ଓଡିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ ଭାବେ ଗ୍ରହଣ କର

ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମାନଦଣ୍ଡରେ ସାମିଲ ହେଉ ପ୍ରାକୃତିକ ବିପର୍ଯ୍ୟୟ

କୋଇଲା ରୟାଲଟି 14ରୁ 20 ପ୍ରତିଶତକୁ ବୃଦ୍ଧି ଦାବି

ଫନୀ ପରବର୍ତ୍ତି ପୁନରୁଦ୍ଧାର ଓ ରିଲିଫ ପାଇଁ 5228 କୋଟି ଦାବି

NDRF/SDRF ନିୟମରେ ସଂଶୋଧନ କରାଯାଉ

ଭୁବନେଶ୍ବର () ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନରେ ପ୍ରାକୃତିକ ବିପର୍ଯ୍ୟୟକୁ ଏକ ମାନଦଣ୍ଡ ଭାବେ ଗ୍ରହଣ କରାଯାଉ । ଏଥିସହିତ ଏହି ମାନ୍ୟତା ପ୍ରଦାନ ନହେବା ପର୍ଯ୍ୟନ୍ତ ଓଡିଶା ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ରାଜ୍ୟକୁ ସ୍ବତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ଦେଇ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସ୍ବତନ୍ତ୍ର ରାଜ୍ୟ ଭଳି ସୁବିଧା ସୁଯୋଗ ଦିଆଯାଉ । କ୍ରମାଗତ ଭାବେ ପ୍ରାକୃତିକ ଦୁର୍ବିପାକର ଶିକାର ହେଉଥିବା ଓଡିଶା ଭଳି ଅନ୍ୟ ରାଜ୍ୟମାନେ ମଧ୍ୟ ଏହାଦ୍ବାରା ଉପକୃତ ହେବେ ବୋଲି ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ଏଭଳି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦ୍ବିତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ ପରେ ମୋଦି ଓ ନବୀନଙ୍କ ଏହା ପ୍ରଥମ ସାକ୍ଷାତ । ଏହି ଅବସରରେ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ନବୀନଙ୍କୁ କ୍ରମାଗତ ଭାବେ ପଂଚମ ଥର ପାଇଁ ଓଡିଶାର ସରକାର ଗଠନର ସୁଯୋଗ ପାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ।

ବାତ୍ୟା ଫନୀ ପରେ କେନ୍ଦ୍ର ସରକାରଙ୍କ ସାହାର୍ଯ୍ୟ, ସହାନୁଭୁତିକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ନବୀନ-ମୋଦି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ପ୍ରାକୃତିକ ବିପର୍ଯ୍ୟୟକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନର ଏକ ମାନଦଣ୍ଡ ଭାବେ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଏହା ରାଜ୍ୟଗୁଡିକର ସାମଗ୍ରିକ ବିକାଶକୁ ସହଯୋଗ କରିବ । ଓଡିଶା କେନ୍ଦ୍ରୀୟ ପ୍ରବର୍ତ୍ତିକ ଯୋଜନାରେ 90:10 ଅନୁପାତରେ କେନ୍ଦ୍ରୀୟ ସହାୟତା ପ୍ରଦାନ କରିବାକୁ ସେ ଦାବି କରିଛନ୍ତି । ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ନମିଳିବା ଯାଏ, ଓଡିଶା ପରି ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ରାଜ୍ୟଗୁଡିକୁ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସ୍ବତନ୍ତ୍ର ଫୋକସ ରାଜ୍ୟ ଭାବେ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହାଦ୍ବାରା ଭିତ୍ତିଭୂମୀର ପୁନରୁଦ୍ଧାର, ପୁନଃନିର୍ମାଣ ଓ ଜୀବନଜୀବିକାର ବିକାଶ ସହଜସାଧ୍ୟ ହେବ । ଏହାଦ୍ବାରା କେବଳ ଓଡିଶା ନୁହେଁ, ଚିରାଚରିତ ଭାବେ ପ୍ରାକୃତିକ ଦୁର୍ବିକାର ଶିକାର ହେଉଥିବା ଅନ୍ୟ ରାଜ୍ୟଗୁଡିକ ମଧ୍ୟ ଉପକୃତ ହେବେ ।

ବାତ୍ୟା ଫନୀରେ ହୋଇଥିବା କ୍ଷୟକ୍ଷତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବା ସହ ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 5 ଲକ୍ଷ ବାସଗୃହ 90:10 କେନ୍ଦ୍ରୀୟ ସହୟତା ଅନୁପାତରେ ଯୋଗାଇ ଦେବାକୁ ଦାବି କରିଛନ୍ତି । ଭୌଗଳିକ ଦୃଷ୍ଟିରୁ ଲଗାତର ଭାବେ 1900 ମସିହାରୁ 2019 ପର୍ଯ୍ୟନ୍ତ ପ୍ରାକୃତିକ ଦୁର୍ବିପାକର ଶିକାର ହେଉଛି ଓଡିଶା । ବାତ୍ୟା ବନ୍ୟା ଓ ମରୁଡି ପ୍ରତିବର୍ଷ ଲାଗି ରହିଛି । ପୂର୍ବ ଉପକୂଳ ଦେଇ ଗତି କରୁଥିବା ବାତ୍ୟା ଓ ସାମୁଦ୍ରିକ ଛଡର ମଧ୍ୟରୁ 35 ପ୍ରତିଶତ ଓଡିଶାକୁ କ୍ଷତିଗ୍ରସ୍ତ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ।

ଫନୀରେ 5.6 ଲକ୍ଷ ଘର ନଷ୍ଟ ହୋଇଥିବା ବେଳେ ଲକ୍ଷ ଲକ୍ଷ ଧରାସାୟୀ ହୋଇଛି । ବ୍ୟାପକ ଭାବେ ବିଦ୍ୟୁତ ସରବରାହ, ଯୋଗାଯୋଗ ବ୍ୟବସ୍ଥା ଭଳି ସରକାରୀ ଭତ୍ତିଭୂମୀ ନଷ୍ଟ ହୋଇଯାଇଛି । ଏଗୁଡିକର ପୁନରୁଦ୍ଧା ଓ ପୁନ-ନିର୍ମାଣ ସହ ରିଲିଫ ପାଇଁ ପ୍ରାୟ 9336 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏବାବଦରେ ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ପ୍ରାୟ 5228 କୋଟି ଟଙ୍କା ଦେବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି । ତୁରନ୍ତ ଏ ସହାୟତା ରାଶି ପ୍ରଦାନ କଲେ ପୁର୍ନନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ ।

ସେହିଭଳି ଫନୀ ବତ୍ୟାରେ ସରକାରୀ ଭିତ୍ତିଭୂମୀ ବହୁ ସଂଖ୍ୟାରେ ନଷ୍ଟ ହୋଇଛି । ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ଜୀବନଜୀବିକା ପାଇଁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି । ସରକାରୀ ଭିତ୍ତିଭୂମୀର ପୁନଃନିର୍ମାଣ ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ବିପର୍ଯ୍ୟୟ ପାଣ୍ଠିରୁ ଖର୍ଚ୍ଚ କରାଯାଇପାରିବ ନାହିଁ । ବିପର୍ଯ୍ୟୟ ପରିଚାଳନା ପାଣ୍ଠିର ଏହି ବ୍ୟବସ୍ଥାରେ ସଂଶୋଧନ ପାଇଁ ସେ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଓଡିଶା ସରକାର ଦୀର୍ଘ ଦିନ ଧରି ଦାବି କରିଆସୁଥିବା କୋଇଲା ରୟାଲଟି ସଂଶୋଧନ ପ୍ରସ୍ତାବ ମଧ୍ୟ ଉଠିଛି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ, 2012 ମେ 10 ତାରିଖରେ ଶେଷ ଥର ପାଇଁ କୋଇଲା ରୟାଲିଟି ସଂଶୋଧନ ହୋଇଥିଲା । ତାପରଠାରୁ ଆଉ ସଂଶୋଧନ ହୋଇନାହିଁ । ସମଗ୍ର ଦେଶରେ ଯେତିକି କୋଇଲା ଉତ୍ପାଦନ ହେଉଛି ତାର ଏକ ପଂଚମାଂଶ କେବଳ ଓଡିଶାରୁ ଉତ୍ତୋଳିତ ହେଉଛି । ଓଡିଶାର କୋଇଲା ଖାଦାନରୁ କୋଇଲା ଉତ୍ତୋଳନ କରି ଜାତୀୟ ସ୍ତରର କମ୍ପାନୀମାନେ ପ୍ରଚୁର ଲାଭବାନ ହେଉଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ପରିବେଶ ପ୍ରଦୁଷଣ ଏବଂ ବିସ୍ଥାପନ ସମସ୍ୟା ସୃଷ୍ଟି ହେଉଛି । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ପୁର୍ନବାସ ଓ ଥଇଥାନ ପାଇଁ ସମ୍ବଳର ଆବଶ୍ୟକତା ଥିବାରୁ କୋଇଲା ରୟାଲିଟି ସଂଶୋଧନ ପାଇଁ ଦାବି କରିଆସୁଛନ୍ତି । ତୁରନ୍ତ ବର୍ତ୍ତମାନର ରୟାଲିଟି 14ରୁ 20 ପ୍ରତିଶତକୁ ବୃଦ୍ଧି କରିବାକୁ ନବୀନ ଦାବି କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉତଥାପିତ ପ୍ରସଙ୍ଗଗୁଡିକ ଉପରେ ବିଚାର କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ସକରାତ୍ମକ ପ୍ରତିଶ୍ରୁତି ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

seven + 11 =