ପଦ୍ମଶ୍ରୀ ବିଜେତାଙ୍କୁ ମିଳିବ ମାସିକ ୧୦ ହଜାର ଟଙ୍କାର ଭତା

ଭୁବନେଶ୍ବର () : ରାଜ୍ୟର ଆର୍ଥିକ ଅନଗ୍ରସର ପଦ୍ମଶ୍ରୀ ବିଜେତା ବ୍ୟକ୍ତିତ୍ବମାନଙ୍କୁ ମାସକୁ ୧୦ ହଜାର ଟଙ୍କା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସଂସ୍କୃତି ବିଭାଗର ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ଏହି ଭତା ପାଇଁ ଯୋଗ୍ୟ ବ୍ୟକ୍ତିତ୍ବମାନଙ୍କ ମାନଦଣ୍ଡ ନିର୍ଦ୍ଧାରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

କିଛିଦିନ ତଳେ ଏକ ଓଡ଼ିଶା ଖବର କାଗଜରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଦୈତାରୀ ନାୟକଙ୍କ ବିଷୟରେ ଏକ ଖବର ପ୍ରକାଶ ପାଇଥିଲା, ଯେଉଁଥିରେ ତାଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନୁହେଁ ଓ ଏଥିପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାରେ ଯେତେଜଣ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବ୍ୟକ୍ତିତ୍ବ ଅଛନ୍ତି ସେମାନଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଇଥିଲା । ଜିଲ୍ଲାପାଳମାନଙ୍କଠାରୁ ପ୍ରାପ୍ତ ସୂଚନା ଅନୁସାରେ ବର୍ତମାନ ପର୍ଯ୍ୟନ୍ତ ୮୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କର ଦେହାନ୍ତ ହୋଇସାରିଛି । ଅବଶିଷ୍ଟ ଯେଉଁମାନେ କର୍ମମୟ ଜୀବନଯାପନ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଳ୍ପକିଛି ବ୍ୟକ୍ତିଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନୁହେଁ ବୋଲି ଜଣାପଡ଼ିଛି । ଏହି ଆର୍ଥିକ ଦୁରାବସ୍ଥାସଂପନ୍ନ ବ୍ୟକ୍ତିତ୍ବମାନଙ୍କର ଦୈନନ୍ଦିନ ଜୀବନ ଭରଣାପୋଷଣ ପାଇଁ ମୁଖ୍ୟମନ୍ତ୍ରୀ ଏହି ମର୍ମରେ ନିଷ୍ପତି ନେଇଛନ୍ତି । ଖୁବ୍ଶୀଘ୍ର ଏହି ବ୍ୟକ୍ତିତ୍ବମାନଙ୍କୁ ଆର୍ଥିକ ସହାୟତା ଦିଆଯିବ ।

ଏହାଦ୍ବାରା ଦୈତାରୀ ନାୟକଙ୍କ ପରି ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବ୍ୟକ୍ତିମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆସିପାରିବ । ସୂଚନାଯୋଗ୍ୟ ଯେ ଦୈତାରୀ ନାୟକ ନିଜ ଉଦ୍ୟମରେ କେନ୍ଦୁଝର ଜିଲ୍ଲାର ଜଳସେଚନ ରହିତ ପାହାଡ଼ିଆ ଅଂଚଳରେ ପାହାଡ଼ ଖୋଳି ନଦୀର ଏକ ଚ୍ୟାନେଲ୍ ସୃଷ୍ଟି କରି ୨୦୧୮ ମସିହାରେ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

twenty − six =