ଝାରସୁଗୁଡ଼ା ବିମାନବନ୍ଦର ଓ ଉଡ଼ାଣର ଶୁଭାରମ୍ଭ

ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା ବିମାନ ବନ୍ଦର

ଭୁବନେଶ୍ବର-ରାଂଚି-ରାୟପୁର ମଧ୍ୟରେ ହେବ ତ୍ରିବେଣୀ ସଂଗମ

ଝାରସୁଗୁଡା-ବରପାଲି-ସରଡେଗା ରେଳ ଲିଙ୍କ୍ ସମର୍ପିତ କଲେ ପ୍ରଧାନମନ୍ତ୍ରୀ

ଝାରସୁଗୁଡା () ଶିଳ୍ପନଗରୀ ଝାରସୁଗୁଡ଼ାରେ ନବନିର୍ମିତ ବିମାନବନ୍ଦର ଏବଂ ବିମାନ ଉଡ଼ାଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦ୍ଘାଟନ କରିଛନ୍ତି । ଝାରସୁଗୁଡ଼ାଠାରେ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନୂତନ ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରି ଉଡ଼ାଣ ଯୋଜନାରେ ପ୍ରଥମ ଯାତ୍ରୀବାହୀ ବିମାନ ଉଡ଼ାଣର ଶୁଭାରମ୍ଭ କରିଛନ୍ତି । ଆଧୁନିକ ଓଡ଼ିଶା, ଆଧୁନିକ ଭାରତ ଏବଂ ଆଧୁନିକ ଭିତିଭୂମିର ନିଦର୍ଶନ ଭାବେ ଝାରସୁଗୁଡ଼ା ବିମାନବନ୍ଦର ମୁଣ୍ଡ ଟେକିଛି । ଏହି ବିମାନବନ୍ଦରକୁ ଉଦ୍ଘାଟନ କରି ସେ ଗୌରବାନ୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଠାକୁ ଆସୁଥିବା ଦେଶ ବିଦେଶର ଯାତ୍ରୀମାନେ ବୀର ସୁରେନ୍ଦ୍ର ସାଏଙ୍କ ନାମ ଶୁଣି ତାଙ୍କ ବୀରତ୍ବର ଗାଥାକୁ ମନେ ପକାଇବେ । ଝାରସୁଗୁଡ଼ା ବିମାନବନ୍ଦର ଏବେ ଭୁବନେଶ୍ବର-ରାଂଚି-ରାୟପୁର ସହରକୁ ଯୋଡ଼ି ତ୍ରିବେଣୀ ସଂଗମର ସ୍ଥାନ ପାଲଟିବ । ବହୁଦିନ ପର୍ଯ୍ୟନ୍ତ ଏଭଳି ପ୍ରକଳ୍ପମାନ କାହିଁକି ପଡ଼ି ରହିଥିଲା ବୋଲି ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଗୁଜରାଟର କଛ ଅଂଚଳ ମରୁଭୂମି ଆଛାଦିତ । ତଥାପି ଏହି ଜିଲ୍ଲାରେ ୫ଟି ବିମାନବନ୍ଦର ରହିଛି । କିନ୍ତୁ ଓଡିଶା ଭଳି ରାଜ୍ୟରେ ମାତ୍ର ଦୁଇଟି ବିମାନବନ୍ଦର ପ୍ରତିଷ୍ଠା ହୋଇଛି । ଉଡ଼ାଣ ଯୋଜନାରେ ଆହୁରି ଅନେକ ବିମାନବନ୍ଦର ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି । ସ୍ବାଧୀନତାଠାରୁ ଏପର୍ଯ୍ୟନ୍ତ ଦେଶରେ ମାତ୍ର ୪୫୦ଟି ଉଡ଼ାଜାହାଜ ରହିଥିଲା । ଏବେ ଗତ ପ୍ରାୟ ବର୍ଷକ ମଧ୍ୟରେ ୯୫୦ ଉଡ଼ାଜାହାଜ କ୍ରୟ କରିବା ଲାଗି ବରାଦ ହୋଇଛି । ଏଥିରୁ ଜଣାପଡୁଛି ଯେ ଦେଶରେ ବିମାନ ଚଳାଚଳ ସେବା ଉଡ଼ାଣ ଯୋଜନାରେ ବୃଦ୍ଧି ପାଇବାରେ ଲାଗିଛି । ଏହି ବିମାନବନ୍ଦର ଝାରସୁଗୁଡ଼ା, ସମ୍ବଲପୁର, ଛତିଶଗଡ଼ ଆଦି ଆଖପାଖ ଅଂଚଳରେ ପର୍ଯ୍ୟଟନ, ଶିଳ୍ପ ଓ ବେପାର ବଣିଜକୁ ବଢାଇବ ।

ସବକା ସାଥ୍ ସବକା ବିକାଶର ମହତ୍ବ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ଉଡ଼ାଣ ଯୋଜନାରେ ଅନେକ ଅଂଚଳକୁ ଦେଶର ବିମାନ ଚଳାଚଳ ମାନଚିତ୍ରରେ ସ୍ଥାନ ମିଳିଛି । ଏହା ଆଂଚଳିକ ବୈଷମ୍ୟକୁ ମଧ୍ୟ ଦୂର କରିବ । ପଶ୍ଚିମ ଭାରତ ବିକାଶ କ୍ଷେତ୍ରରେ ଆଗୁଆ ରହିଥବାବେଳେ ପୂର୍ବ ଭାରତ ମଧ୍ୟ ତା ସହିତ ତାଳଦେଇ ଚାଲିବାକୁ ପଡ଼ିବ । ତେବେ ଏଥିଲାଗି ବିକାଶର ରାସ୍ତା ବାଛିବାକୁ ପଡ଼ିବ । ଆଉ ଦିନକ ପରେ ସେ ସିକିମରେ ମଧ୍ୟ ଏକ ନୂଆ ବିମାନବନ୍ଦରକୁ ଉଦଘାଟନ କରିବେ । ସେ କହିଥିଲେ ଯେ ଓଡ଼ିଶା ପ୍ରାକୃତିକ ସଂପଦରେ ଭରପୂର ହୋଇ ରହିଛି । ଏହାର ବିନିଯୋଗ ଦ୍ବାରା ଓଡ଼ିଶା ଏବଂ ପୂର୍ବ ଭାରତର ବିକାଶ ସୁନିଶ୍ଚିତ ହେବ । ରେଳ ସଂଯୋଗ, ବିମାନ ସଂଯୋଗ, ସଡ଼କ ସଂଯୋଗ, ଜଳପଥ ସଂଯୋଗ ସାଙ୍ଗକୁ ସୂଚନା ହାଇୱେର ବିକାଶ ଆଧୁନିକ ଭାରତ ପାଇଁ ନିହାତି ଆବଶ୍ୟକ । ଆଦିବାସୀବହୁଳ ଅଂଚଳରେ ଏସବୁର ବିକାଶ ଦ୍ବାରା ଆଂଚଳିକ ବୈଷମ୍ୟ ଦୂର କରାଯାଇପାରିବ ।

ସମାରୋହରେ ଯୋଗଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁ କହିଥିଲେ ଯେ ଉଡ଼ାଣ ଯୋଜନାରେ ୫୬ ବିମାନବନ୍ଦର ଓ ୩୬ଟି ହେଲିପ୍ୟାଡକୁ ବିକାଶିତ କରାଯାଉଛି । ଏହି ସମାରୋହରେ ରାଜ୍ୟପାଳ ଶ୍ରୀ ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟୋମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାରୋହରେ ଗର୍ଜନବାହାଲ ଓ ଦୁଲଙ୍ଗା କୋଇଲା ଖଣି ପ୍ରକଳ୍ପ ସହ ଝାରସୁଗୁଡ଼ା, ବରପାଲି, ସବ୍ଡେଗା ରେଳ ଲିଙ୍କ୍କୁ ମଧ୍ୟ ଲୋକାର୍ପଣ କରିଥିଲେ ।

ପରେ ଅମଲିପାଲିଠାରେ ଏକ ଜନସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଝାରସୁଗୁଡ଼ା-ସରଡେଗା ରେଳ ଲିଙ୍କ ଏବେ କୋଇଲା ଖଣିରୁ କୋଇଲା ଯୋଗାଣ ଲାଗି ଉତ୍ସର୍ଗୀକୃତ । କିନ୍ତୁ ଭବିଷ୍ୟତରେ ଏହି ରେଳପଥରେ ଯାତ୍ରୀ ପରିବହନ ବ୍ୟବସ୍ଥା ମଧ୍ୟ ଆରମ୍ଭ ହେବ । କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ସରକାର ଗଠନ ପରେ ଭିତିଭୂମି, ରେଳପଥ ଓ ସଡ଼କ ନିର୍ମାଣ କାର୍ଯ୍ୟରେ ଢେର ଅଗ୍ରଗତି ହୋଇଛି । ତେବେ ଓଡ଼ିଶାରେ ରାଜ୍ୟ ସରକାର ପ୍ରଗତି କ୍ଷେତ୍ରରେ ଶିଥିଳ ପଡ଼ିଯାଇଥିବା ନଜର ଆସୁଛି । କୌଣସି ପ୍ରକାର ବିକାଶ ପ୍ରତି ରାଜ୍ୟ ସରକାର ଉଦାସୀନ ରହୁଥିବା ପରିଲକ୍ଷିତ ହେଉଛି । ଦୁଇ ଦଶନ୍ଧି ପୂର୍ବେ ରାଜ୍ୟ ଯେମିତି ଶିଥିଳ ଗତିରେ ଚାଲିଥିଲା ଏବେ ମଧ୍ୟ ସେହି ବ୍ୟବସ୍ଥା ନଜରକୁ ଆସୁଛି । ରାଜ୍ୟ ସରକାର ନିଷ୍ପତି ନେବାରେ ବିଳମ୍ବ କରିବା ସହ ପ୍ରଶାସନର ବିଭିନ୍ନ କ୍ଷେତ୍ରରେ ଭ୍ରଷ୍ଟାଚାରର ଅଭିଯୋଗ ହେଉଛି ।

 

Share

Leave a Reply

Your email address will not be published. Required fields are marked *

18 − four =