ଫୁଲୁଛି ମହାନଦୀ, ସାମାନ୍ୟରୁ ମଧ୍ୟମ ବନ୍ୟା ଆଶଙ୍କା

6 ଜିଲ୍ଲାକୁ ସତର୍କ ସୂଚନା ଦେଲେ ଏସଆରସି

ଭୁବନେଶ୍ବର (ନିପ୍ର) ଦୁଇ ଦିନର ଲଗାଣ ବର୍ଷାରେ ଫୁଲୁଛି ମହାନଦୀ । ମହାନଦୀ ଓ ଏହାର ଶାଖା ନଦୀରେ ସମାନ୍ୟରୁ ମଧ୍ୟମ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ଦେଇ ମହାନଦୀରେ ୭.୫ରୁ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହୋଇଛି । ଏହାଦ୍ବାରା ମହାନଦୀ ଓ ଏହାର ଶାଖା ନଦୀରେ ସାମାନ୍ୟରୁ ମଧ୍ୟମ ବନ୍ୟା ଆଶଙ୍କା ରହିଥିବା ସ୍ବତନ୍ତ୍ର ରିଲିଫ କମିଶନର ଯାଜପୁର, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଓ ଖୋର୍ଦ୍ଧା ଜିଲ୍ଲା ଅଧିକାରୀଙ୍କୁ ସତର୍କ କରାଇଦେଇଛନ୍ତି ।

ଗତ ଦୁଇ ଦିନ ଧରି ରାଜ୍ୟବ୍ୟାପୀ ବର୍ଷା ଲାଗି ରହିଥିଲା । ଏହାର ପ୍ରଭାବରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ମହାନଦୀର ଜଳସ୍ତର ନରାଜ ଠାରେ ବିପଦ ସଂକେତର ୪ ମିଟର ତଳେ ରହିଥିଲେ ବି ନିୟମିତ ଭାବେ ଜଳସ୍ତର ବଢୁଛି । ସୁନ୍ଦରଗଡରେ ଇବ ନଦୀର ଜଳ ସ୍ତର ମଧ୍ୟ ବଢୁଛି । ଏଠି ବିପଦ ସଂକେତ ୨୨୨ ମିଟର ଥିବା ବେଳେ ଜଳସ୍ତର ୨୧୭.୭୬ ମିଟରରେ ରହିଛି । ପାନପୋଶ ଠାରେ ମଧ୍ୟ ବ୍ରାହ୍ମଣୀ ନଦୀର ଜଳ ସ୍ତର ବଢୁଛି । ଆନନ୍ଦପୁର ଓ ଆଖୁଆପଦାରେ ମଧ୍ୟ ବୈତରଣୀ ନଦୀର ଜଳସ୍ତର ବଢୁଛି । ୫ ନମ୍ବର ଜାତୀୟ ରାଜପଥରେ ମଧ୍ୟ ବୁଢାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଉଛି । ଜାମଶୋଳାଘାଟ ଓ ରାଜଘାଟରେ ସୁବର୍ଣ୍ଣରେଖା ଏବଂ ପୁରିଷୋତ୍ତମପୁରରେ ରୁଷିକୂଲ୍ୟା ନଦୀର ଜଳସ୍ତର ବଢୁଥିଲେ ମଧ୍ୟ ବିପଦ ସଙ୍କେତ ତଳେ ରହିଛି । ତେବେ କାଶିନଗରରେ ବଂଶଧାରା ଆଜି ସକାଳ ୬ଟାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲା । ଅପରାହ୍ନ ୩ଟା ପରୁଠାରୁ ଏଠି ଜଳସ୍ତର ଧିରେ ଧିରେ କମିବା ଆରମ୍ଭ କରିଛି । ଜଳକା ନଦୀ ମଧ୍ୟ ସେହିଭଳି ଗତକାଲିଠାରୁ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଜଳକାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ବନ୍ୟା ପାଣି ୫.୯୧ ମିଟରରେ ପ୍ରବାହିତ ହେଉଛି ।

ଗତ ୨୪ଘଣ୍ଟାର ଲଗାଣ ବର୍ଷାରେ ଅନୁଗୁଳର ପାଲଲହଡା ଓ ଛେଣ୍ଡିପଦା ବ୍ଲକ ସହ ୨ଟି ଓାର୍ଡ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଗତ ରାତିରୁ ଏଠାରେ ବିଦ୍ୟୁତ ସଂଯୋଗ ଏବଂ ଟେଲିଫୋନ ଯୋଗାଯୋଗ ବିଛିନ୍ନ ହୋଇଛି । ଆଠମଲ୍ଲିକର ଓାର୍ଡ ନମ୍ବର ୨ ଓ ୯ରେ ଜଳବନ୍ଦୀ ହୋଇଛି ।

ବାଲେଶ୍ବରରେ କିର୍ତ୍ତନିଆ ସମୁଦ୍ରରେ ଘଟିଥିବା ବୋଟ ଦୁର୍ଘଟଣାରେ ଏବେ ବି ୪ଜଣ ବ୍ୟକ୍ତି ନିଖୋଜ ଅଛନ୍ତି । ବରଗଡରେ ଲଗାଣ ବର୍ଷା ଯୋଗୁଁ ଅତାବିରାରେ ୩୫୦ ମିଲିମିଟର, ବରଗଡରେ ୩୦୯ ମିଲିମିଟର, ଭଟଲିରେ ୧୮୫ ମିଲିମିଟର, ଭୋଡେନରେ ୧୭୪ ମିଲିମିଟର, ବିଜେପୁରରେ ୧୧୫ ଓ ସୋହେଲାରେ ୧୦୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଅତାବିଲା ଓ ଭୋଡେନ ବ୍ଲକର ବହୁ ଗାଁ ଏବଂ ବରଗଡ ମୁନିସିପାଲିଟିର ୫ଟି ଓାର୍ଡ ଜଳବନ୍ଦୀ ହୋଇ ରହିଛି । କଟକ ଜିଲ୍ଲାରେ ସେହିଭଳି କ୍ରାମଗତ ବର୍ଷା ଯୋଗୁ ବ୍ୟାପକ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିଲା । ୯ଟି ସାହି ଏବେ ବି ଜନବନ୍ଦୀ ହୋଇ ରହିଛି । ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ଓଡ୍ରାଫ ଓ ଅଗ୍ନସମ ବିଭାଗର କର୍ମଚାରୀମାନେ କାମରେ ଲାଗିଥିବା ବେଳେ ୧୯୧ଟି ପମ୍ପ ସେଟ ଲାଗିଛି ।

ଦେବଗଡରେ ରିଆମାଳ ଓ ତିଳେଇବାନୀ ଦୁଇ ବ୍ଲକର ୧୨ଟି ଗାଁ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ୨୨ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଛି । ଢେଙ୍କାନାଳରେ ଜଳବନ୍ଦୀ ହୋଇ ରହିଥିବା ୬୦ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଯାଜପୁରରେ ଗତରାତିରୁ ବର୍ଷା ଲାଗି ରହିଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡିର କଲମପୁର ଓ ଥୁଆମୂଳରାମପୁର ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ଆଜି ପରିସ୍ଥିତିରେ ସୁଧାର ଆସିଛି । କନ୍ଧମାଳରେ ସେହିପରି ଚକାପାଦ, ଟିକାବାଲି, ଖଜୁରିପଡା, ବାଲିଗୁଡା, ଫିରିଙ୍ଗିଆ, କୋଟଗଡ ଓ ତୁମୁଡିବନ୍ଧ ବହୁଳ ଭାବେ ପ୍ରଭାବିତ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ସେହିଭଳି ଗତକାଲି ଭୁବନେଶ୍ୱର ଓ ଜଟଣୀରେ ଅପ୍ରାକୃତି ବନ୍ୟା ପରିସ୍ଥିତି ଉପୁଜିଥିଲା । ଆଜି ସ୍ଥିତିରେ ସୁଧାର ଆସିଛି ।

କୋରାପୁଟରେ ମଧ୍ୟ କୋରାପୁଟ, ଲମତାପୁଟ, ପଟାଙ୍ଗୀ, ନନ୍ଦପୁର, ଲକ୍ଷ୍ମୀପୁର, ସେମିଳିଗୁଡା, କୋଟପାଡ ଆଦି ୧୨ଟି ବ୍ଲକର ୬୭ଟି ଗାଁର ୮୫୦୦ ଲୋକ କ୍ଷିତଗ୍ରସ୍ତ ହୋଇଛି । ସମ୍ବଲପୁର, ସୋନପୁର, ପୁରୀ, ରାୟଗଡାରେ ମଧ୍ୟ ସ୍ଥିତି ଅସମ୍ଭାଳ ହୋଇଛି । ବିଭିନ୍ନ ସ୍ଥାନରେ ବ୍ୟାପକ ବନ୍ୟା ଓ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଜଳବନ୍ଦୀ ଲୋକଙ୍କ ଉଦ୍ଧାର ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ୧୪ଟି ଓଡ୍ରାଫ ଟିମ ଓ ୮୫ଟି ଅଗ୍ନିଶମ ଟିମ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସବୁ ଆରଟିଓ ଓ ଏମଭିଆ ସମେତ ଜିଲ୍ଲା ଅଧିକାରୀଙ୍କୁ ଏସଆରସି ସତର୍କ କରିଛନ୍ତି । ବନ୍ୟା ପରିସ୍ଥିତି, ଦୁର୍ବଳ ନଦୀବନ୍ଧ ଓ କେଲାନ ଉପରେ ନଜର ରଖିବା ପାଇଁ ମୋବାଇଲ ଟିମ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲାରେ କଣ୍ଟ୍ରୋଲ ରୁମ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରଖିବା ସହ ତଳିଆ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ତାଗିଦ କରାଯାଇଛି । ଆବଶ୍ୟକ ସଂଖ୍ୟକ ଦେଶୀ ଡଙ୍ଗା ଓ ବୋଟ ପ୍ରସ୍ତୁତ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

12 − 7 =