ହକି ବିଶ୍ବକପ : ବିଶ୍ବ ଦରବାରରେ ବଢାଇଲା ବ୍ରାଣ୍ଡ ଓଡିଶା ଇମେଜ

ଭୁବନେଶ୍ବର () ବହୁ ଆଡମ୍ବରରେ ଶେଷ ହୋଇଛି ହକି ମହାକୁମ୍ଭ। ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଓଡିଶା ବିଶ୍ଵକପ ପୁରୁଷ ହକିରେ ବେଲଜିଅମ ବିଶ୍ଵ ବିଜେତା ସାଜିଛି। ଏଥିସହିତ ଗତ ୧୮ ଦିନ ଧରି ରାଜଧାନୀରେ ହକିକୁ ନେଇ ସୃଷ୍ଟି ହୋଇଥିବା ଉତ୍ସାହ ଓ ଉନ୍ମାଦନାର ପରିସମାପ୍ତି ଘଟିଛି । ବିଶ୍ବକପ ପୂର୍ବରୁ ଗତ ପ୍ରାୟ 6 ମାସ ଧରି ଚାଲିଥିବା ଆୟୋଜନ ଏବଂ ଉତ୍ସବ ମୁଖର ପରିବେଶରୁ ଓଡ଼ିଶାକୁ ବେଶ ଲାଭ ମିଳିଛି। ସବୁ ଆଲୋଚନା ପର୍ଯ୍ୟାଲୋଚନା ଓ ସମାଲୋଚନା ମଧ୍ୟରେ ବି ସରକାର ସଫଳତାର ସହ ଏହି ମେଗା ଇଭେଣ୍ଟର ଆୟୋଜନାରେ ନିଜର ପାରଦର୍ଶିତା ଦେଖାଇ ବିଶ୍ବ ଦରବାରରେ ବ୍ରାଣ୍ଡ ଓଡିଶା ଇମେଜକୁ ବୃଦ୍ଧି କରିଛନ୍ତି ।

ଏହାଦ୍ବାରା ଓଡିଶା ଏକ ବିଶ୍ଵସ୍ତରୀୟ କ୍ରୀଡାର ଆୟୋଜନରେ ନିଜର ପାରଦର୍ଶିତ ଦେଖାଇଛି। ଏସିଆନ ଆଥଲେଟିକ୍ସ ମିଟ ପରେ ସ୍ପଳ୍ପ ସମୟ ମଧ୍ୟରେ ବିଶ୍ଵକପ ହକିର ଆୟୋଜନ, ଓଡ଼ିଶାକୁ ବିଶ୍ବସ୍ତରରେ ନୂଆ ପରିଚୟ ଦେଇଛି। ୧୬ ଦେଶର ଖେଳାଳୀ, ୫୦ରୁ ଅଧିକ ଦେଶର ସାମ୍ବାଦିକ, ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର, ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଓ ଖାଣ୍ଟି ଓଡିଆ ଖାଦ୍ୟର ସମ୍ଭାର, ବଲିଉଡ ତାରକା, କ୍ରିକେଟ ଓ କ୍ରୀଡା ଜଗତର ନାମୀଦାମୀ କ୍ରିଡାବିତଙ୍କ ଯୋଗଦାନ ଓଡିଶାକୁ ନୂଆ ସ୍ପୋର୍ଟସ କ୍ୟାପିଟାଲର ମାନ୍ୟତା ଦେଇଛି ।

ହକି ବିଶ୍ବକପ ଫିବର ସହ ଯୋଡି ହୋଇଥିଲା ଭୁବନେଶ୍ବର ସିଟି ଫେଷ୍ଟିଭାଲ ବା ଡଟ୍-ଫେଷ୍ଟ । 16 ଦିନର ଏହି ଫେଷ୍ଟିଭାଲରେ ଯୋଗ ଦେଇଥିଲେ ଦେଶର ବହୁ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ, କମେଡିଆନ ଓ ଜାଦୁଗର । ଶାନ, ସୋନା ମହାପାତ୍ର, ଶ୍ରେୟା ଘୋଷାଲ, ରିତୁରାଜ, ଫାରାନ ଅଖତର, ଶଙ୍କର-ଏହସାନଙ୍କ ଭଳି ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଯୋଗଦାନ ରାଜ୍ୟର ସଂଗୀତ ପ୍ରେମୀଙ୍କୁ ଆକର୍ଷିତ କରିଥିଲା ।

ହକି ପାଇଁ ଉତ୍ସାହ କେବଳ ଭୁବନେଶ୍ବର ଭିତରେ ସୀମିତ ନଥିଲା। ଏହା ଓଡିଶାର ଗାଁ ଗହଳକୁ ମଧ୍ୟ ପରିବ୍ୟାପ୍ତି ହୋଇଥିଲା। ଗାଁ ଗାଁରେ ଏହାକୁ ନେଇ ଥିଲା ଚର୍ଚ୍ଚା ଓ ଉତ୍ସାହ। ତେଣୁ ଏତେ ବଡ ସଫଳତାକୁ ନେଇ ରାଜନୀତି ନହେବ ବା କେମିତି । ରଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନିଜର ଏହି ସଫଳତା ପାଇଁ ସମାଲୋଚିତ ହୋଇଛନ୍ତି। ବିରୋଧୀ ବିଜେପି ପ୍ରତିଦିନ ବିଶ୍ବସ୍ତରୀୟ ହକି ବିଶ୍ବକର ଆୟୋଜନକୁ ନିମ୍ନ ସ୍ତରର କହି ସମାଲୋଚନା କରିଛି। ତେବେ ଉଦଯାପନୀ ଉତ୍ସବରେ କ୍ରିକେଟ କିମ୍ବଦନ୍ତି ତାରକା ସଚିନ ତେନ୍ଦୁଲକରଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।

ରାଜନୀତି ଓ ରାଜନୈତିକ ସମାଲୋଚନା ମଧ୍ୟରେ ଏହି ପ୍ରତିଯୋଗିତାର ଆୟୋଜନ ଓଡିଶାର ଗୌରବକୁ  ବିଶ୍ବ ଦରବାରରେ ବହୁ ଗୁଣିତ କରିଛି। ଜାତୀୟ ତଥା ଆନ୍ତର୍ଜାତୀୟ ଗଣମାଧ୍ୟମରେ ହଜାର ହଜାର ପୃଷ୍ଠାର ଖବର ଓଡ଼ିଶାକୁ ନେଇ ଆସିଛି। ଏ ଖବର ଆମର ଦକ୍ଷତା, ସାସ୍କୃତିକ ବିଭବ ଓ ଉଜ୍ଜଳ ଦିଗକୁ ନେଇ ଶହ ଶହ ଲେଖା ପ୍ରକାଶିତ ହୋଇଛି। ବହୁ ଭ୍ରମଣକାରୀ ତାଙ୍କର ପ୍ରସିଦ୍ଧ ବ୍ଲଗରେ ଓଡ଼ିଶାକୁ ନେଇ ଚମତ୍କାର ଫିଚର ଲେଖିଛନ୍ତି। ରାସ୍ତାରେ ବିକ୍ରି ହେଉଥିବା ବରା ପକୁଡି ଓ ଘୁଗୁନିକୁ ନେଇ ବି ଲେଖା ଆସିଛି। ସେମିତି କଟକର ଦହିବରା ଓ ଆଳୁ ଦମ ବିଷୟରେ ଚର୍ଚ୍ଚା ଚାଲିଛି। ଆମର କଳା, ସଂସ୍କୃତି, ଐତିହ୍ୟ, ଇତିହାସ ଓ ସାମାଜିକ ଜୀବନକୁ ନେଇ ଏତେ ବଡ ବିଜ୍ଞାପନ ହୁଏତ ଆମେ କରିପାରିନଥାନ୍ତେ। ହକି ବିଶ୍ଵକପ ସେ ସୁଯୋଗ ଆମକୁ ଦେଇଛି ଓ ତାକୁ ଯେଉଁମାନେ ସଫଳତାର ସହିତ ଆୟୋଜନ କରିଛନ୍ତି, ସେମାନେ ପ୍ରଶଂସା ପାଇବାକୁ ହକଦାର। ଏହାଦ୍ବାରା ଆଜି ବ୍ରାଣ୍ଡ ଓଡିଶାର ମୂଲ୍ୟ ହଜାର ଗୁଣ ବଢି ଯାଇଛି।

Share

Leave a Reply

Your email address will not be published. Required fields are marked *

1 × three =