ପାଇକ ସ୍ମାରକୀ ପାଇଁ ଜାଗା ଚିହ୍ନଟ

ଭୁବନେଶ୍ୱର (): ଖୋର୍ଦ୍ଧାର ବରୁଣେଇ ପାହାଡ ତଳେ ପାଇକ ସ୍ମାରକୀ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ କରିବାକୁ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା । ବରୁଣେଇ ପାହାଡରେ ପାଇକ ବିଦ୍ରୋହ ସଂଗଠିତ ହୋଇଥିବାରୁ ପାହାଡ ପାଦଦେଶରେ ୫୦ଏକର ଜମି ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ ପାଦଦେଶରେ ଏତେ ପରିମାଣର ଜମି ନଥିବାରୁ ଖୋର୍ଦ୍ଧା ମଉଜାରେ ୬.୫୬୦ ଏକର ଜମି ଚିହ୍ନଟ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

ଗତ ମାର୍ଚ୍ଚ ୨୦୧୮ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏହି ଜମି ଚିହ୍ନଟ ପାଇଁ ଅନୁରୋଧ କରାଯାଇଥିଲା । ଖୋର୍ଦ୍ଧାର ବରୁଣେଇ ଠାରୁ ପାଇକ ବିଦ୍ରୋହର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ସ୍ମାରକୀ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । ରାଜ୍ୟ ସରକାର ଜମି ଯୋଗାଇ ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସ୍ମାରକୀ ନିର୍ମାଣ କରିବ । କିନ୍ତୁ କ୍ଷେତ୍ର ପରିଦର୍ଶନ ପରେ ପାହାଡ ପାଦଦେଶରେ ଏତେ ବଡ ଜମି ଏକତ୍ର ମିଳିବା ସମ୍ଭବ ନହେବାରୁ ଖୋର୍ଦ୍ଧା ଉମଜାରେ ଲିଜ୍ ସୂତ୍ରରେ ଦିଆଯାଇପାରିବା ଭଳି ଜମି ଚିହ୍ନଟ କରାଯାଇଛି । ୬.୫୬୦ ଏକର ପରିମିତ ଏହି ଜମିର ନକ୍ସା ଓ ଅନ୍ୟାନ୍ୟ ନଥିପତ୍ର ଖୋର୍ଦ୍ଧା ଜିଲ୍ଲାପାଳ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବଙ୍କୁ ପଠାଇଛନ୍ତି । ଅନୁମତି ମିଳିଲେ ଏହି ଜମି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ଲିଜ୍ ସୂତ୍ରରେ ପ୍ରଦାନ କରାଯିବ ।

Share

Leave a Reply

Your email address will not be published. Required fields are marked *

eight − 7 =