ଚିଠା ଶିକ୍ଷା ନୀତିରେ 6ଟି ସଂଶୋଧନ ପ୍ରସ୍ତାବ ଦେଲା ଓଡିଶା

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କମିଶନରେ ସଦସ୍ୟ ଭାବେ ଗ୍ରହଣ କରାଯାଉ

ଅତିରକ୍ତ ବ୍ୟୟ ଭାରକୁ କେନ୍ଦ୍ର ସରକାର ବହନ କରନ୍ତୁ

ନୂଆଦିଲ୍ଲୀ () ଚିଠା ଜାତୀୟ ଶିକ୍ଷା ନୀତିକୁ ନେଇ ଦିଲ୍ଲୀରେ ଚାଲିଥିବା ମାନସ ମନ୍ଥନରେ ରାଜ୍ୟ ତରଫରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ପ୍ରସ୍ତାବିତ ନୀତିରେ କେତେକ ସଂଶୋଧନ ପ୍ରସ୍ତାବ ଦେଇଛନ୍ତି । ଚିଠା ନୀତିରେ ରହିଥିବା ପ୍ରସ୍ତାବକୁ ରାଜ୍ୟ ସରକାର ସ୍ବାଗତ କରିଥିବା ବେଳେ କେତେକ ବୈଷୟିକ ଦିଗ ପ୍ରତି ଧ୍ୟାନ ଦେଇ କେତେକ ସଂଶୋଧନ ପାଇଁ ସୁପାରିଶ  କରାଯାଇଛି ।

ଚିଠା ନୀତିରେ ଗ୍ରସ ଏନରୋଲମେଣ୍ଟ ରେସିଓକୁ ବର୍ତ୍ତମାନର 27 ପ୍ରତିଶତରୁ 50 ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ଏହି ଲକ୍ଷ୍ୟ କିଭଳି ପୂରଣ ହେବ ସେନେଇ କିଛି କୁହାଯାଇନି । ଧନ୍ଦାମୂଳକ ଶିକ୍ଷାର ବ୍ୟାପକତା ଅନ୍ୟତମ ଦିଗ ହୋଇପାରେ । କିନ୍ତୁ ଗ୍ରସ ଏନରୋଲମେଣ୍ଟ ବୃଦ୍ଧି କରିବାକୁ ଯାଇ ଶିକ୍ଷାର ମାନକୁ ପ୍ରଭାବିତ କରିବା ଗ୍ରହଣୀୟ ନୁହେଁ ବୋଲି ସେ ପ୍ରସ୍ତାବ ଦେଇଛନ୍ତି । ଚିଠା ନୀତିରେ ସବୁ ଉଚ୍ଚଶିକ୍ଷା ଅନୁଷ୍ଠାନକୁ ଏକକ କିମ୍ବା ସ୍ବୟଂଶାସିତ ବିଶ୍ବବିଦ୍ୟାଳୟର ମାନ୍ୟତା ଦେବାକୁ ପ୍ରସ୍ତାବ ଦିଆଯାଇଛି । କିନ୍ତୁ ଏହାଦ୍ବାରା ଉଚ୍ଚଶିକ୍ଷାର ମାନ ପ୍ରବାବିତ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଆଶଙ୍କା ପ୍ରକାଶ କରିଛନ୍ତି । ବରଂ ବର୍ତ୍ତମାନ ପ୍ରଚଳିତ ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧନ ମାନ୍ୟତା ପ୍ରଦାନ ପ୍ରକ୍ରିୟା ଜାରି ରଖାଯିବା ଉଚିତ । ଅଧିକ ବିଶ୍ବିବିଦ୍ୟାଳୟ ଖୋଲି ପ୍ରତି ବିଶ୍ବବିଦ୍ୟାଳୟ ଅଧିନରେ ସର୍ବାଧିକ 50ଟି ଶିକ୍ଷାନୁଷ୍ଠାନ ରଖାଯିବା ସହ ସେମାନଙ୍କୁ ଶିକ୍ଷାର ମାନ ନେଇ ଉତ୍ତରଦାୟୀ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଚିଠା ନୀତିରେ 2030 ସୁଦ୍ଧା ସବୁ ଉଚ୍ଚଶିକ୍ଷା ଅନୁଷ୍ଠାନକୁ ବହୁମୁଖୀ ଶୃଙ୍ଖଳା ଅନୁଷ୍ଠାନରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଡକ୍ଟର ସାହୁଙ୍କ ମତରେ ଇତିହାସ, ପରିବେଶ ଓ ସାହିତ୍ୟ ଭଳି ବିଷୟ ସବୁ ଉଚ୍ଚଶିକ୍ଷା ଅନୁଷ୍ଠାନରେ ପଢାଇଯାଇପାରିବ, କିନ୍ତୁ ଆଇନ କଲେଜରେ ଫାର୍ମାସି ପାଠ ପଢାନଯାଉ ବୋଲି ସେ କହିଛନ୍ତି । ଯେହେତୁ 93 ପ୍ରତିଶତ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟରେ ପଢୁଛନ୍ତି, ଏନଆରଏଫ ପାଣ୍ଠିର ଅନ୍ୟୁତ 50 ପ୍ରତିଶତ ଅର୍ଥ ବିଶ୍ବବିଦ୍ୟାଳୟମାନଙ୍କୁ ଉପଲବ୍ଧ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସେହିଭଳି ଚିଠା ନୀତି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାତୀୟ ଶିକ୍ଷା କମିଶନ ଗଠନ କରିବାକୁ ପ୍ରସ୍ତାବ ଦେଇଛି । ଏଥିରେ ସବୁ ରାଜ୍ୟର ପ୍ରତିନିଧିତ୍ବ ନାହିଁ, ଅଳ୍ପ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସଦସ୍ୟ ଭାବେ ପ୍ରତିନିଧିତ୍ବ କରିବେ । ରାଜ୍ୟମାନେ ଉଚ୍ଚଶିକ୍ଷାର ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଥିବାରୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଏହି ସର୍ବୋଚ୍ଚ କମିଟିରେ ସଦସ୍ୟ ଭାବେ ଗ୍ରହଣ କରିବାକୁ ଡକ୍ଟର ସାହୁ ପ୍ରସ୍ତାବ ଦେଇଛନ୍ତି ।

ଏହାଭିନ୍ନ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଜ୍ୟ ଉପରେ ପଡିବାକୁ ଥିବା ଅତିରିକ୍ତ ଆର୍ଥିକ ବୋଝ । ବର୍ତ୍ତମାନ ଓଡିଶା ଶିକ୍ଷାରେ ମୋଟ ବଜେଟରୁ 17ରୁ 18 ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଛି । ସବୁ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଉଚ୍ଚଶିକ୍ଷା ବଜେଟର ଆକାର ଆହୁରି ବୃଦ୍ଧି ହେବ । ଏହାଦ୍ବାରା ଅନ୍ୟ ବିକାଶମୂଳକ ଯୋଜନା ପାଇଁ ବ୍ୟୟ ବରାଦ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହିଦୃଷ୍ଟିରୁ ପ୍ରସ୍ତାବିତ ଶିକ୍ଷା ନୀତି ଲାଗୁ କରାଗଲେ ରାଜ୍ୟମାନଙ୍କ ଉପରେ ପଡିବାକୁ ଥିବା ଅତିରିକ୍ତ ବୋଝକୁ କେନ୍ଦ୍ର ସରକାର ବହନ କରିବା ଉଚିତ ବୋଲି ସେ ପ୍ରସ୍ତାବ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty + ten =