ପୂର୍ଣ୍ଣାଙ୍ଗ ବଜେଟ ଆକାର ୧.୪୦ ଲକ୍ଷ କୋଟି ଟପିବ

ଭୁବନେଶ୍ୱର, ୨୦ ଜୁନ () ୨୦୧୮-୧୯ ତୁଳନାରେ ୨୦୧୯-୨୦ ବଜେଟର ଆକାର ପାଖାପାଖି ୧୬ ପ୍ରତିଶତ ବଢିବ । ୨୦୧୮-୧୯ରେ ରାଜ୍ୟ ସରକାର ୧ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିଲା ବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ବଜେଟର ଆକାର ୧ଲକ୍ଷ ୪୦ ହଜାର କୋଟି ଟଙ୍କା ଛୁଇଁବ ବୋଲି ଜଣାପଡିଛି ।

୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟର ଚିଠା ପ୍ରସ୍ତାବକୁ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଆଜି ଅନୁମୋଦନ କରାଯାଇଛି । ଗୁରୁବାର ଅପରାହ୍ନରେ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବଜେଟର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ପୂର୍ଣ୍ଣଙ୍ଗ ବଜେଟକୁ ମଂଜୁରୀ ଦିଆଯାଇଛି । ଏଥର ବଜେଟରେ କୃଷି, ପଂଚାୟତରାଜ, କାଳିଆ ଟଙ୍କା, ସାମୁଦ୍ରିକ ବାତ୍ୟା, ମିଶନ ଶକ୍ତିର ଆକାର ବୃଦ୍ଧି, ସହରାଂଚଳ ବାସଗୃହ ଉପରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡିଛି । କୃଷି ପାଇଁ ୨୦ ହଜାର କୋଟି ଟଙ୍କାର ବଜେଟ୍ର ବ୍ୟବସ୍ଥା କରାଯାଇଥିବା ଚିଠା ପ୍ରସ୍ତାବରେ ରହିଛି । ଆସନ୍ତା ୨୮ ତାରିଖରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ।

ଗତ ଫେବୃଆରୀ ମାସରେ ଆଗତ କାମଚଳା ବଜେଟରେ ଆର୍ଥିକ ବର୍ଷର ପ୍ରଥମ ଚାରି ମାସ ପାଇଁ ୫୬ହଜାର ୯୨୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା । ଏଥିରେ ମୂଳ ବଜେଟର ଆକାର ୧ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ପରବର୍ତ୍ତି ସମୟରେ କାଳିଆ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠିକୁ ସରାକାର ବ୍ୟବସାୟର ସୁଯୋଗ ଦେବା, ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଆଦି ଯୋଜନା ପାଇଁ ବଜେଟର ଆକାର ବୃଦ୍ଧି ପାଉଛି । ଏଥିସହିତ ଆଗାମୀ ଦିନରେ ରାଜ୍ୟ ସରକାର ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଚିନ୍ତା କରୁଥିବା ମଧ୍ୟ ଜଣାପଡିଛି ।

ଫେବୃଆରୀ ମାସରେ ଆଗତ ହୋଇଥିବା କାମଚଳା ବଜେଟରେ ହୋଇଥିବା ଆକଳନରେ ଆର୍ଥିକ ବର୍ଷ ପାଇଁ କାଳିଆ ଯୋଜନାରେ ୪୪୬୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ସେହିଭଳି କୃଷି ଋଣ ସହାୟତା ବାବଦରେ ୮୦୦ କୋଟି, ଆମ ଗାଁ ଆମ ବିକାଶ ଯୋଜନା ପାଇଁ ୪୦୦ କୋଟି, ବସୁଧା ଯୋଜନାରେ ୨୯୩୫ କୋଟି ଟଙ୍କା, ମଧୁବାବୁ ପେନସନ ଯୋଜନା ପାଇଁ ୨୧୨୦ କୋଟି ଟଙ୍କା, ମିଶନ ଶକ୍ତି ପାଇଁ ୩୦୧ କୋଟି ଟଙ୍କା, ମମତା ଯୋଜନାରେ ୩୦୫ କୋଟି ଟଙ୍କା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ୮୬୪ କୋଟି, ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନା ପାଇଁ ୧୭୭୭ କୋଟି, ଟଙ୍କିକିଆ ଚାଉଳ ଯୋଜନାରେ ୧୦୨୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ତେବେ କାଳିଆ ଯୋଜନା ପାଇଁ ସଂଶୋଧିତ ଆକଳନରେ ୬୦୦୦ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି । ସେହିଭଳି ମିଶନ ଶକ୍ତି ପାଇଁ ହୋଇଥିବା ବ୍ୟୟବରାଦ ମଧ୍ୟ ବୃଦ୍ଧି ପାଇବ ।

Share

Leave a Reply

Your email address will not be published. Required fields are marked *

2 × two =