ଓଡ଼ିଶା ଭିତ୍ତିଭୂମୀ ଉନ୍ନୟନ ପାଣ୍ଠି ସହାୟତାରେ ୧୫୩ଟି ପ୍ରକଳ୍ପକୁ ମଂଜୁରୀ

ଭୁବନେଶ୍ବର () ଓଡ଼ିଶା ଭିତ୍ତିଭୂମୀ ଉନ୍ନୟନ ପାଣ୍ଠି (ଓ.ୟୁ.ଆଇ.ଡ଼ି.ଏଫ୍‌ ) ସହାୟତାରେ ରାଜ୍ୟର ବିଭିନ୍ନ ସହରାଞ୍ଚଳ ପାଇଁ ୧୫୩ଟି ନୂଆ ପ୍ରକଳ୍ପ ଅନୁମୋଦନ କରାଯାଇଛି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓ.ୟୁ.ଆଇ.ଡ଼ି.ଏଫ୍‌ ର ଦ୍ବାଦଶ ଟ୍ରଷ୍ଟ୍‌ ବୋର୍ଡ ବୈଠକରେ ଏହି ପ୍ରକଳ୍ପ ଗୁଡିକ ଅନୁମୋଦନ ହୋଇଛି । ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ତଥା ବୋର୍ଡର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସି.ଇ.ଓ) ଶ୍ରୀ ପ୍ରେମ କୁମାର ଝା ସହରାଞ୍ଚଳରୁ ମିଳିଥିବା ପ୍ରକଳ୍ପ ଗୁଡିକର ଆର୍ଥିକ, ପ୍ରଶାସନିକ ଏବଂ ବୈଷୟିକ ଦିଗ ସମ୍ବନ୍ଧିତ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ସହରାଞ୍ଚଳ ମାନଙ୍କ ନିମନ୍ତେ ଉତ୍ତମମାନର ରାଜସ୍ବ ବୃଦ୍ଧିକାରୀ ଭିତ୍ତିଭୂମୀ ପ୍ରକଳ୍ପ ପ୍ରସ୍ତୁତି ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଆରୋପ କରିଥିଲେ । ଏପ୍ରକାର ପ୍ରକଳ୍ପ ପ୍ରସ୍ତୁତି ନିମନ୍ତେ ସହରାଞ୍ଚଳର ଦକ୍ଷତା ବୃଦ୍ଧି ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଶ୍ରୀ ପାଢ଼ୀ ବୈଠକରେ ଉପସ୍ଥିତ ନଗର ଓ ଗୃହ ଉନ୍ନୟନ ବିଭାଗ ଶାସନ ସଚିବ ଶ୍ରୀ ଜି.ମାଥିଭାଥାନନ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଓ.ୟୁ.ଆଇ.ଡି.ଏଫ୍‌ ପାଣ୍ଠି ସହ ଅନ୍ୟାନ୍ୟ ଯୋଜନାକୁ ସଂଯୋଜିତ କରି ଆତ୍ମନିର୍ଭରଶୀଳ ପ୍ରକଳ୍ପମାନ ପ୍ରସ୍ତୁତ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଆର୍‌.ବାଲାକ୍ରିଷ୍ଣନ୍‌ ପରାମର୍ଶ ଦେଇଥିଲେ ।

ବୈଠକରେ ୩୪ଟି ସହରାଞ୍ଚଳ ଜଳାଶୟର ନବୀକରଣ କରିବା ନିମନ୍ତେ ପ୍ରକଳ୍ପ ଅନୁମୋଦିତ ହୋଇଥିଲା । ବେଲପାହାର ସହରର ୧୧ଟି, ବ୍ରଜରାଜନଗରର ୧୦ଟି, ବରଗଡର ୫ଟି, ପଦ୍ମପୁରର ୨ଟି, ସମ୍ବଲପୁରର ୩ଟି, କେନ୍ଦ୍ରାପଡାର ୧ଟି, ନୟାଗଡର ୧ଟି ଏବଂ ବ୍ରହ୍ମପୁରର ୧ଟି ଜଳାଶୟ ଏହାର ଅନ୍ତର୍ଭୁକ୍ତ । ଏହିସବୁ ପ୍ରକଳ୍ପ ନିମନ୍ତେ ସମୁଦାୟ ୮୦.୯୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସେହିପରି ବରମୁଣ୍ଡାରେ ଆନ୍ତଃ-ରାଜ୍ୟ ବସ୍‌ ଷ୍ଟାଣ୍ଡ ପାଇଁ ୧୭୪.୩୪ କୋଟି ଟଙ୍କାର ପ୍ରକଳ୍ପ, ୫ଟି ମହାନଗର ନିଗମ ପାଇଁ ୪୮.୬୩ କୋଟି ଟଙ୍କାର ଶକ୍ତି ସଂରକ୍ଷଣକାରୀ ଏଲ୍‌.ଇ.ଡି ଆଲୋକ ପ୍ରକଳ୍ପ ଏବଂ ୧୧୩ଟି ସହରାଞ୍ଚଳ ପାଇଁ ୨୨୭.୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ଗ୍ରୀନ୍‌ଫିଲଡ ଏଲ୍‌.ଇ.ଡି. ଆଲୋକିକରଣ ପ୍ରକଳ୍ପ ଆଦିକୁ ବୈଠକରେ ଅନୁମୋଦନ କରାଯାଇଥିଲା । ପ୍ରାପ୍ତ ସୂଚନାରୁ ଜଣାପଡିଛି, ଏହି ସମସ୍ତ ୧୫୩ଟି ପ୍ରକଳ୍ପ ପାଇଁ ସମୁଦାୟ ୫୩୧.୧୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏଥିରୁ ଓ.ୟୁ.ଆଇ.ଡି.ଏଫ୍‌ ୧୨୫.୮୩ କୋଟି ଟଙ୍କା ଋଣ ଏବଂ ୮୧.୮୩ କୋଟି ଟଙ୍କା ଅନୁଦାନ ଏହିପରି ସମୁଦାୟ ୨୦୭.୬୬ କୋଟି ଟଙ୍କା ଯୋଗାଇଦେବେ । ରାଜ୍ୟ ସରକାରଙ୍କ ପାଣ୍ଠି, ଜିଲ୍ଲା ଖଣିଜ ପାଣ୍ଠି ଏବଂ ଅନ୍ୟାନ୍ୟ ସମଧର୍ମୀ ଯୋଜନା ସୂତ୍ରରୁ ୨୦୯.୫୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଅବଶିଷ୍ଟ ୯୦.୬୧ କୋଟି ଟଙ୍କା ସଂପୃକ୍ତ ସହରାଞ୍ଚଳମାନେ ନିଜ ନିଜର ଅଂଶଧନ ଭାବେ ଦେବେ । ଏହିସବୁ ପ୍ରକଳ୍ପ ସହ ଅଧିକ ୯୩ଟି ଜଳାଶୟର ପୁନରୁଦ୍ଧାର ଏବଂ ମାଲକାନଗିରି, ହିଞ୍ଜିଳିକାଟୁ ଓ କେନ୍ଦୁଝର ଆଦି ସହରରେ ୩ଟି ବ୍ୟବସାୟ ପୁଞ୍ଜି ନିର୍ମାଣ ସମ୍ବନ୍ଧିତ ପ୍ରସ୍ତାବକୁ ମଧ୍ୟ ବୈଠକରେ ନିତୀଗତ ଅନୁମୋଦନ ଦିଆଯାଇଥିଲା । ଏହିସବୁ କାମ ନିମନ୍ତେ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

five × two =