ନବୀନଙ୍କ ଉପରେ ଲୋକଙ୍କ ଭରସା

ଭୁବନେଶ୍ୱର : କରୋନା ଭଳି ବିପର୍ଯ୍ୟୟକୁ ମୁକାବିଲା କରିବାପାଇଁ ସବୁଠାରୁ ବଡ ଆବଶ୍ୟକତା ହେଉଛି ଅର୍ଥ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଏବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯେଭଳି ଭାବେ ଅର୍ଥର ସୁଅ ଛୁଟୁଛି ତାହା ଦେଖିଲାପରେ କରୋନା ଯୁଦ୍ଧରେ ସାମିଲ ଅନେକଙ୍କ ମନୋବଳ ବୃଦ୍ଧି ପାଇବାରେ ଲାଗିଛି । ଉପକୂଳ ରାଜ୍ୟ ଓଡିଶାର ଚିର ସହଚର ହେଉଛି ପ୍ରାକୃତିକ ବିପର୍ଯ୍ୟୟ । ତେବେ ମହାବାତ୍ୟା ଠାରୁ ଫନି ପର୍ଯ୍ୟନ୍ତ ସବୁ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଏଥର କିନ୍ତୁ ଏକ ନୂଆ ବିପର୍ଯ୍ୟୟକୁ ସାମ୍ନା କରୁଛି । ଆଉ ଏହି ବିପର୍ଯ୍ୟୟ କେତେଦିନ ପର୍ଯ୍ୟନ୍ତ ରାଜ୍ୟରେ ତାହାର କାୟା ବିସ୍ତାର କରିବ ତାହାର କୌଣସି ନିର୍ଦ୍ଧିଷ୍ଟ ସମୟସୀମା ନାହିଁ । ତେଣୁ କରୋନା ବିପର୍ଯ୍ୟୟ କବଳରୁ ଓଡିଶାବାସୀଙ୍କୁ ରକ୍ଷା କରିବାକୁ ହେଲେ ବିପୁଳ ପରିମାଣର ଅର୍ଥ ଆବଶ୍ୟକା ଏ ନେଇ ଖୋଦ୍‍ ମୁଖ୍ୟମନ୍ତ୍ରୀ କହିବାପରେ ଏବେ ରିଲିଫ ପାଣ୍ଠିକୁ ଅର୍ଥର ସୁଅ ଛୁଟିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ପ୍ରଥମେ ନିଜର ୩ମାସର ଦରମା କରୋନା ମୁକାବିଲାପାଇଁ ଦାନ କରିବାପରେ ସରକାରୀ ଦଳର ସମସ୍ତ ବିଧାୟକ, ମନ୍ତ୍ରୀ , ସାଂସଦଙ୍କ ସମେତ ବିରୋଧିଦଳ ବିଧାୟକ ଓ ସାଂସଦମାନେ ମଧ୍ୟ ସେମାନଙ୍କ ଦରମା ଦାନ କରିବାରେ ଲାଗିଛନ୍ତିା ନୀବନଙ୍କ ଆହ୍ୱାନରେ ଏବେ ସମାଜର ସବୁ ସ୍ତରର ଲୋକେ ସହାୟତାର ହାତ ବଢାଇଛନ୍ତି ।

 ସରକାରୀକର୍ମଚାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କର୍ମଚାରୀ ସଂଘ, କଳାକାର ଓ ସାଧାରଣ ଲୋକେ ବି ସେମାନଙ୍କ କଷ୍ଟାର୍ଜିତ ଧନରୁ କିଛି ପରିମାଣରେ କରୋନା ମୁକାବିଲା ଲାଗି ଦେବାରେ ଲାଗିଛନ୍ତି । ଏପରିକି ଯେଉଁମାନେ ଏବେ କ୍ଷମତାବଳୟରୁ ବାହାରେ ରହିଛନ୍ତି ସେମାନେ ବି ମୋଟା ଅଙ୍କର ଅର୍ଥ ଦାନ କରୁଛନ୍ତି । ପ୍ରଦେଶ କଂଗ୍ରେସ ସଭାପତିଙ୍କ ଠାରୁ ଆରମ୍ଭ କରି ଯାତ୍ରା ନାୟିକା ରାଣୀ ପଣ୍ଡାଙ୍କ ପର୍ଯ୍ୟନ୍ତ ସମସ୍ତେ ହାତଖୋଲି

ଦାନ କରୁଛନ୍ତି । ତେବେ ଏଭଳି ଅର୍ଥ ଆସିବାର ଗୋଟିଏ କାରଣ ହେଲା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉପରେ ଲୋକଙ୍କ ଭରସା । ଲୋକେ ଜାଣିଛନ୍ତି ସେମାନଙ୍କ ଅର୍ଥ କେବେ ହେଲେ ପାଣିରେ ପଡିବ ନାହିଁ । ଠିକଣା ବାଟରେ ବ୍ୟୟ ହେବ । ଲୋକଙ୍କ କାମରେ ଲାଗିବ । ତେଣୁ ଅର୍ଥ ଦେବାପାଇଁ ସେମାନେ କୁଣ୍ଠାବୋଧ କରୁନାହାନ୍ତି ।

 କେବଳକରୋନା ନୁହେଁ ଯେତେବେଳେ ବି ମୁଖ୍ୟମନ୍ତ୍ରୀ ତାଙ୍କର ରାଜ୍ୟବାସୀଙ୍କ ନିକଟରୁ ସହଯୋଗ ଲୋଡିଛନ୍ତି ଲୋକେ ତାଙ୍କୁ ବିନା କୌଣସି ପ୍ରଶ୍ନରେ ଅର୍ଥ ଦେବାକୁ ପଛାଇ ନାହାନ୍ତି । ବର୍ତ୍ତମାନ କରୋନା ଭଳି ବିପର୍ଯ୍ୟୟ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯେଭଳି ଭାବେ ରାଜ୍ୟର ଗରିବ ଓ ନିରାଶ୍ରୟଙ୍କ ନିକଟରେ ଦୃଢତାର ସହ ଛିଡା ହୋଇଛନ୍ତି ଲୋକେ ବି ସେହିଭଳି ତାଙ୍କର ହାତ ମୁଠାକୁ ଟାଣ କରିଛନ୍ତି । ଯେଉଁ ହାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ଆସିବାପରେ ଲାଗିଛି ଆଗାମୀ ଦିନରେ ତାହା ବହୁଗୁଣିତ ହେବ ଏବଂ କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ସେଭଳି ଆର୍ଥିକ ସମସ୍ୟା ରହିବନାହିଁ ବୋଲି ଏହି ମୁକାବିଲା ସହ ଜଡିତ ଅଧିକାରୀମାନେ ମତ ଦେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

17 − two =