କଳିଙ୍ଗ ହସ୍ପିଟାଲ ଦୋଷମୁକ୍ତ

ଭୁବନେଶ୍ବର ()  ବିଧାନସଭାରେ ବିରୋଧିଦଳ ଉପନେତା ତଥା ବରିଷ୍ଠ ବିଜେପି ନେତା ମୋହନ ମାଝିଙ୍କୁ ଅପମାନିତ କରିଥିବା କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସ୍ୱାସ୍ଥ୍ୟ ବିଭାଗ ରାତାରାତି ଦୋଷମୁକ୍ତ କରିଥିବାବେଳେ ଜଣେ ବରିଷ୍ଠ ବିଧାୟକଙ୍କ ପ୍ରତି ସରକାରଙ୍କର ଏହା କି ପ୍ରକାର ଆଚରଣ ବୋଲି ଆଲୋଚନା ହେଉଛି । କେବଳ ବିଧାୟକଙ୍କ ଘଟଣାରେ ନୁହେଁ ସେହି ସମୟରେ ଆଉ ଯେଉଁସବୁ ଅଭିଯୋଗରେ ସ୍ୱାସ୍ଥ୍ୟ ପ୍ରଶାସନ କଳିଙ୍ଗ ହସ୍ପିଟାଲ ଉପରେ ଘନ ଘନ ଚଢାଉ କରିଥିଲା ସେସବୁଥିରୁ ବି ଡାକ୍ତରଖାନା ଛାଡ ପାଇଛି ।

ଗତ ଜୁଲାଇ ମାସରେ ବିଧାନସଭା ବୈଠକ ଚାଲିଥିବାବେଳେ ନିଜ ନିର୍ବାଚନମଣ୍ଡଳୀର ଜଣେ ମୃତ ବ୍ୟକ୍ତିଙ୍କ ଶବକୁ ଛାଡିଦେବା ପାଇଁ ବିଧାୟକ ଶ୍ରୀ ମାଝି କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଫୋନ୍‍ କରିଥିଲେ । ଡାକ୍ତରଖାନା କର୍ତ୍ତୃପକ୍ଷ ଶବ ଛାଡିବେ କ’ଣ ଓଲଟା ବିଧାୟକଙ୍କୁ ଦୁର୍ବବ୍ୟବହାର ସହିତ ଅପମାନିତ କରିଥିଲେ । ବିଧାନସଭା ଚାଲୁଥିବାରୁ ଶ୍ରୀ ମାଝି ସଂଗେ ସଂଗେ ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବି ତୁରନ୍ତ ଏକ ସାତଜଣିଆ କମିଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଏହି ମାମଲାର ତଦନ୍ତ ଚାଲିଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ଡ୍ରଗ୍ସ କଣ୍ଟ୍ରୋଲର ସ୍କ୍ୱାଡ୍‍ ପକ୍ଷରୁ କଳିଙ୍ଗ ହସ୍ପିଟାଲ ଉପରେ ଚଢଉ କରାଯାଇ ନିମ୍ନମାନର ଔଷଧ ସନ୍ଦେହରେ କିଛି ନମୂନା ଜବତ ହୋଇଥିଲା । ଏହା ପରେ ପରେ ଖୋରଧା ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ସେହି ଡାକ୍ତରଖାନା ଉପରେ ଚଢଉକରି ଦୁଇଟି ଅଲଟ୍ରାସାଉଣ୍ଡ ମେସିନ ଜବତ କରିବା ସହିତ ଏହାକୁ ସିଲ୍‍ କରାଯାଇଥିଲା । ଏହା ପରେ ପରେ ତଦନ୍ତକାରୀ ଦଳ ତାଙ୍କ ରିପୋର୍ଟ ସ୍ୱାସ୍ଥ୍ୟମବୀଙ୍କୁ ଦେଇଥିଲେ । ମନ୍ତ୍ରୀ ଶ୍ରୀ ଦାସ ବିଧାନସଭାରେ କାର୍ଯ୍ୟାନୁଷ୍ଠାନ ଘୋଷଣା କରି କଳିଙ୍ଗ ହସ୍ପିଟାଲର ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସ୍‍ଟିଏଫ୍‍) ସୁବିଧା ସରକାର ପ୍ରତ୍ୟାହାର କରିଥିବା ନେଇ ସୂଚନା ଦେଇଥିଲେ ।

ଏଭଳି ଘୋଷଣା ପରେ ଅପମାନିତ ବିଧାୟକ ଶ୍ରୀ ମାଝି ଓ ତାଙ୍କ ଦଳ ବିଜେପି ତୁନି ପଡିଥିଲେ । ହେଲେ ଏହାର ଦିନ କେଇଟା ପରେ ସ୍ଥିତି ବଦଳି ଯାଇଥିଲା । ଯେଉଁ ହାତରେ ସରକାର ଓଏସ୍‍ଟିଏଫ୍‍ ପ୍ରତ୍ୟାହାର କରିଥିଲେ ସେହି ହାତରେ ପୁଣି ତାହାକୁ ଫେରାଇ ଦେଲେ । ରାତି ଅଧିଆ ଭାବେ ଏଭଳି ନିର୍ଦ୍ଦେଶ ଦିଆଗଲା ଯେ ତାହାର ଟେର୍‍ କେହି ପାଇଲେ ନାହିଁ । ଇତି ମଧ୍ୟରେ ଜଣାପଡିଛି ଯେ କଳିଙ୍ଗ ହସ୍ପିଟାଲ କେବଳ ଓଏସ୍‍ଟିଏଫ୍‍ ସୁବିଧା ଫେରି ପାଇନାହିଁ, ଜବତ ଔଷଧ ନମୂନାର ପରୀକ୍ଷା ରିପୋର୍ଟ ଆସିବା ପୂର୍ବରୁ ତାହାକୁ ସବୁଜ ସଙ୍କେତ ମିଳିଛି ।

ସେହିଭଳି ସିଲ୍‍ ହୋଇଥିବା ଅଲଟ୍ରାସାଉଣ୍ଡ ମେସିନ୍‍ ମାମଲାରୁ ବି ଡାକ୍ତରଖାନା କର୍ତ୍ତୃପକ୍ଷ ଦୋଷମୁକତ ହୋଇଛନ୍ତି । ଏ ସଂକ୍ରାନ୍ତରେ ମାମଲା ରୁଜୁ ହୋଇଥିବା ସୂଚନା ସେତେବେଳେ ଦିଆଯାଇଥିଲେ ବି ମାମଲାର ସ୍ଥିତି କଣ ତାହା କେହି କହିପାରୁ ନାହାନ୍ତି । ତେବେ ଜଣେ ବରିଷ୍ଠ ବିଧାୟକଙ୍କ ପ୍ରତି ସ୍ୱାସ୍ଥ୍ୟ ବିଭାଗର ଏଭଳି ଆଚରଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମୋହନଙ୍କୁ ବୁଝାଇବା ପାଇଁ ବିଭାଗୀୟ ମନ୍ତ୍ରୀ ଶ୍ରୀ ଦାସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ନା ଏହା ପଛରେ ଆଉ କିଛି ଥିଲା ବୋଲି କୁହାଯାଉଛି ।

ବିଧାୟକଙ୍କୁ ଦୁର୍ବବ୍ୟବହାର କରିଥିବା ଅଧିକାରୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେଲା ତାହା ଜଣାପଡିଲାନାହିଁ । ସୌଜନ୍ୟତା ଦୃଷ୍ଟିରୁ ବିଧାୟକଙ୍କୁ କେହି କ୍ଷମା ପ୍ରାର୍ଥନା ବି କଲେନାହିଁ । ଖୋଦ୍‍ ବିଧାନସଭାରେ ଘୋଷଣା ହୋଇଥିବା କାର୍ଯ୍ୟାନୁଷ୍ଠାନରୁ ଗୋଟିଏ ଘରୋଇ ଡାକ୍ତରଖାନା କିଭଳି ରାତାରାତି ଦୋଷମୁକ୍ତ ହେଲା ଓ ଅପମାନିତ ବିଧାୟକ କାହିଁକି ତୁନି ରହିଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Share

Leave a Reply

Your email address will not be published. Required fields are marked *

fourteen + 13 =