ଓଡ଼ିଶାର ‘କାଳିଆ’ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଠାରୁ ଅଧିକ ସୁରକ୍ଷିତ ଓ ବିଶାଳ

ଭୁବନେଶ୍ୱର () ଆସନ୍ତା ନିର୍ବାଚନରେ ଚାଷୀଙ୍କ ମନ କିଣିବା ଲକ୍ଷରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ମଧ୍ୟବର୍ତ୍ତିକାଳୀନ ବଜେଟରେ ଚାଷୀଙ୍କୁ ବାର୍ଷିକ 6ହଜାର ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛନ୍ତି । ଏହି ସହାୟତା 5 ଏକରରୁ କମ୍ ଜମି ଥିବା ଚାଷୀଙ୍କୁ ଦିଆଯିବ । ଏହା କେନ୍ଦ୍ରର ବିଳମ୍ବ ପଦକ୍ଷେପ ହୋଇଥିବା ବେଳେ ଚାଷୀଙ୍କୁ କାଳିଆ ତୁଳନାରେ କମ୍ ସହାୟତା ମିଳୁଛି ।

ଯଦିଓ କେନ୍ଦ୍ର ସରକାର କାଳିଆ ଢାଞ୍ଚାରେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା କରିଛନ୍ତି, ଏହା କିନ୍ତୁ କାଳିଆ ଭଳି ବ୍ୟାପକ ନୁହେଁ । ଏହି ଯୋଜନାରେ 12 କୋଟି ଚାଷୀ ଉପକୃତ ହେବେ ଏବଂ 75ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଚାଷୀଙ୍କୁ 3ଟି ଦଫାରେ 2ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ।

ଓଡ଼ିଶାର କାଳିଆ 

ତେଲେଙ୍ଗାନା ସରକାରଙ୍କ ରାଇତୁ ବନ୍ଧୁ ଯୋଜନାରେ ଥିବା କିଛି ତ୍ରୁଟିର ସଂଶୋଧନ କରାଯାଇଛି । ଏଥିରେ ଚାଷୀ ପରିବାରକୁ ବାର୍ଷିକ 10 ହଜାର ଟଙ୍କା ଦୁଇଟି କିସ୍ତିରେ – ଖରିଫ ଓ ରବି ଋତୁରେ ପ୍ରଦାନ କରାଯାଉଛି । ଏଥିରେ ପ୍ରାୟ 92 ପ୍ରତିଶତ ଚାଷୀ, ଉଭୟ ଜମି ମାଲିକ ଓ ଭାଗଚାଷୀ ଉପକୃତ ହେବେ ।

କାଳିଆ ଯୋଜନାରେ ଚାଷୀଙ୍କୁ ବାର୍ଷିକ 10 ହଜାର ଟଙ୍କା ସହାୟତା ସାଙ୍ଗକୁ 2 ଲକ୍ଷ ଟଙ୍କାର ଜୀବନ ବୀମା ଏବଂ ସମାନ ପରିମାଣର ଦୁର୍ଘଟଣା ବୀମା ରାଜ୍ୟର 57 ଲକ୍ଷ ଚାଷୀ ପରିବାରକୁ ସାମିଲ କରାଯାଇଛି । ଚାଷୀଙ୍କୁ 50ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ବିନା ସୁଧରେ ଦିଆଯାଉଛି । ଏହି ଯୋଜନାରେ ଅନୁସୂଚିତ ଜାତି ଜନଜାତି ସମ୍ପ୍ରଦାୟର 10 ଲକ୍ଷ ଭୂମିହୀନ ପରିବାରକୁ ବାର୍ଷିକ 12,500 ଟଙ୍କାର ସହାୟତା ମାଛ ଚାଷ, କୁକୁଡ଼ା ଚାଷ, ଛେଳି ଚାଷ ଆଦି ଜୀବନଜୀବିକା ପାଇଁ ପ୍ରଦାନ କରାଯିବ । ଏଭଳି ବ୍ୟବସ୍ଥା କେନ୍ଦ୍ରୀୟ ଯୋଜନାରେ ନାହିଁ ।

ସେହିଭଳି କାଳିଆ ଯୋଜନାରେ ଭାଗଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇଛି, କେନ୍ଦ୍ରୀୟ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଏବାବଦରେ ନିରବ ।

କୃଷି ସମୀକ୍ଷକ ରାମନନ୍ଦିପ ସିଂହ ମନ କେନ୍ଦ୍ରର ଚାଷୀଙ୍କୁ 6ହଜାର ଟଙ୍କା ସହାୟତା ପ୍ରଦାନକୁ ଲଲିପପ ବୋଲି କହିଛନ୍ତି । କାରଣ ବାର୍ଷିକ 6 ହଜାର ଟଙ୍କା ମନେ ଦୈନିକ 16.5 ଟଙ୍କାର ସହାୟତା ଦିଆଯାଉଛି । କାଳିଆ ଯୋଜନାର ସହାୟତା କେନ୍ଦ୍ରୀୟ ସହାୟତା ଠାରୁ ଢେର ଅଧିକ ।

ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ତିନୋଟି ହିନ୍ଦୀ ଭାଷାଭାଷୀ ରାଜ୍ୟରେ ବିଜେପି ହାରିବା ପରେ ଚାଷୀଙ୍କ ପାଇଁ ଜାତୀୟ ସ୍ତରରେ ବଡ ଘୋଷଣାର ଅନୁମାନ କରାଯାଉଥିଲା । କାରଣ ଏହି ତିନୋଟି ରାଜ୍ୟରେ ପରାଜୟର ମୁଖ୍ୟ କାରଣ ଥିଲା ଚାଷୀ ଅସନ୍ତୋଷ ।

ଏଭଳି ପୂର୍ବାନୁମାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କାଳିଆ ଯୋଜନା ଘୋଷଣା କରିଥିଲେ । ଏହି ଯୋଜନାରେ କ୍ଷୁଦ୍ର, ମଧ୍ୟବିତ୍ତ, ଭୂମିହୀନ, କୃଷି ଶ୍ରମିକ ଓ ଦୁରାବସ୍ଥା ମଧ୍ୟରେ ଥିବା ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଉଛି । ଏଥିରେ 10 ଲକ୍ଷ ଚାଷୀ ପରିବାର ବାର୍ଷିକ 10 ହଜାର ଟଙ୍କା ସହାୟତା ସହିତ ଜୀବନଜୀବିକା ପାଇଁ 12,500 ଟଙ୍କା ସହାୟତା ପାଇବେ ।

କାଳିଆର ସୁବିଧା 

ଉଭୟ କେନ୍ଦ୍ରୀୟ ଯୋଜନା ଓ ତେଲେଙ୍ଗାନା ଯୋଜନା ଠାରୁ କାଳିଆ ଯୋଜନା ଢେର ଆଗରେ । କାରଣ କେନ୍ଦ୍ରୀୟ ଓ ତେଲେଙ୍ଗାନା ଯୋଜନାରେ ଜମି ଥିବା ଚାଷୀଙ୍କୁ ସହାୟତା ଦିଆଯାଉଥିବା ବେଳେ କାଳିଆରେ ଭୂମିହୀନ ଚାଷୀଙ୍କୁ ସହାୟତା ପ୍ରଦାନ ପ୍ରକ୍ରିୟାରେ ସାମିଲ କରାଯାଇଛି । ବଜେଟ ପରବର୍ତ୍ତୀ ସମୀକ୍ଷାରେ କେନ୍ଦ୍ରୀୟ ଯୋଜନା ଠାରୁ କାଳିଆ ଯୋଜନା ଆଗରେ ଓ ଲାଭଦାୟକ ବୋଲି କୁହାଯାଇଛି ।

କେନ୍ଦ୍ରୀୟ ଯୋଜନାଠାରୁ କାଳିଆ ସହାୟତା ଅଧିକ, ଏକଥା ବିଶିଷ୍ଟ ଅର୍ଥନୀତିଜ୍ଞମାନେ କହୁଛନ୍ତି । କେନ୍ଦ୍ରୀୟ ଯୋଜନା ଓ ତେଲେଙ୍ଗାନା ଯୋଜନାରେ ଭୂମିହୀନ ଓ ଭାଗଚାଷିଙ୍କୁ ସହାୟତା ଦିଆଯାଉନଥିବା ବେଳେ କାଳିଆରେ ଏହି ଦିଗକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ପୂର୍ବରୁ କହିସାରିଛନ୍ତି, କାଳିଆ ସାରା ଦେଶରେ କୃଷି କ୍ଷେତ୍ର ଓ କୃଷକଙ୍କ ପାଇଁ ମାର୍ଗଦର୍ଶକ ହେବ ।

 

Share

Leave a Reply

Your email address will not be published. Required fields are marked *

seventeen − 1 =