ପୁରୀ ଜିଲ୍ଲା କୋର୍ଟ ଦ୍ବାରା ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ

ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଗୋପାଳ ସୁବ୍ରମଣ୍ୟମ ହେଲେ ନ୍ୟାୟମିତ୍ର

ଭୁବନେଶ୍ବର (): ଶ୍ରୀମନ୍ଦିର ପରିଚାଳନା ନେଇ ଆଜି ସୁପ୍ରିମ କୋର୍ଟ ହସ୍ତକ୍ଷେପ କରିଛନ୍ତି।  ଶ୍ରୀମନ୍ଦିର ପରିଚାଳନାଗତ ତ୍ରୁଟି ସମ୍ପର୍କରେ ନିମ୍ନ ଅଦାଲତ ବା ପୁରୀ ଜିଲ୍ଲା କୋର୍ଟ ଏକ କମିଟି ଗଠନ କରି ଘଟଣାର ତଦନ୍ତ କରିବାକୁ ଆଜି ସୁପ୍ରିମ କୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗରେ ସୁପ୍ରିମ କୋର୍ଟ ମାମଲା ହାଇକୋର୍ଟର ବିଚାରାଧୀନ ଥିବାରୁ ସେଥିରେ  ହସ୍ତକ୍ଷେପ ନ କରି ଶ୍ରୀମନ୍ଦିର ପରିଚାଳନାଜନିତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଗୁରୁତ୍ବ ଦେବାକୁ ସୁପ୍ରିମ କୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୫ ତାରିଖରେ ହେବ ବୋଲି ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

ଏଥିଲାଗି ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନୁଧ୍ୟାନ ପାଇଁ ଗୋପାଳ ସୁବ୍ରମଣ୍ୟମଙ୍କୁ ଆମିକସ୍ କ୍ୟୁରି (ନ୍ୟାୟମିତ୍ର) ନିଯୁକ୍ତ କରିଛନ୍ତି ସୁପ୍ରିମକୋର୍ଟ । ଜୁନ ୩୦ ତାରିଖ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ବିଶେଷଜ୍ଞ କମିଟିକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ । ଜୁଲାଇ ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ ।

ଶ୍ରୀମନ୍ଦିର  ରତ୍ନଭଣ୍ଡାରର ଚାବି ହଜିବା,  ଶ୍ରୀମନ୍ଦିରରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ହଇରାଣ ହରକତ ହେବା ଓ ସର୍ବୋପରି ଶ୍ରୀମନ୍ଦିରର ବିଭିନ୍ନ ଉତ୍ସରୁ ହେଉଥିବା ଆୟ ଓ ବ୍ୟୟ ନେଇ ଠିକ୍‌ ବିବରଣୀ ଲୋକଙ୍କୁ ମିଳୁ ନ ଥିବା ନେଇ  ମୃଣାଳିନୀ ପାଢ଼ୀ ନାମକ ଜଣେ ମହିଳା ସୁପ୍ରିମ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଏହି ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ଆଦର୍ଶ ଗୋଏଲ ଓ ଜଷ୍ଟିସ ଅଶୋକ ଭୁଷଣଙ୍କୁ ନେଇ ବେଞ୍ଚ ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଶ୍ରୀମନ୍ଦିର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟରେ ମାମଲା ଚାଲିଥିବାରୁ ଏ ନେଇ ହାଇକୋର୍ଟଙ୍କ ରାୟ ଆସିବା ପଯ୍ୟନ୍ତ ସୁପ୍ରିମ କୋର୍ଟ ଏହି ପ୍ରସଙ୍ଗକୁ  ଟାଳି ଦେଇଛନ୍ତି। ସେହିପରି ପରିଚାଳନାଗତ ତ୍ରୁଟି ସମ୍ପର୍କରେ ସୁପ୍ରିମ କୋର୍ଟ ନିଜର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିପାଇଁ ଜିଲ୍ଲା କୋର୍ଟ ଏକ କମିଟି ଗଠନ କରି ଘଟଣାର ତଦନ୍ତ କରିବାକୁ ସୁପ୍ରିମେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଶ୍ରୀମନ୍ଦିରର ଆୟ, ହୁଣ୍ଡିରୁ ହେଉଥିବା ଆୟ ସହିତ ଅନ୍ୟ ଉତ୍ସରୁ ହେଉଥିବା ଆୟ ସମ୍ପର୍କରେ ମଧ୍ୟ ସୁପ୍ରିମ କୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।

ପୁରୀ ଶ୍ରୀମନ୍ଦିର ଭଣ୍ଡାର ଗୃହ ଚାବି ହଜିବା ପ୍ରସଙ୍ଗ ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି। ରାଜ୍ୟ ସରକାରଙ୍କ ଦାୟିତ୍ବ ହୀନତାକୁ ନେଇ ବିରୋଧୀ ବହୁ ପ୍ରଶ୍ନ ତଥା ସମାଲୋଚନା କରିସାରିଥିବା ବେଳେ ଏନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ । ପୁରୀ ଶ୍ରୀ ମନ୍ଦିରକୁ ସେ ରାଜ୍ୟ ସରକାର ନିୟନ୍ତ୍ରଣରୁ ମୁକ୍ତ କରାଇବେ ବୋଲି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ କଥା ଦେଇଥିବା ଗତକାଲି ପ୍ରକାଶ କରିଛନ୍ତି ।

ସୁବ୍ରମଣ୍ୟମ ଗତକାଲି ନୂଆଦିଲ୍ଲୀରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସହ ସାକ୍ଷାତ କରିବା ପରେ ଟ୍ବିଟ କରି କହିଛନ୍ତି “ମୁଁ ପ୍ରାୟ ଏକ ଘଣ୍ଟା ପୂଜ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ସାକ୍ଷାତ କରି ଏ ବିଷୟରେ ଆଲୋଚନା କରିଛି। ଆସନ୍ତା ଦୀପାବଳି ପୂର୍ବରୁ ଅଯୋଧ୍ୟା ରାମ ମନ୍ଦିର ମାମଲା ସାରିବା ପାଇଁ ତାଙ୍କଠୁ ଆଶୀର୍ବାଦ ନେବା ସହ ତିରୁମାଳା ବାଲାଜୀ ମନ୍ଦିରକୁ ଚନ୍ଦ୍ରବାବୁ ନାଇଡୁଙ୍କ ନିୟନ୍ତ୍ରଣରୁ ମୁକ୍ତ କରିବା ପରେ ଏବେ ଶ୍ରୀଜଗନ୍ନାଥ ମନ୍ଦିରକୁ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ କରାଇବେ ବୋଲି ଶଙ୍କରାଚାର୍ଯ୍ୟଙ୍କୁ କଥା ଦେଇଛନ୍ତି ।”

ସୂଚନାନୁସାରେ, ବିଜେପିର ନେତା ସୁବ୍ରମଣ୍ୟମ ସ୍ବାମୀ ବର୍ତମାନ ରାଜ୍ୟସଭା ସାଂସଦ ଥିବା ବେଳେ ବରିଷ୍ଠ ଆଇନଜିବୀ ଭାବେ ପରିଚିତ। ରାମ ସେତୁ, ଟୁ ଜି ସ୍ପେକ୍ଟରମ ଭଳି ବହୁ ମାମାଲା ଖ୍ୟାତି ଅର୍ଜନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × three =