ଶୁଣିଲେନି ମୋଦି : ଅନଶନ ଭାଙ୍ଗିଲେ ମୁକ୍ତିକାନ୍ତ

ଭୁବନେଶ୍ବର (): ରାଉରକେଲାର ସ୍ବାର୍ଥ ପାଇଁ ଦିଲ୍ଲୀରେ ଲଢେଇ କରୁଥିବା ମୁକ୍ତିକାନ୍ତ ବିଶ୍ବାଳ ଶେଷରେ ନିଜ ଅନଶନ ଭାଙ୍ଗିଛନ୍ତି । ଆଧ୍ୟାତ୍ମକ ଗୁରୁ ବାବା ବଳିଆ ମୁକ୍ତିକାନ୍ତଙ୍କୁ ରସଗୋଲା ଖୁଆଇ ଅନଶନ ଭଙ୍ଗ କରାଇଥିଲେ । ରବିବାରଠାରୁ ମୁକ୍ତିକାନ୍ତ ଦିଲ୍ଲୀ ଯନ୍ତରମନ୍ତରରେ ଅନଶନରେ ବସିଥିଲେ । ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୁକ୍ତିକାନ୍ତ କହିଛନ୍ତି, ଯେ ତିନିଦିନର ଅନଶନରେ ତାଙ୍କ ଶରୀର ଦୁର୍ବଳ ହୋଇଯାଇଛି । ତଥାପି ସେ ହାର ମାନିନାହାନ୍ତି । ଏବେ ସେ ରାଉରକେଲା ଫେରି ଆସିବେ । ତେବେ ସମସ୍ତଙ୍କ ସମର୍ଥନରେ ତାଙ୍କ ଆନ୍ଦୋଳନକୁ ଆଗକୁ ବଢାଇବେ ବୋଲି କହିଛନ୍ତି ।

ସେପଟେ ମୁକ୍ତିକାନ୍ତଙ୍କ ପାଇଁ ରାଜ୍ୟ ରାଜନୀତି ବେଶ୍ କିଛି ଦିନ ସରଗରମ ରହିଥିଲା । ରାଜନୈତିକ ଦଳ ଗୁଡ଼ିକ କାଦୁଅ ଫୋପଡ଼ା ଫୋପଡ଼ି ହୋଇଥିଲେ । ଆଉ ମୁକ୍ତିକାନ୍ତଙ୍କ ପାଇଁ ସାମ୍ନାକୁ ଆସିଥିଲା ବିଜେଡି । ବିଜେଡି କହିଥିଲା, ଯଦି ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟେ, ସେଥିପାଇଁ ବିଜେପି ଦାୟୀ ରହିବ । ସେହିପରି ବିଜେପି ବିଧାୟକ ଦିଲ୍ଲୀପ ରାୟ ମଧ୍ୟ ସୋସିଆଲ ମିଡିଆରେ ମୁକ୍ତିକାନ୍ତଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ବ୍ରାହ୍ମଣୀ ନଦୀ ଉପରେ ଦ୍ବିତୀୟ ପୋଲ ଓ ରାଉରକେଲା ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏହା ପୂରଣ ନହେବାରୁ ପାଖାପାଖି ୧୬୦୦ କିଲୋମିଟର ପଦଯାତ୍ରା କରି ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ଦିଲ୍ଲୀରେ ପହଁଚିଥିଲେ ମୁକ୍ତିକାନ୍ତ ।

ଉଳ୍ଲେଖଯୋଗ୍ୟ, ବ୍ରାହ୍ମଣୀ ପୋଲ ଓ ରାଉରକେଲା ଆଇଜିଏଚ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖା କରିବାକୁ ଅଡି ବସିଥିଲେ ମୁକ୍ତିକାନ୍ତ । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ନହେଲେ ଅନଶନ କରିବେ ବୋଲି ସେ ପୂର୍ବରୁ ଚେତାବନୀ ଦେଇଥିଲେ । ତେବେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଅଧାରେ ଅନଶନ ଭାଙ୍ଗିବା ପାଇଁ ପଡ଼ିଲା ।

Share

Leave a Reply

Your email address will not be published. Required fields are marked *

one × three =