ପାରାଦୀପ ବଡବିଲ ମଧ୍ୟରେ ହେବ ଅର୍ଥନୈତିକ କରିଡର

ଭୁବନେଶ୍ବର () ପାରାଦୀପ-ବଡ଼ବିଲ ୩୦୦ କିମି ରାସ୍ତାକୁ ଅର୍ଥନୈତିକ କରିଡର ଭାବେ ବିକଶିତ କରାଯିବ । ଏହି ରାସ୍ତାକୁ ୮ଲେନ୍ ବିଶିଷ୍ଟ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଆଲୋଚନା କରିଛନ୍ତି । କେନ୍ଦୁଝର ଖଣି ଅଞ୍ଚଳରୁ ୩ ଶହ କିମି ଲମ୍ବ ଏହି ରାସ୍ତା ଦ୍ବାରା ପାରାଦୀପ ବନ୍ଦରକୁ ଖଣିଜ ସାମଗ୍ରୀ ପରିବହନ ସୁଗମ ହେବ  । ଖଣିଜ ସଂପଦରେ ଭରା କେନ୍ଦୁଝର ଅର୍ଥନୀତି ଦୃଷ୍ଟିରୁ ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ହୋଇଥିବା ବେଳେ ଶୀଘ୍ର ପ୍ରକଳ୍ପ ନିର୍ମାଣ କାମ ଶେଷ କରିବାକୁ ନବୀନ ପ୍ରସ୍ତାବ ଦେଇଛନ୍ତି  ।

ପାରାଦୀପ-ବଡ଼ବିଲ ମଧ୍ୟରେ ନିର୍ମାଣ ହେବାକୁ ଥିବା  ୮ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ସମୟରେ ସର୍ଭିସ ରୋଡ ଦେବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରକଳ୍ପରେ ରାଜ୍ୟର ଭାଗିଦାରୀ ରହିବା ସହିତ ସମସ୍ତ ସହଯୋଗ ଯୋଗାଇ ଦିଆଯିବ । ପ୍ରତି ଦୁଇ ମାସରେ କେନ୍ଦ୍ର ସହ ଅଫିସର ସ୍ତରୀୟ ବୈଠକ କରି କାମ ତ୍ବରାନ୍ବିତ କରାଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି  । ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ସହଯୋଗର ପ୍ରତିଶୃତି ଦେଇଛନ୍ତି ।

ପ୍ରସ୍ତାବିତ ୩ଶହ କିଲୋମିଟର ଦୀଘା-ସାତପଡ଼ା ବେଳାଭୂମି ଜାତୀୟ ରାଜପଥ ପାଇଁ ଦେଖାଦେଇଥିବା ସମସ୍ୟାର ତୁରନ୍ତ ସମାଧାନ କରିବାକୁ କହିବା ସହ ରାଜ୍ୟ ସରକାର ଏଥିପାଇଁ କ୍ଲିଅରାନ୍ସ ଦେଇଛନ୍ତି  । ଏସବୁ ପ୍ରସ୍ତାବରେ କେନ୍ଦ୍ର ମନ୍ତ୍ରୀ ଗଡ଼କରୀ ରାଜି ହୋଇଛନ୍ତି  । ସେହିଭଳି ଏନଏଚ-୨୦ର ପାଣିକୋଇଲି-ରେମୁଳି ଅଂଶର ୪ ଥାକିଆ କାମ ସାରିବା ନେଇ ଆଲୋଚନା ହୋଇଛି  । କେନ୍ଦ୍ରମନ୍ତ୍ରୀ ଏକ ବର୍ଷ ମଧ୍ୟରେ କାମ ସରିବ ବୋଲି ଆଶ୍ବାସନା ଦେଇଛନ୍ତି  । ସେହିଭଳି ୪୩ କିଲୋମିଟର ରେମୁଳି-କୋଇଡା ଏବଂ ୧୦୪ କିଲୋମିଟର ସିଙ୍ଗଡା-ବିଞ୍ଜବାହଲ ୪ ଥାକିଆ ରୋଡ ଜୁନ ୨୦୨୧ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି  ।

ଏହାପରେ ଯାଇ ଆଠ ଥାକିଆ ରୋଡ ବିଷୟରେ ଯୋଜନା ହେବ  । ଆଲୋଚନାରେ ଗୋପାଳପୁର, ସୁବର୍ଣ୍ଣରେଖା, ଅସ୍ତରଙ୍ଗ, ପାରାଦୀପ ଏବଂ ଧାମରା ବନ୍ଦର ସଂଯୋଗୀକରଣ ସ୍ଥାନ ପାଇଥିଲା  । ଏହି ସବୁ ପ୍ରକଳ୍ପଗୁଡିକୁ ଶୀଘ୍ର ଶେଷ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି  । ବିଜୁ ଏକ୍ସପ୍ରେସ ୱେର ଅଂଶ ଅମ୍ପାନି-ଜୟପୁର, ଭୁବନେଶ୍ବର-ପୁରୀ ଏକ୍ସପ୍ରେସ ୱେ ଏବଂ ରାୟପୁର-ବିଶାଖାପାଟଣା ରୋଡ ସଂପର୍କରେ ଉଭୟ ସରକାର ଆଲୋଚନା କରିଛନ୍ତି  । ଶେଷରେ କାନୁପୁର ଜଳସେଚନ ପ୍ରକଳ୍ପ ଶୀଘ୍ର ଶେଷ କରିବାକୁ କେନ୍ଦ୍ର ମନ୍ତ୍ରୀ ଗଡକରୀଙ୍କ ଆଶ୍ବାସନାରେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି  ।

Share

Leave a Reply

Your email address will not be published. Required fields are marked *

sixteen − seven =