ନିରଂଜନଙ୍କ ଉତ୍ତରାଧିକାରୀ କିଏ?

ଭୁବନେଶ୍ୱର()   ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ନିର୍ଣ୍ଣାୟକ ଭାବେ ହଟିଯିବା ପରେ ଏବେ ଓଡ଼ିଶାରେ ନିରଞ୍ଜନ ପଟ୍ଟନାୟକଙ୍କର ଉତ୍ତରାଧିକାରୀ କିଏ ହେବ, ସେ ପ୍ରଶ୍ନ ମୁଣ୍ଡଟେକିଛି । ନୂଆ ଅଧ୍ୟକ୍ଷ ଶୀଘ୍ର ନିର୍ବାଚନ ପାଇଁ କଂଗ୍ରେସ ୱାର୍କିଂ କମିଟିକୁ ଅନୁରୋଧ କରିଛନ୍ତି ରାହୁଲ । ସେ ଟୁଇଟରରେ ଯାହା କହିଛନ୍ତି, ଓଡ଼ିଶା ପରିପ୍ରେକ୍ଷୀରେ ତାହାର ଏକ ବିଶେଷ ରାଜନୈତିକ ଗୁରୁତ୍ୱଅଛି । ସେ କହିଛନ୍ତି, ନିର୍ବାଚନ ବିପର୍ୟ୍ୟୟ ସକାଶେ ନିଜକୁ ସେ ଦାୟୀ କରୁଛନ୍ତି । ଅନ୍ୟମାନେ ମଧ୍ୟ ନିଜ ଉପରକୁ ଦୋଷ ନେବା ଦରକାର । କିନ୍ତୁ ରାଜ୍ୟରେ ଦଳର ଯେଉଁ ସ୍ଥିତି ଉପୁଜିଛି ତାହାକୁ ସାମ୍ନା କରି ସଂଗଠନ ସଜାଡ଼ି ଆଗାମୀ ଲଢେ଼ଇ ପାଇଁ କେହି ରାଜି ହେଉନଥିବା ଦଳୀୟ ମହଲରେ ଆଲୋଚନା ହେଉଛି ।

ଓଡ଼ିଶାରେ ଲଗାତାର ୫ଟି ନିର୍ବାଚନ ହାରିଲା କଂଗ୍ରେସ । ଶେଷକୁ ମୁଖ୍ୟ ବିରୋଧୀ ଦଳ ମର୍ୟ୍ୟାଦା ମଧ୍ୟ ହରାଇଲା । ୧୯୯୦ ନିର୍ବାଚନରେ କଂଗ୍ରେସକୁ ମିଳିଥିଲା ମାତ୍ର ୧୦ଟି ଆସନ । କିନ୍ତୁ ୨୦୧୯ରେ ସର୍ବନିମ୍ନ ରେକଡର଼୍ କରି ୯ଟି ଆସନ ପାଇଲା ଏହିଦଳ । ତେବେ ସୌଭାଗ୍ୟକୁ ଏଥର ଲୋକସଭାକୁ ଦଳର ଜଣେ ନିର୍ବାଚିତ ହୋଇଛନ୍ତି ଯାହା ଗତ ନିର୍ବାଚନରେ ଦେଖିବାକୁ ମିଳିନଥିଲା ।

ତେବେ ଦଳର ଏହି ଶୋଚନୀୟ ବିପର୍ୟ୍ୟୟ ସକାଶେ ନିଜକୁ ଦାୟୀ କରି ପ୍ରଦେଶ ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଇସ୍ତଫାପତ୍ର ଏଆଇସିସିକୁ ବହୁ ଆଗରୁ ପଠାଇସାରିଛନ୍ତି । ଓଡ଼ିଶା କାହିଁକି ୧୬ଟି ରାଜ୍ୟର ପ୍ରଦେଶ କଂଗ୍ରେସ ସଭାପତିମାନେ ମଧ୍ୟ ଇସ୍ତଫା ଦେଇସାରିଛନ୍ତି । କିନ୍ତୁ ଯେହେତୁ ରାହୁଲଙ୍କ ଇସ୍ତଫାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା, ସେହେତୁ ନିରଞ୍ଜନ ବା ଅନ୍ୟ କେଉଁ ରାଜ୍ୟର ସଭାପତିଙ୍କୁ ନେଇ କେହି ମୁଣ୍ଡ ଖେଳାଉନଥିଲେ । ଓଡ଼ିଶାରେ ମଧ୍ୟ କେନ୍ଦ୍ର ସ୍ଥିତିକୁ ଦେଖି ନିରଞ୍ଜନଙ୍କ ବିରୋଧରେ ଆଉ ପୂର୍ବଭଳି ସ୍ୱର ଉଠୁନାହିଁ । ଏହାର କାରଣ ହେଲା, ନିରଞ୍ଜନଙ୍କୁ ଆକ୍ରମଣ କରିବାକୁ ଯାଇ ସେମାନେ ରାହୁଲଙ୍କୁ ବଦନାମ କରୁଛନ୍ତି ବୋଲି ଏକଧାରଣା ସୃଷ୍ଟି ହୋଇଥିଲା ।

ଏବେ ରାହୁଲ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ । ସୁତରାଂ ଏକ ବଡ଼ଧରଣର ପରିବର୍ତ୍ତନର ସଂକେତ ମିଳୁଛି । ଏପରି ଅବସ୍ଥାରେ ନିରଞ୍ଜନ ନିଜ ଇସ୍ତଫାପତ୍ର ପ୍ରତ୍ୟାହାର କରିବାର ସାମାନ୍ୟତମ ସମ୍ଭାବନା ନାହିଁ କି ରାହୁଲ ଚାଲିଯିବା ପରେ ନିରଞ୍ଜନ ଓ ଅନ୍ୟ ପ୍ରଦେଶ କଂଗ୍ରେସ ସଭାପତିମାନଙ୍କର ଇସ୍ତଫାପତ୍ର ଅଗ୍ରାହ୍ୟ ହେବ ବୋଲି ମନେ ହେଉନାହିଁ । କାରଣ ରାହୁଲ ବିପର୍ୟ୍ୟୟ ସକାଶେ ଅନ୍ୟମାନଙ୍କ ଆଡ଼କୁ ଆଙ୍ଗୁଳି ଉଠାଇ ସାରିଛନ୍ତି ।

ତେଣୁ ପିସିସି ସଭାପତି ନିରଞ୍ଜନଙ୍କର ଉତ୍ତରାଧିକାରୀ କିଏ ଓ କେବେ ହେବେ ବୋଲି ଆଲୋଚନା ଆରମ୍ଭ ହୋଇଛି କଂଗ୍ରେସ ଶିବିରରେ । ରାହୁଲଙ୍କ ଇସ୍ତଫାକୁ ନେଇ ଦୀର୍ଘଦିନ ଅନିଶ୍ଚିତତା ଲାଗି ରହିବା କାରଣରୁ ସାରା ଦେଶରେ କଂଗ୍ରେସର ଅବସ୍ଥା ଆହୁରି ଖରାପ ହୋଇପଡ଼ିଛି । ଏହି ଦଳ ସମ୍ପୂର୍ଣ୍ଣ ନେତୃତ୍ୱ ବିହୀନ ବୋଲି ଧରି ନିଆଗଲାଣି । ତା’ଠୁ ଆହୁରି ଖରାପ ଅବସ୍ଥା ଓଡ଼ିଶା କଂଗ୍ରେସର ସମ୍ପୂର୍ଣ୍ଣ ମୁରବୀବିହୀନ ଏହି ଦଳ ।

ନିରଞ୍ଜନ ଆଉ ଦଳୀୟବ୍ୟାପାର ବୁଝୁନାହାଁନ୍ତି । ପ୍ରଦେଶ କମିଟି ସମ୍ପୂର୍ଣ୍ଣ ଅଚଳ । ଦଳର ଛାମୁଆଁ ସଂଗଠନ ଯଥା- ଛାତ୍ର, ଯୁବ, ମହିଳା ଓ ସେବା ଦଳ ନିଷ୍କି୍ରୟ ହୋଇସାରିଛି । ଆଗକୁ ପାଟକୁରା ସହ ବିଜେପୁର ଉପନିର୍ବାଚନ ମଧ୍ୟ ଅଛି । ଏହାଛଡ଼ା ଆସୁଛି ପୌର ନିର୍ବାଚନ । ଏପରି ସ୍ଥଳେ ନିରଞ୍ଜନଙ୍କ ଉତ୍ତରାଧିକାରୀ ଖୋଜୁ ଖୋଜୁ କଚେରି ବରଖାସ୍ତ ହୋଇସାରିଥିବ ।

ଏହାର ବଡ଼ କାରଣ ହେଲା, ପ୍ରଥମେ ରାହୁଲ ଗାନ୍ଧୀଙ୍କ ବଦଳରେ କିଏ ହେବେ କଂଗ୍ରେସ ଅଧ୍ୟକ୍ଷ? ଦୀର୍ଘଦିନ ପରେ ଅର୍ଥାତ୍‍ ସୀତାରାମ କେଶରୀଙ୍କ ପରେ ଗାନ୍ଧୀ-ନେହରୁ ପରିବାର ବାହାରେ ଅନ୍ୟ ଜଣେ କେହି କଂଗ୍ରେସ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି । ପ୍ରଥମେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ହେବା ଦଳ ପାଇଁ ସବୁଠୁ ବଡ଼ ପ୍ରଶ୍ନ । ନୂଆ ଅଧ୍ୟକ୍ଷ ମନୋନୟନ ପରେ ଆରମ୍ଭ ହେବ ରାଜ୍ୟ କମିଟି ପୁନର୍ଗଠନ ।

ଓଡ଼ିଶାକୁ ପଚାରୁଛି କିଏ? ଏମିତିରେ କଂଗ୍ରେସ ହାଇକମାଣ୍ଡ ଓଡ଼ିଶାକୁ ସବୁଠୁ ବଡ଼ ଅବହେଳା କରିଆସିଛନ୍ତି । ଏହାର ପରିଣତି ସ୍ୱରୂପ ଭାରତୀୟ ଜନତା ପାର୍ଟିକୁ ବଢ଼ିବା ପାଇଁ ବିରାଟ ସୁଯୋଗ କରିଦେଇଛି ଦଳ । ବିଜେପି ଆଜି ଦ୍ୱିତୀୟ ବୃହତ୍ତମ ଦଳ । କଂଗ୍ରେସ ନିଜ ସ୍ଥିତି ଖୋଜୁଥିବା ବେଳେ ଏବେ କର୍ମୀମାନେ ଅପେକ୍ଷା କରିରହିବେ ନୂଆ ସଭାପତି ହେଉଛନ୍ତି କିଏ?

ଏପରି ଦୁର୍ଦ୍ଧିନରେ ଦଳର ନେତୃତ୍ୱ ନେବାକୁ କିଏ ବା ଆଗଭର ହେବ? ଏକଥା ପ୍ରାୟତଃ ନିଶ୍ଚିତ ଯେ, ନିରଞ୍ଜନ ସଭାପତି ପଦରେ ରହିବା ପାଇଁ ଆଉ ଆଗ୍ରହୀ ନୁହଁନ୍ତି । କିନ୍ତୁ ଅନେକ ପରୀକ୍ଷା ନିରୀକ୍ଷା ସରିଯାଇଛି । ନୂଆ ନେତୃତ୍ୱ ହାତରେ ଦଳକୁ ଛାଡ଼ିବା ପାଇଁ କଂଗ୍ରେସ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜି ହେବେ କି ନାହିଁ, ତାହା ମଧ୍ୟ ସନେ୍ଦହରେ ।

ନୂଆ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଆରମ୍ଭ ହେବ ଓଡ଼ିଶା ପିସିସି ସଭାପତି ଦୌଡ଼ । କିଛି ନେତା ଦିଲ୍ଲୀ ଯିବେ । ଲବି ହେବ । ତା’ ସହିତ ଆରମ୍ଭ ହେବ ଗୋÂୀ କନ୍ଦଳ । ବିଚାର ବିମର୍ଶ ଓ ସଲାସୁତୁରା ପରେ ନୂଆ ପ୍ରଦେଶ କଂଗ୍ରେସ ସଭାପତି ମନୋନୀତ ହେଲା ବେଳକୁ ଏହି ବର୍ଷ ଯଦି ପାର ହୋଇଯାଏ, ତେବେ କେହି ବିସ୍ମିତ ହେବେ ନାହିଁ । ଅନାଥ ଦଳକୁ କିଏ ବା ଭରସା ହେବ?

Share

Leave a Reply

Your email address will not be published. Required fields are marked *

18 + ten =