ବାହୁଡାରେ ରେକର୍ଡ, ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ରଥଟଣା

ପୁରୀ (ନିପ୍ର) : ଏଥରର ବାହୁଡା ଯାତ୍ରାରେ ଗତ ୫୦ ବର୍ଷ ଭିତରେ ଯାହା କେବେ ହୋଇନଥିଲା ତାହା ହୋଇଛି  । ନୂଆ ରେକର୍ଡ ସୃଷ୍ଟି ହୋଇଛି  । ପ୍ରବଳ ବର୍ଷା ଓ ବଡଦାଣ୍ଡରେ ଜଳବନ୍ଦୀ ସତ୍ତ୍ବେ ବାହୁଡା ଯାତ୍ରା ପାଇଁ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଛି । ସବୁଠାରୁ ବଡ କଥା ହେଲା ପୂର୍ବ ନିର୍ଘଣ୍ଟ ଅନୁଯାୟୀ ଅପରାହ୍ନ ୪ଟାରେ ରଥ ଟଣାଯିବା କଥା  । କିନ୍ତୁ ସେତେବେଳେକୁ ସିଂହଦ୍ବାରରେ ଲାଗିସାରିଥିଲା ତିନି ରଥ  ।

https://www.youtube.com/watch?v=MGD1drlBKK0

ପୂର୍ବାହ୍ନରେ ନିର୍ଦ୍ଧାରିତ ସମୟର ପ୍ରାୟ ୪ ଘଣ୍ଟା ଆଗରୁ ଚତୁର୍ଦ୍ଧାମୁରତିଙ୍କ ପହଣ୍ଡି ବିଜେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ ସୁଦର୍ଶନ, ପରେ ବଡଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ। ଧାଡି ପହଣ୍ଡିରେ ଜନ୍ମବେଦୀରୁ ଓହ୍ଲାଇ ଶ୍ରୀମନ୍ଦିର ଆଡେ ମୁହାଁଇଲେ  । ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ସେବୟତ ଓ ଭକ୍ତଙ୍କ ସହଯୋଗରେ ସବୁ ନୀତିକାନ୍ତି ଆଶା ବାହାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଥିଲା  ।

ଦିନ ଗୋଟାଏ ସୁଦ୍ଧା ଛେରା ପହଁରା ହୋଇ ରଥ ଉପରେ ଶ୍ରୀଜୀଉଙ୍କ ସବୁ ନୀତି ଶେଷ ହୋଇସାରିଥିଲା । ପ୍ରାୟ ୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ରଥଟଣା । ବଡଦାଣ୍ଡରେ ବଡଭାଇ ବଳଭଦ୍ରଙ୍କ ରଥକୁ ଟାଣିନେଇଥିଲେ ଭକ୍ତ । ପଛକୁ ପଛ ହୋଇ ଭଉଣୀ ସୁଭଦ୍ରା ଓ ଶେଷରେ ମହାବାହୁ ଗଡି ଚାଲିଲେ ଶ୍ରୀମନ୍ଦିର ଅଭିମୁଖେ ।

ଶ୍ରୀମନ୍ଦିର ସିଂହଦ୍ବାର ଆଗରେ ଲାଗିଗଲା ତାଳଧ୍ବଜ । ମାତ୍ର ୨୦ ମିନିଟ୍ ପରେ ପ୍ରାୟ ୩ଟା ୫୦ରେ ବଡଭାଇଙ୍କ ପାଖରେ ପହଁଚିଗଲେ ଦେବୀ ସୁଭଦ୍ରା । ଆଉ ତାପରେ ସିଂହଦ୍ବାରରେ ଲାଗିଲା ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ରଥଟଣା ସମୟ ଥିଲା ଅପରାହ୍ନ ୪ଟାରେ । ହେଲେ ରଥଟଣା ସରିଯାଇଥିଲା ଏହି ସମୟ ଭିତରେ । ନା ବର୍ଷା ହେଲା ନା କିଛି ବିଶୃଙ୍ଖଳା ।

https://www.youtube.com/watch?v=W7Xc5yikGyw

ଏହା ସମ୍ଭବପର ହୋଇଥିଲା ମନ୍ଦିର ପ୍ରଶାସନର ଶୃଙ୍ଖଳିତ ବ୍ୟବସ୍ଥା ଯୋଗୁଁ । ଶାନ୍ତି ଶୃଙ୍ଖଳା ସହ ବାହୁଡା ଯାତ୍ରା ଶେଷ କରିବାକୁ ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି କରିଥିଲା ମନ୍ଦିର ପ୍ରଶାସନ । ପୂର୍ବ ବର୍ଷ ଗୁଡିକରେ ଯେଉଁଭଳି ବିଶୃଙ୍ଖଳା ଦେଖା ଦେଇଥିଲା ତାହା ଚଳିତ ବର୍ଷ ଦେଖିବାକୁ ମିଳିନଥିଲା । ଏପରିକି ରଥଯାତ୍ରାରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲା ପ୍ରଶାସନ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରଥଯାତ୍ରାରେ ସେବାୟତଙ୍କ ଦାନ ଓ ଦକ୍ଷିଣା ଉପରେ ରୋକ ଲଗାଇଥିଲା ପ୍ରଶାସନ । ଏପରିକି ସେବାୟତଙ୍କୁ ଶୃଙ୍ଖଳିତ ଭାବେ ରଥଯାତ୍ରାରେ ସହଯୋଗ କରିବାକୁ ନିବେଦନ କରିଥିଲା ପ୍ରଶାସନ । ଯାହାର ଝଲକ ବାହୁଡା ଯାତ୍ରାରେ ଦେଖିବାକୁ ମିଳିଛି । ଆଉ ଏହା ଶ୍ରୀମନ୍ଦିର ପ୍ରଶାସନ ପାଇଁ ଏକ ବଡ ଉପଲବ୍ଧି ।

Share

Leave a Reply

Your email address will not be published. Required fields are marked *

9 − 2 =