ଜଗା ଦର୍ଶନ ପାଇଁ କୋଭିଡ ନେଗେଟିଭ ପ୍ରମାଣପତ୍ର

ପୁରୀ () ଜଗା ଦର୍ଶନରୁ ଆଉ ନିରାଶ ହେବେନି ଭକ୍ତ । ନୂଆବର୍ଷ ପୂର୍ବରୁ ଅର୍ଥାତ ଡିସେମ୍ବର ୨୩ ତାରିଖରୁ ଖୋଲିଯିବ ଶ୍ରୀମନ୍ଦିର । ରାଜ୍ୟ ସରକାରଙ୍କୁ ଏଭଳି ସୁପାରିଶ କରିଛି ଛତିଶା ନିଯୋଗ । ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ଆଲୋଚନା ହେବା ପରେ ସର୍ବସମ୍ମତି କ୍ରମେ ସରକାରଙ୍କୁ ଏମିତି ସୁପାରିଶ କରିବାକୁ ନିଷ୍ପତ୍ତି ହୋଇଛି ।

ତେବେ ପ୍ରଥମେ ସେବାୟତଙ୍କ ପରିବାର ଓ ପୁରୀବାସୀକୁ ମିଳିବ ଦର୍ଶନ ସୁଯୋଗ । ଦୈନିକ ୫ହଜାର ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ । ସ୍ଥିତି ଦେଖି ପ୍ରତି ସପ୍ତାହରେ ସଂଖ୍ୟା ବୃଦ୍ଧି କରାଯିବ । ଯଦିଓ ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବ, ଜାନୁଆରୀ ୧ ଓ ୨ ତାରିଖ ବନ୍ଦ ରହିବ ଦର୍ଶନ । ଜାନୁଆରୀ ୩ ତାରିଖଠାରୁ ଜିଲ୍ଲା ବାହାର ଭକ୍ତ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବା ପରେ ଦର୍ଶନ ଅନୁମତି ପାଇବେ। ଛତିଶା ନିଯୋଗ ବୈଠକରେ ଏସଂପର୍କିତ ପ୍ରସ୍ତାବ ପାରିତ ହୋଇଛି ।

କୋଭିଡ୍ କଟକଣା ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଜାରି ହେବ ଏସ୍‌ଓପି । ଶ୍ରୀମନ୍ଦିର କର୍ମଚାରୀମାନଙ୍କୁ ପରିଚୟ ପତ୍ର ବାଧ୍ୟତାମୂଳକ କରାଯିବ। ଭକ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ୪ ଦ୍ୱାରରେ ସାନିଟାଇଜିଂ ବ୍ୟବସ୍ଥା ହେବା ସହ ଶ୍ରୀମନ୍ଦିର ଭିତରେ ସାମାଜିକ ଦୂରତାକୁ ସୁନିଶ୍ଚିତ କରାଯିବ। ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦର୍ଶନ ପାଇଁ ଅପେକ୍ଷା କରିବାକୁ କୁହାଯିବ । ୧୦ବର୍ଷରୁ କମ୍ ପିଲାଙ୍କୁ ମଧ୍ୟ ପ୍ରଭୁଙ୍କ ଦର୍ଶନ ପାଇଁ ବାରଣ କରାଯିବ । ଏଥିସହିତ କୋଭିଡ ନେଗେଟିଭ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯିବ । ଭକ୍ତଙ୍କୁ ୪୮ ଘଣ୍ଟା ମଧ୍ୟରେ ହୋଇଥିବା ଆରଟିପିସିଆର ବା ରାପିଡ ଟେଷ୍ଟ ପ୍ରମାଣପତ୍ର ଦେଖାଇବାକୁ ପଡିବ । ଭକ୍ତମାନେ ମନ୍ଦିର ମଧ୍ୟକୁ ଦୀପ କିମ୍ବା ଫୁଲ ନେଇ ଯାଇପାରିବେ ନାହିଁ । ମନ୍ଦିର ଭିତରେ ଓ ବାହାରେ ଧାଡି ବ୍ୟବସ୍ଥା ମଧ୍ୟ କରାଯିବ ।

ମହାମାରୀ ଠିଆ କରିଛି ଶ୍ରୀଜିଉ ଓ ଭକ୍ତଙ୍କ ମଧ୍ୟରେ ଅଦେଖା ପାଚେରି । ଦୀର୍ଘ ୯ମାସ ହେଲା ଜଗାକୁ ନଦେଖି ଉଚ୍ଛନ୍ନ ଭକ୍ତ ମନ । ପତିତପାବନଙ୍କୁ ଦର୍ଶନ କରୁଛନ୍ତି, ହେଲେ ମନ ମାନୁନି । କେବେ ଚକାଡୋଳାର ଦର୍ଶନ ମିଳିବ ତାକୁ ଅପେକ୍ଷା।

Share

Leave a Reply

Your email address will not be published. Required fields are marked *

seventeen − 13 =