ବାଲେଶ୍ବର ଓ ତିର୍ତ୍ତୋଲରେ କିଏ ମାରିବ ବାଜି, କେତେ ରହିବ ଭୋଟ ବ୍ୟବଧାନ?

ଭୁବନେଶ୍ବର () ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନରେ ପାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ ହୋଇଛି । ହେଲେ ମତଦାନ ପରେ ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଛି ମିଶାଣ ଫେଡାଣ । କିଏ କେତେ ପାଇବ ଓ କିଏ କେତେ ଭୋଟରେ ଜିତିବ, ଏନେଇ ବିଭିନ୍ନ ସ୍ତରରେ ଚାଲିଛି ତର୍ଜମା । ତେବେ ତୃଣମୂଳ ସ୍ତରର ସ୍ଥିତି ଓ ରାଜୈତିକ ପଣ୍ଡିତଙ୍କ ଆକଳନ କହୁଛି ଦୁଇଟି ଯାକ ଆସନ ବିଜେଡି ଦଖଲକୁ ଯିବ ।

୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଉପନିର୍ବାଚନରେ ଭୋଟ ହାର କମିଛି । କମିବା ସ୍ବାଭାବିକ ମଧ୍ୟ । କାରଣ କରୋନା ସଂକ୍ରମଣ ଆଶଙ୍କା ରହିଥିଲା । ବିଜେଡିର ଆକଳନ କହୁଛି ତିର୍ତ୍ତୋଲରେ ଦଳ ୫୦ ହଜାର ଭୋଟ ବ୍ୟବଧାନରେ ଜିତିବ ଆଉ ବାଲେଶ୍ବରରେ ସର୍ବନିମ୍ନ ୨୫ ହଜାର ଭୋଟ ବ୍ୟବଧାନ ରଖିବ । ସାଂପ୍ରତିକ ରାଜନୈତିକ ସମୀକରଣ ମଧ୍ୟ ଶାସକ ଦଳ ସପକ୍ଷରେ ଯାଉଛି । ତେବେ ପ୍ରଶ୍ନ ଉଠୁଛି କାହିଁକି ରାଜନୈତିକ ସମୀକରଣ ବିଜେପି କିମ୍ବା କଂଗ୍ରେସ ସପକ୍ଷରେ ଯାଉନି?

ଗତ ସାଧାରଣ ନିର୍ବାଚନରେ ବାଲେଶ୍ବରରେ କଂଗ୍ରେସ ପ୍ରାର୍ଥୀ ୧୯ହଜାର ୭୦୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ଏଥର କିନ୍ତୁ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିବା ସମୀକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଛି । କଂଗ୍ରେସରେ ମଧ୍ୟ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନିପତି ପୂରା ଦମ ଲଗାଇ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପାଇଁ ପ୍ରଚାର କରିଥିଲେ । କିନ୍ତୁ ପିସିସି ସଭାପତି ଓ ତାଙ୍କ ଟିମ ସହଯୋଗର ହାତ ବଢାଇନଥିଲେ । ଫଳସ୍ବରୂପ ମମତା ଗତ ନିର୍ବାଚନରେ କଂଗ୍ରେସ ଯେତିକି ଭୋଟ ପାଇଥିଲେ ସେତିକି ଭୋଟ ପାଇବା ନେଇ ମଧ୍ୟ ସନ୍ଦେହ ଦେଖାଦେଇଛି । ସେହିଭଳି ବିଜେପି ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଥିଲେ ବି ଦଳର ଶୀର୍ଷ ନେତାଙ୍କ ମଧ୍ୟରେ ବୁଝାମଣାର ଅଭାବ ଯୋଗୁଁ ମାନସ ବ୍ୟାକଫୁଟରେ ରହିଛନ୍ତି । ଏପିରିକି ତୃଣମୂଳ ସ୍ତରରେ ଦଳ ପକ୍ଷରୁ ଏଜେଣ୍ଟ ମଧ୍ୟ ଯୋଗାଡ କରାଯାଇପାରିନଥିବା କିଛି ସ୍ଥାନୀୟ ଲୋକେ କହୁଛନ୍ତି ।

ବାଲେଶ୍ବର ପରି ତିର୍ତ୍ତୋଲରେ ମଧ୍ୟ କଂଗ୍ରେସ ଓ ବିଜେପି ଉଭୟ ପ୍ରାର୍ଥୀ ପରିବର୍ତ୍ତନ କରିବା ଦୁଇ ଦଳ ପାଇଁ ବୁମେରାଂ ହୋଇଛି । ଯଦିଓ ନୂଆ ଷ୍ଟ୍ରାଟେଜିରେ କଂଗ୍ରେସ ଜଣେ ଉଚ୍ଚଶିକ୍ଷିତ ଓ ଯୁବ ନେତାଙ୍କୁ ପ୍ରାର୍ଥୀ କରିଥିଲେ, ଏହାଦ୍ବାରା କଂଗ୍ରେସର ଭୋଟ ବିଭାଜିତ ହୋଇଥିବା ଆକଳନ କରାଯାଉଛି । ତିର୍ତ୍ତୋଲରୁ ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସାଦ ମଲ୍ଲିକ ୨୩ହଜାର ୮୦୯ ଖଣ୍ଡ ଭୋଟ ପାଇଥିଲେ । ରାଜନୀତିରେ ସମ୍ପୁର୍ଣ୍ଣ ନୂଆ ହିମାଂଶୁ ଭୁଷଣ ମଲ୍ଲିକ କଂଗ୍ରେସର ୧୩ ପ୍ରତିଶତ ଭୋଟ ରକ୍ଷା କରିପାରିବା ନେଇ ସନ୍ଦେହ ରହିଛି । ଏଥିସହିତ ପୁଣି ତିର୍ତ୍ତୋଲରେ କଂଗ୍ରେସର ଭାଗ୍ୟ ଦୁଇ ବିଶ୍ବାଳ ଭାଇଙ୍କ ଉପରେ ନିର୍ଭର କରୁଛି । ଯଦିଓ କଂଗ୍ରେସ ବିଜୟ ସ୍ଥିତିରେ କେବେ ବି ନଥିଲା, ବିଜେଡିର ଭୋଟ ବ୍ୟବଧାନ ବିଶ୍ବାଳ ଭାଇଙ୍କ ଭୂମୀକା ଉପରେ ନିର୍ଭର କରୁଛି । ୨୦୧୪ରେ ରାଜକିଶୋର ବେହେରା କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । ତାଙ୍କ ବିଶ୍ବାଳ ପରିବାର ସହ ମଧ୍ୟ ଭଲ ସମ୍ପର୍କ । ତେବେ କେଉଁ କାରଣରୁ ସେ ବିଜେପିରୁ ଲଢୁଛନ୍ତି, ଏପ୍ରଶ୍ନର ଉତ୍ତର ରାଜନୀତିରେ ରୁଚୀ ରଖୁଥିବା ଲୋକେ ଫଳାଫଳ ପରେ ପାଇପାରିବେ । କିନ୍ତୁ ଏହି ସମୀକରଣର ପ୍ରଭାବ ବିଜେଡିର ବିଜୟ ମାର୍ଜିନ ଉପରେ ପକାଇବ ।

ସମୀକ୍ଷକଙ୍କ ଆକଳନ କହୁଛି ବିଜେଡି ୨୦୧୯ରେ ବାଲେଶ୍ବରରେ ୩୮.୭୯ ପ୍ରତିଶତ ଭୋଟ ପାଇଥିବା ବେଳେ ଏଥର ୪୫ ପ୍ରତିଶତ ଭୋଟ ପାଇବ । ବିଜେପିର ଭୋଟ ହାର ୨୦୧୯ର ୪୭.୨୬ ପ୍ରତିଶତରୁ ୪୦ ପ୍ରତିଶତକୁ ହ୍ରାସ ପାଇବ । କଂଗ୍ରେସର ଭୋଟ ହାର ମଧ୍ୟ ୨ରୁ ୩ ପ୍ରତିଶତ କମିବ । ତିର୍ତ୍ତୋଲରେ ମଧ୍ୟ ବିଜେଡି ଗତ ଥର ଭଳି ୫୫ରୁ ୫୬ ପ୍ରତିଶତ ଭୋଟ ପାଇବାର ସମ୍ଭାବନା ରହିଛି । ବିଜେପିର ଭୋଟ ୩୦.୯ରୁ ୨୭-୨୮ ପ୍ରତିଶତକୁ ଏବଂ କଂଗ୍ରେସ ଭୋଟ ହାର ୧୩.୭୩ରୁ ୧୧ ପ୍ରତିଶତକୁ ଖସିବ ବୋଲି ଆକଳନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

sixteen − 13 =