ଚେନ୍ନାଇରେ ଓଡିଶା ଭବନ

ଭୁବନେଶ୍ୱର () ଚେନ୍ନାଇ ଠାରେ ନିର୍ମିତ ଓଡିଶା ଭବନକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିଛନ୍ତି । ତାମ୍ବ୍ରମ-ଭେଲାଚେରୀ ରାଜପଥ ନିକଟରେ ନିର୍ମିତ ଏହି ଭବନଟି ରାଜ୍ୟ ବାହାରେ ରାଜ୍ୟ ସରକାରଙ୍କର ଷଷ୍ଠ ଭବନର ମାନ୍ୟତା ପାଇଛି ।

ଉଦଘାଟନୀ ଉତ୍ସବରେ ତାମିଲନାଡୁ ସରକାରଙ୍କ ପ୍ରତିନିଧି ଭାବେ ମନ୍ତ୍ରୀ ଜୟକୁମାର ଯୋଗ ଦେଇଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ପ୍ରତାପ ଜେନା, ଶିଳ୍ପମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ ଓ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଓ ତାମିଲନାଡୁ ମଧ୍ୟରେ ଥିବା ସମ୍ପର୍କକୁ ଏହା ଆହୁରି ଦୃଢ଼ୀଭୂତ କରିବା ସହ ରାଜ୍ୟର କଳା, ସଂସ୍କୃତି, ହସ୍ତଶିଳ୍ପକୁ ଅଧିକ ପରିବ୍ୟାପ୍ତ କରିବ । ଓଡ଼ିଶା ଭବନ ନିର୍ମାଣରେ ତାମିଲନାଡୁଙ୍କ ସରକାରଙ୍କ ସହଯୋଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।

ଚେନ୍ନାଇଠାରେ ନିର୍ମାଣ ହୋଇଥିବା ଓଡିଶା ଭବନରେ ୧୬ଟି ଦୁଇ ଶଯ୍ୟା ବିଶିଷ୍ଟ କୋଠରୀ ଓ ୫ଟି ସୁଟ୍‍ ସମେତ ଏଥିପାଇଁ ୨୨କୋଟି ଟଙ୍କା ବ୍ୟୟ ହୋଇଛି । ଏଥି ସହିତ ୩୦୦ରୁ ଅଧିକ ଲୋକ ବସିପାରିବା ଭଳି ପ୍ରେକ୍ଷାଳୟ ନିର୍ମାଣ ହୋଇଛି ଯେଉଁଥିରେ ବିଭିନ୍ନ ସଭା ସମିତି ହୋଇପାରିବ ।

୨୦୧୨ ମସିହା ମଇ ୧୧ ତାରିଖରେ ଏହି ଭବନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉପସ୍ଥିତିରେ ତତ୍‍କାଳୀନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ ଜୟଲଳିଥା ଶିଳାନ୍ୟାସ କରିଥିଲେ । ଏହି ଭବନ ନିର୍ମାଣ ପାଇଁ ତାମିଲନାଡୁ ସରକାର ୧୧,୮୪୦ ବର୍ଗଫୁଟ ଜମି ଯୋଗାଇ ଦେଇଛନ୍ତି ।

ଓଡିଶା ସରକାରଙ୍କର ନୂଆଦିଲ୍ଲୀ ଠାରେ ଓଡିଶା ଭବନ, ଓଡିଶା ନିବାସ ଓ ଓଡିଶା ସଦନ ନାଁରେ ୩ଟି ଭବନ ଥିବାବେଳେ କୋଲକତାରେ ଉତ୍କଳ ଭବନ ଓ ମୁମ୍ବାଇର ଭାସି ଠାରେ ଆଉ ଗୋଟିଏ ଓଡିଶା ଭବନ ରହିଛି । ଚେନ୍ନାଇ ଠାରେ ନିର୍ମାଣ ହୋଇଥିବା ଓଡିଶା ଭବନଟି ବିମାନବନ୍ଦର ଠାରୁ ୯ କିଲୋମିଟର ଓ ରେଳଷ୍ଟେସନ ଠାରୁ ୮ କିଲୋମିଟର ଦୂରରେ ଅବସ୍ଥିତ ।  

Share

Leave a Reply

Your email address will not be published. Required fields are marked *

18 − six =