏସଟିଏଫର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ତେଣୁ ଟିଟୋ ସଂକ୍ରାନ୍ତରେ ସମସ୍ତ ତଥ୍ୟ ଗଣମାଧ୍ୟମକୁ ଦେବା ଠିକ୍ ନୁହେଁ । କାରଣ ବିଗତ ଦିନରେ ଗଣମାଧ୍ୟମରେ ଟିଟୋ ସଂକ୍ରାନ୍ତରେ ଖବର ପ୍ରକାଶ ପରେ ତାହାର ସହଯୋଗୀମାନେ ଫେରାର ହୋଇଯିବାର ନଜିର ରହିଛି । ସମ୍ପୃକ୍ତ ଅଧିକାରୀ ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ, ଟିଟୋ ଓ ତା’ର ସମ୍ପର୍କୀୟଙ୍କ ନାମରେ ଏକାଧିକ ଦାମୀ ଗାଡ଼ି ଓ ଟ୍ରକ ରହିଛି । ଯାହାର କାଗଜପତ୍ର ବର୍ତ୍ତମାନ ହସ୍ତଗତ ହୋଇଛି । କିନ୍ତୁ ଗାଡ଼ି ଗୁଡ଼ିକ ଟିଟୋ ଗିରଫ ହେବା ପରେ କେଉଁଠାରେ ଲୁଚାଇ ରଖାଯାଇଛି ସେ ନେଇ କିଛି ବି ଜଣାପଡ଼ୁନାହିଁ । କାଗଜପତ୍ର ଯାଞ୍ଚ ବେଳେ ଏହା ସ୍ପଷ୍ଟ ହୋଇଛି ଯେ, ଟିଟୋ ଓ ତା’ର ସମ୍ପର୍କୀୟଙ୍କ ନାମରେ ପ୍ରାୟ ୫୦କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଟ୍ରକ୍, ଟ୍ରଲର ଓ ଦାମୀ ସୌଖୀନ ଗାଡ଼ି ରହିଛି ।

Share

Leave a Reply

Your email address will not be published. Required fields are marked *

ten + 4 =