ବତ୍ୟା ନିରୋଧୀ ଭିତ୍ତିଭୂମୀ ଓ ବାସଗୃହ ନିର୍ମାଣ ଯୋଜନା

ଭୁବନେଶ୍ବର () 1999 ମସିହା ମହାବାତ୍ୟାକୁ ପୁରିଛି 20 ବର୍ଷ । ଏନେଇ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟସ୍ବ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ଉପରେ ଆଲୋକପାତ କରିଥିଲେ ।

ବିପର୍ଯ୍ୟୟ ମୁକାବିଲାରେ ଓଡିଶା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବେଞ୍ଚ ମାର୍କ ସୃଷ୍ଟି କରିସାରିଛି । ଯେଉଁଥିପାଇଁ ଏ ଦିଗରେ ଏକ ଉଦାହରଣ ପାଲଟିଛି ଓଡିଶା । ମଙ୍ଗଳବାର ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ରାଜ୍ୟରେ 3 ଲକ୍ଷ ବାତ୍ୟା ନିରୋଧି ପକ୍କା ଘର ନିର୍ମାଣ କରାଯିବା ନେଇ ଘୋଷଣା କରାଯାଇଛି ।

ପ୍ରାଥମିକ ପର୍ଯ୍ୟାୟରେ ପୁରୀ ଓ ଖୋର୍ଦ୍ଧାରେ ଏହି ଘର ନିର୍ମାଣ କରାଯିବ । ଲୋକଙ୍କ ସହଯୋଗ ଓ ସଚେତନତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ବ ଦିଆଯିବା ନେଇ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଛଡା ଭୁବନେଶ୍ବରରେ ଏକ ରାଡର କରାଯିବ ଯାହା ଭାରତରେ ପ୍ରଥମ ଭାବରେ କରାଯିବ ବୋଲି ସେ କହିଛନ୍ତି । ଏହାସହ ଲୋକଙ୍କ ସହଯୋଗ ଓ ସଚେତନତା ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି କୁହାଯାଇଛି ।

ସୂଚନା ଥାଉକି, ମହାବାତ୍ୟାକୁ ଆଜି 20 ବର୍ଷ ପୂରିଛି। ମହାବାତ୍ୟାର ଦିନକୁ ପ୍ରତିବର୍ଷ ଜାତୀୟ ବିପର୍ଯ୍ୟୟ ଦିବସ ରୂପେ ପାଳନ କରାଯାଇଥାଏ। 2019ରେ ଉପକୂଳବର୍ତ୍ତୀ 14ଟି ଜିଲ୍ଲାର କୋଟିଏ 65 ଲକ୍ଷ ଲୋକ ଅତି ଭୟଙ୍କର ବାତ୍ୟା ଫନି ଦ୍ବାରା କ୍ଷତିଗ୍ରସ୍ତ ହୋଇଥିଲେ । ତେବେ ବାତ୍ୟା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ବାତ୍ୟା ପରବର୍ତ୍ତୀ ସମୟରେ ଲୋକଙ୍କ ଉଦ୍ଧାର ଓ ରିଲିଫ ବଣ୍ଟନରେ ପ୍ରଶାସନିକ ଅଧିକାରୀ, ସ୍ବେଚ୍ଛାସେବୀ, ସମାଜିକ ସଙ୍ଗଠନର କାର୍ଯ୍ୟ ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଓସଡମା ଅଧିକାରୀମାନେ ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ନେଇ ଯେଉଁ ପ୍ରସ୍ତୁତି କରିଛନ୍ତି ତାହା ବିଶ୍ବସ୍ତରରେ ଆଦୃତ ହୋଇଛି । ତେବେ ନିକଟରେ ପ୍ରାକୃତିକ ବପର୍ଯ୍ୟୟରେ ହୋଇଥିବା କ୍ଷୟକ୍ଷତି ଆମକୁ ସଂକେତ ଦେଉଛି ଯେ, ଭବିଷ୍ୟତରେ ଅର୍ଥନୈତିକ କ୍ଷତିକୁ ଏଡାଇବାକୁ ହେଲେ ବାତ୍ୟା ନିରୋଧୀ ଭିତ୍ତିଭୂମୀ ନିର୍ମାଣର ଆବଶ୍ୟକତା ରହିଛି । ତେଣୁ ସରକାର ସର୍ବସାଧାରଣଙ୍କ ପାଇଁ ବାତ୍ୟା ନିରୋଧୀ ଭିତ୍ତିଭୂମୀ ଓ ବିପର୍ଯ୍ୟୟ ନିରୋଧୀ ବାସଗୃହ ନିର୍ମାଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

14 − two =