ପ୍ରତିଶୃତି ରଖିଲେ ନବୀନ, ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଆସିଲା ଅଧ୍ୟାଦେଶ

ଭୁବନେଶ୍ବର () ଲିଙ୍ଗରାଜ ମହାପ୍ରଭୁଙ୍କ ସେବା, ସେବାୟତ ଓ ସମ୍ପତ୍ତିର ସୁରକ୍ଷା ପାଇଁ ଐତିହାସିକ ନିଷ୍ପତ୍ତି । ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ । ଏ ସମ୍ପର୍କିତ ଅଧ୍ୟାଦେଶକୁ ସୋମବାର ରାଜ୍ୟ କ୍ୟାବିନେଟ ମଂଜୁରୀ ଦେଇଛି । ଶ୍ରୀମନ୍ଦିର ଢାଞ୍ଚାରେ ରହିବେ ସ୍ବତନ୍ତ୍ର ପ୍ରଶାସକ । ସେବାୟତଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକଲେ ମୁଖ୍ୟମନ୍ତ୍ରୀ ।

ଶ୍ରୀ ଲିଙ୍ଗରାଜ ମନ୍ଦିର ହିନ୍ଦୁ ଦେବୋତ୍ତର ଆଇନ ଦ୍ବାରା ପରିଚାଳିତ ହେଉଥିଲା । ଏବେ ଏକାଦଶ ଶତାବ୍ଦୀର ଏହି ମନ୍ଦିର ପାଇଁ ଗଠନ ହେଲା ସ୍ବତନ୍ତ୍ର ଆଇନ । ସୋମବାର ରାଜ୍ୟ କ୍ୟାବିନେଟରେ ଏ ସମ୍ପର୍କିତ ଅଧ୍ୟାଦେଶକୁ ମଂଜୁରୀ ଦେଇଛି । ତଦନୁଯାୟୀ ଏଣିକି ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ନିଯୁକ୍ତ ହେବେ ଜଣେ ପ୍ରଶାସକ । ପରିଚାଳନା କମିଟିରେ ରହିବେ ୧୫ଜଣ ସଦସ୍ୟ । କମିଟି ମନ୍ଦିରର ଦୈନନ୍ଦିନ ସେବା ନୀତିର ତତ୍ବାବଧାନ କରିବ । ଏଥିସହି ଏହାର ସମ୍ପତ୍ତି ଓ ପରିସର ମଧ୍ୟରେ ଓ ବାହାରେ ଥିବା ଅନ୍ୟ ମନ୍ଦିର, ପବିତ୍ର ସ୍ଥାନ ଓ ମଠ ସମ୍ପର୍କିତ ବ୍ୟାପାରଗୁଡିକର ସୁପରିଚାଳନା ଓ ସୁଶାସନକୁ ସୁନିଶ୍ଚିତ କରିବ ।

ଗତ ଡିସେମ୍ବର ୨ ତାରିଖରେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିରର ରୁପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହିଅବସରରେ ସେ ଲିଙ୍ଗରାଜ ମନ୍ଦିରର ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଆଇନ ପାଇଁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସ୍ବତନ୍ତ୍ର ଆଇନ ଆଣିବାକୁ କଥା ଦେଇଥିଲେ । ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତିକୁ ମାତ୍ର ୧୨ ଦିନରେ ପୂରଣ କରିଛନ୍ତି । ଏହି ଆଇନ ଦ୍ବାରା ସେବାୟତଙ୍କ ବିକାଶ ଓ ସେମାନଙ୍କ ଅଧିକାରକୁ ସୁନିଶ୍ଚିତ କରିବେ ସରକାର । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସେବାୟତ ଓ ସ୍ଥାନୀୟ ଲୋକପ୍ରତିନିଧି ସ୍ବାଗତ କରିଛନ୍ତି ।

ଶ୍ରୀଲିଙ୍ଗରାଜ ପରିଚାଳନା କମିଟି ମନ୍ଦିରର ପରିଚାଳନା ସହ ଏହାର ସର୍ବାଙ୍ଗୀନ ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନେବ । ଏକାଦଶ ଶତାବ୍ଦୀର ଏହି ମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଅଧିକ ପ୍ରଭାବୀ ହେବ ବୋଲି ଆଶା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

3 × three =