ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ

ଆଜିଠାରୁ ପବିତ୍ର ଓ ଧାର୍ମିକ କାର୍ତ୍ତିକ ମାସ ଆରମ୍ଭ ହୋଇଛି । କାର୍ତ୍ତିକ ମାସ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ପୁରୀରେ ହଜାର ହଜାର ହବିଷ୍ୟାଳିମାନଙ୍କର ସମାଗମ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୫୦୦ ହବିଷ୍ୟାଳି ପୁରୀରେ ଆସି ପହଂଚିଛନ୍ତି । ଆଜିଠାରୁ ହବିଷ୍ୟାଳିମାନେ ରାଧାଦାମୋଦରଙ୍କୁ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ଯେଉଁମାନେ ପଞ୍ଜିକରଣ କରିଛନ୍ତି ସେମାନଙ୍କୁ ପରିଚୟପତ୍ର ବଂଟା ଯାଇଛି । ହବିଷ୍ୟାଳିମାନେ ଚାରୋଟି ଦ୍ୱାର ଦେଇ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି ।
ହବିଷ୍ୟାଳିମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ତୁଳସୀ ଚଉରା ମଧ୍ୟ ପ୍ରସ୍ତୁତ କରାଯାଇଛି । ୪ଟି ସରକାରୀ ଆଶ୍ରୟସ୍ଥଳୀକୁ ଆଜି ଅପରାହ୍ନରେ ଭିଡିଓ କନଫରେନ୍ସିଂ ସାହାଯ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ରେଳବାଇ ଯାତ୍ରୀନିବାସରେ ଭିଡିଓ କନଫରେନ୍ସିର ଆୟୋଜନ ହୋଇଛି । ହବିଷ୍ୟାଳିଙ୍କ ପାଇଁ ମାଗଣା ରହିବା ଓ ଖାଇବାର ବ୍ୟବସ୍ଥା ହୋଇଛି । ରେଳବାଇ ଯାତ୍ରୀନିବାସରେ ୨୨୦୦ ହବିଷ୍ୟାଳିଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ସଂଖ୍ୟା ବୃଦ୍ଧି ହେବାରୁ ଯାତ୍ରୀ ନିବାସ ଛାତରେ ଟେଣ୍ଟର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନ ରେଳବାଇ ଯାତ୍ରୀ ନିବାସ, ରେଳବାଇ କଲ୍ୟାଣ ମଣ୍ଡପ, ଜଗନ୍ନାଥ ବଲ୍ଲଭ ବ୍ୟାଖ୍ୟାନ କେନ୍ଦ୍ର, ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରିଛନ୍ତି । ଏହି ସମସ୍ତ ଆଶ୍ରୟସ୍ଥଳୀଗୁଡିକରେ ସହାୟତା କେନ୍ଦ୍ର, ରହିବା ଖାଇବା ବ୍ୟବସ୍ଥା ସହ ସ୍ୱାସ୍ଥ୍ୟସେବା ଇତ୍ୟାଦି ସୁବିଧା କରାଯାଇଛି । ପୁରୀ ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ହବିଷ୍ୟାଳିଙ୍କ ପାଇଁ ସହାୟତା କେନ୍ଦ୍ର ଖୋଲାଯାଇଛି ।

Share

Leave a Reply

Your email address will not be published. Required fields are marked *

13 + 3 =