ତାଳଚେର ସାର କାରଖାନା ପୁନରୁଦ୍ଧାର ପାଇଁ ଆଧାରଶିଳା

ଟଙ୍କିକିଆ ଚାଉଳ ପାଇଁ ପ୍ରତି ମାସରେ କେନ୍ଦ୍ର ଦେଉଛି ୪୫୦ କୋଟି – ମୋଦି

ଆୟୁଷ୍ମାନ ଭାରତରେ ଓଡିଶା ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

୫୭୦ କୋଟି ଟଙ୍କା ଖର୍ଚ୍ଚରେ ରାଉରକେଲା ସୁପର ସ୍ପେଶାଲିଟି ମେଡିକାଲ

ଅନୁଗୁଳ () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଆଜି ପୂର୍ବାହ୍ନରେ ତାଳଚେରଠାରେ ବହୁ ଦିନରୁ ପଡି ରହିଥିବା ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ଫଳକ ଉନ୍ମୋଚନ ପୂର୍ବକ ଶିଳାନ୍ୟାସ କରିଛନ୍ତି  । ଏହି ପ୍ରକଳ୍ପରେ ପ୍ରାୟ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ  । ଏହି ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ମହତ୍ବାକାଂକ୍ଷୀ ଯୋଜନା ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରାଯିବ । ଆଧୂନିକ ପ୍ରଯୁକ୍ତି କୌଶଳ ଉପଯୋଗରେ କୋଇଲାରୁ ପ୍ରାକୃତିକ ବାଷ୍ପ ଉତ୍ପାଦନ ହେବ ଏବଂ ସେହି ବାଷ୍ପକୁ ବ୍ୟବହାର କରି ରସାୟନିକ ସାର ପ୍ରସ୍ତୁତ ହେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର କ୍ଷମତାକୁ ଆସିବା ପରେ ସମୀକ୍ଷା କରି ଦେଖିଲେ ଯେ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅଧାପନ୍ତରିଆ ଅଥବା ପୁନରୁଦ୍ଧାର ଅପେକ୍ଷାରେ ପଡି ରହିଛି  । ସେଥିମଧ୍ୟରେ ତାଳଚେର ସାର କାରଖାନା ଅନ୍ୟତମ । ତାଙ୍କ ସରକାର ଏହି ପ୍ରକଳ୍ପକୁ ପୁଣି ଥରେ ଆଧୂନିକ ଟେକ୍ନୋଲୋଜିରେ ନିର୍ମାଣ କରିବା ଲାଗି ସଂକଳ୍ପ ନେଲେ  । ଏହି ନିଷ୍ପତିର ଅଂଶ ସ୍ବରୂପ ଆଜି ତାଳଚେର ସାର କାରଖାନାର ପୁନରୁଦ୍ଧାର ଲାଗି ଆଧାରଶିଳା ରଖାଯାଇଛି  । ଏହାକୁ ୩୬ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବ ଏବଂ ସେ ନିଜେ ଏଠାକୁ ପୁଣି ଆସିବେ ଏବଂ ନବନିର୍ମିତ ସାର କାରଖାନାକୁ ରାଷ୍ଟ୍ରକୁ ସମର୍ପିତ କରିବେ  । ଏହି ପ୍ରସ୍ତାବିତ ସାର କାରଖାନାରେ ପ୍ରାୟ ୪ ହଜାର ଲୋକ କାର୍ଯ୍ୟ କରିବେ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଏବଂ ଦେଶର ଚାଷୀ ଏହି ସାର କାରଖାନା ଦ୍ବାରା ଉପକୃତ ହେବେ  । ଏବେ ବିଦେଶରୁ ୟୁରିଆ ଆମଦାନୀ ହେଉଛି  । ଏଥିଲାଗି ଦେଶକୁ ବିପୁଳ ବୈଦେଶିକ ମୁଦ୍ରା ଖର୍ଚ୍ଚ କରିବାକୁ ପଡୁଛି  । ତାଳଚେର ସାର କାରଖାନା ଦ୍ବାରା ଓଡ଼ିଶା ଏବଂ ଦେଶର ଚାଷୀମାନଙ୍କ ଆଶା ଓ ଚାହିଦା ପୂରଣ ହେବ  । ଏଥିସହିତ ବିଦେଶରୁ ୟୁରିଆ ଆମଦାନୀ ମଧ୍ୟ କମିବ  । ଅନେକ ଲୋକଙ୍କୁ ସାର କାରଖାନାରେ ନିଯୁକ୍ତି ସୁବିଧା ମିଳିବ  । ଏହି ସଂକଳ୍ପ ନେଇ ଗ୍ୟାସ ଆଧାରିତ ସାର କାରଖାନାର ନିର୍ମାଣ କାର୍ଯ୍ୟକୁ ଆଜିଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଛି  ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଅଂଶଗ୍ରହଣ କରିଥିଲେ  ।

ଏହାପରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସଭାରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବା ସହ ତାଳଚେର ମାଟିକୁ ବୀରଭୂମି ଭାବେ ବର୍ଣ୍ଣନା କରିଥିଲେ  । ସେ କହିଥିଲେ ଯେ ତାଳଚେର ସାର କାରଖାନା ନୂଆ ଓଡ଼ିଶା ନିର୍ମାଣର ନୂଆ ଜୀବନଗାଥା ହେବ  । ଏହି ମାଟିରେ ପବିତ୍ର ମୋହନ ପ୍ରଧାନ, ସାରଙ୍ଗଧର ଦାସ, ବୈଷ୍ଣବ ପଟନାୟକ, ବାଜି ରାଉତ, ରାଜା ସୋମନାଥ ସିଂହଙ୍କ ଭଳି ବୀର ପୁତ୍ରମାନେ ଜନ୍ମ ନେଇ ସମାଜ ସଂସ୍କାର ଦିଗରେ କାର୍ଯ୍ୟ କରିବା ସହ ଇଂରେଜମାନଙ୍କ ବିରୁଦ୍ଧରେ ଲଢେଇ କରିଥିଲେ  । ଏଣୁ ତାଳଚେର ସବୁବେଳେ ରାଷ୍ଟ୍ର ନିର୍ମାଣର ଅଂଶ ହୋଇରହିଛି  । ଏବେ ପ୍ରସ୍ତାବିତ ସାର କାରଖାନା ପୂର୍ବ ଭାରତର ବିକାଶକୁ ନୂତନ ଦିଗଦର୍ଶନ ଦେବ  । ରୁଗ୍ଣ ସାର କାରଖାନା ବିଗତ ସରକାରର ବିଫଳତା ଥିବାବେଳେ ଏହି କାରଖାନାର ପୁନରୁଦ୍ଧାର ଏନଡିଏ ସରକାର ପାଇଁ ସଫଳତାର ପ୍ରତୀକ ହେବ  । ପୂର୍ବ ସରକାର ବେଳେ ଅନେକ କାରଖାନା ବନ୍ଦହୋଇ ପଡିରହିଥିଲା  । ତେବେ କୃଷକମାନଙ୍କୁ ସଶକ୍ତ କରିବା ଏବଂ ଦେଶରେ ରସାୟନିକ ସାରକୁ ଶସ୍ତାରେ ଉପଲବ୍ଧ କରାଇବା ପାଇଁ ତାଳଚେର ସମେତ ୫ଟି ସାର କାରଖାନାର ପୁନରୁଦ୍ଧାର କରାଯାଉଛି  । ଏହି କାରଖାନାଗୁଡିକ ହେଲା- ଉତରପ୍ରଦେଶର ଗୋରଖପୁର, ଝାଡଖଣ୍ଡର ସିନ୍ଦ୍ରି, ତେଲଙ୍ଗାନାର ରାମଗୁଣ୍ଡମ୍ ଏବଂ ବିହାରର ବରୋ÷ଣୀ ସାର କାରଖାନା  । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ସମ୍ବଳ ଥିଲା, ସଂଶାଧନ ଥିଲା, ଏବଂ ଟେକ୍ନୋଲୋଜି ମଧ୍ୟ ରହିଥିଲା, କିନ୍ତୁ ପୂର୍ବ ସରକାରର ସଂକଳ୍ପ କି ପ୍ରତିବଦ୍ଧତା ନଥିଲା, ଏଣୁ ସେମାନେ ଅସଫଳ ରହିଥିଲେ  ।

କେନ୍ଦ୍ରରୁ ଆସୁଥିବା ଅର୍ଥ ୮୫ ପ୍ରତିଶତ ବାଟମାରଣା ହେଉଥିବା ବେଳେ ମାତ୍ର ୧୫ ଭାଗ ଲୋକଙ୍କ ପାଖରେ ପହଂଚୁଛି ବୋଲି ଜଣେ ପୂର୍ବ ପ୍ରଧାନମନ୍ତ୍ରୀ ସ୍ବୀକାର କରିଥିଲେ  । ଏବେ ଏନଡିଏ ସରକାର ଏହି ବାଟମାରଣାକୁ  ଜନ ଧନ ଯୋଜନା ଏବଂ ଆଧାର ସଂଯୋଗୀକରଣ ତଥା ଡିବିଟି ମାଧ୍ୟମରେ ସଂପୂର୍ଣ୍ଣ ରୂପେ ରୋକିବାରେ ସଫଳ ହୋଇଛନ୍ତି  । ବର୍ତମାନର ବିଜେପି ନେତୃତ୍ବାଧୀନ ସରକାର ସବୁ ଯୋଜନାର ସବସିଡି ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଉଛି  । ବାଟମାରଣା ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି  । ଏପରିକି ୟୁରିଆ ସାରରେ ନିମ ପ୍ରଲେପ ଦ୍ବାରା ଏହାର ବାଟମାରଣା ବନ୍ଦ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  ।

ଓଡ଼ିଶାରେ ସ୍ବଚ୍ଛତା ଅଭିଯାନର ଶିଥିଳ ଗତି ନେଇ ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ  । ସେ କହିଥିଲେ ଯେ ୨୦୧୪ ରେ ଓଡ଼ିଶାରେ ସ୍ବଚ୍ଛତା ହାର ୧୦ ପ୍ରତିଶତ ଥିଲା  । ତାଙ୍କ ସରକାର ଆସିବା ପରେ ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନ ବ୍ୟାପକ ମାତ୍ରାରେ ଚାଲିଲା ଏବଂ ରାଜ୍ୟରେ ଏହି ହାର ୫୫ ପ୍ରତିଶତରେ ପହଂଚିଛି  । ତଥାପି ଓଡ଼ିଶାକୁ ଅନେକ କିଛି କରିବାର ଅଛି  । ଓଡ଼ିଶାଠାରୁ ଅନେକ ଗରିବ ରାଜ୍ୟ ସ୍ବଚ୍ଛତା କ୍ଷେତ୍ରରେ ଆଗରେ ରହିଛନ୍ତି  । ଅନ୍ୟ ପକ୍ଷରେ ଓଡ଼ିଶାର ଅନେକ ସ୍ଥାନରେ ଏବେ ମଧ୍ୟ ଖୋଲାରେ ଶୌଚ ହେଉଛି  । ରାଜ୍ୟରେ ଉତ୍ତମ ସ୍ବାସ୍ଥ୍ୟ ପାଇଁ, ଉତମ ସ୍ବଚ୍ଛତା ଓ ସଂପୂର୍ଣ୍ଣ ସ୍ବଚ୍ଛତା ଆବଶ୍ୟକ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସନ୍ତା କାଲି ରାଂଚିରୁ ସେ ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦେଶବ୍ୟାପୀ ଆରମ୍ଭ କରିବେ  । ଏହାଦ୍ବାରା ୧୦ କୋଟି ଗରିବ ପରିବାର ଅର୍ଥାତ ପ୍ରାୟ ୫୦ କୋଟି ଲୋକ ଉପକୃତ ହେବେ  । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜଣଙ୍କୁ ଚିକିତ୍ସା ଖର୍ଚ୍ଚ ଲାଗି ବୀମା ସୁବିଧା ମିଳିବ  । ଗରିବ ଲୋକମାନେ ଆଧୂନିକ ଚିକିତ୍ସା ସୁବିଧା ପାଇବେ  । ପୂର୍ବରୁ ଚିକିତ୍ସା ଲାଗି ବିଭିନ୍ନ ସ୍ଥାନରେ ଦୁଃଖ କଷ୍ଟ ଭୋଗୁଥିବା ଏବଂ ଶୋଷିତ ହେଉଥିବା ପରିବାରଗୁଡିକ ଏବେ ମାଗଣାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଶର ବଡ ବଡ ଅଧିକୃତ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇବେ  । ୨୭ଟି ରାଜ୍ୟ ଏଥିରେ ସାମିଲ ହୋଇଛନ୍ତି, କିନ୍ତୁ ଓଡ଼ିଶା ଏଥିରେ ସାମିଲ ନ ହେବା ଦୁର୍ଭାଗ୍ୟର ବିଷୟ  । ଓଡ଼ିଶାର ଲକ୍ଷ୍ୟ ଲକ୍ଷ୍ୟ ଗରିବ ପରିବାରଙ୍କ କଲ୍ୟାଣ ପାଇଁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଆହ୍ବାନ ଦେଇଥିଲେ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାତୃ ଓ ଶିଶୁ ମୃତ୍ୟୁହାର ରାଜ୍ୟରେ ଅଧିକ ରହିଛି  । ଏହାକୁ ମଧ୍ୟ କମାଇବାକୁ ପଡିବ  । ଓଡ଼ିଶାରେ ଡାକ୍ତରୀ ଶିକ୍ଷା ଏବଂ ଆଧୂନିକ ଚିକିତ୍ସା ସେବାକୁ ବିକଶିତ କରିବା ଲାଗି କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି  । ୫ ଟି ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ ହସ୍ପିଟାଲରେ ପରିଣତ କରାଯାଇଛି  । ଏଗୁଡିକ ହେଲା – ବାଲେଶ୍ବର, ବାରିପଦା, କୋରାପୁଟ, ବଲାଙ୍ଗୀର ଏବଂ ପୁରୀ  । ତାଳଚେର ଓ ସୁନ୍ଦରଗଡରେ ଆଉ ଦୁଇଟି ମେଡିକାଲ କଲେଜ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଚାଲିଛି  । ୩୬୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାରେ କଟକ, ବୁର୍ଲା ଏବଂ ବ୍ରହ୍ମପୁର ମେଡିକାଲ କଲେଜର ଆଧୂନିକୀକରଣ କାର୍ଯ୍ୟ ଚାଲିଛି  । ୫୭୦ କୋଟି ଟଙ୍କା ବିନିଯୋଗରେ ରାଉରକେଲା ମେଡିକାଲ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲର ଆଧୂନିକୀକରଣ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  ।

ଓଡ଼ିଶାରେ ଟଙ୍କିକିଆ ଚାଉଳ ଯୋଜନାର ରହସ୍ୟ ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତି ମାସରେ ରାଜ୍ୟର ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ଦେବାଲାଗି କେନ୍ଦ୍ର ସରକାର ମାସିକ ୪୫୦ କୋଟି ଟଙ୍କା ସହାୟତା ଦେଉଛନ୍ତି  । ପ୍ରତି କିଲୋ ଚାଉଳ ପିଛା କେନ୍ଦ୍ର ସରକାର ୨୫ ରୁ ୩୦ ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି  । ସାଧାରଣ ବଂଟନ ବ୍ୟବସ୍ଥାକୁ ସୁସଂଗତ କରାଯାଇ ଖାଦ୍ୟ ସାମଗ୍ରୀର ବାଟମାରଣା କରାଯାଇଛି  । ଏଣୁ ଗରିବ ଲୋକଙ୍କୁ ଏକ ଟଙ୍କାରେ ଚାଉଳ ଯୋଗାଇବାର ଅଧିକ ଶ୍ରେୟ କେନ୍ଦ୍ର ସରକାରଙ୍କର  ।

Share

Leave a Reply

Your email address will not be published. Required fields are marked *

8 − three =