ଏଣିକି ଆହାର କେନ୍ଦ୍ରରେ ରାତିରେ ମିଳିବ ଖାଇବା

ଭୁବନେଶ୍ବର () ଏଣିକି ପୌରାଞ୍ଚଳରେ ଡାକ୍ତରଖାନା ନିକଟରେ ଥିବା ଆହାର କେନ୍ଦ୍ରରେ ରାତ୍ରି ମଧ୍ୟ ମିଳିବ ଖାଦ୍ୟ । ଆସନ୍ତା ଜାନୁଆରୀ ପହିଲାରୁ ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେବ । ଡାକ୍ତରଖାନାରେ ରହୁଥିବା ରୋଗୀଘ୍କ ସମ୍ପର୍କୀୟଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡାକ୍ତାରଖାନାରେ ଥିବା ଆହାର କେନ୍ଦ୍ରରେ ରାତ୍ରିଭୋଜନ ବ୍ୟବସ୍ଥା ଆରମ୍ଭ ହେବ ।

ପୌରାଞ୍ଚଳରେ ଥିବା ଡାକ୍ତରଖାନା ନିକଟରେ ବର୍ତ୍ତମାନ 54ଟି ଆହାର କେନ୍ଦ୍ର ଖୋଲାଯାଇଛି । ଏହିସବୁ କେନ୍ଦ୍ରରେ ଡାକ୍ତରଖାନାକୁ ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ ମାତ୍ର 5ଟଙ୍କାରେ ଦିବା ଭୋଜନ କରୁଛନ୍ତି । ଆହାର କେନ୍ଦ୍ରର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ରାତି ଭୋଜନର ବ୍ୟବସ୍ଥା ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ସଂପୃକ୍ତ କରିବା ଉଦ୍ଦେଶ୍ୟରେ ଅନଲାଇନରେ ଦାନ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯିବ । ଜନସାଧାରଣ ସେମାନଙ୍କ ପ୍ରିୟଜନଙ୍କ ଜନ୍ମ ଦିନସ, ବିହାହ, ବିବାହ ବାର୍ଷିକୀ ଏବଂ ଶ୍ରାଦ୍ଧ ଦିବସରେ ଚାହିଁଲେ ଆହାର କେନ୍ଦ୍ର ଜରିଆରେ ଲୋକଙ୍କୁ ଖାଇବାକୁ ଦେଇପାରିବେ । ଏଥିପାଇଁ କେବଳ ଅନଲାଇନରେ ଦାନ ଗ୍ରହଣ କରାଯିବ ଏବଂ ଏଥିରେ ଶତ ପ୍ରତିଶତ ଆୟକର ରିହାତି ମିଳିବ । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି ।

ସେହିପରି ବର୍ତ୍ତମାନ ରାଜ୍ୟର 76ଟି ପୌରାଞ୍ଚଳରେ ଆହାର କେନ୍ଦ୍ର ଥିବା ବେଳେ ଆସନ୍ତା ଜାନୁଆରୀ 26 ତାରିଖରୁ ଏହି ସୁବିଧା ସାରା ରାଜ୍ୟରେ ଅବଶିଷ୍ଟ 32ଟି ପୌରାଞ୍ଚଳରେ ଉପଲବ୍ଧ ହେବ । ଏହି ନୂତନ ବ୍ୟବସ୍ଥା ଦ୍ବାରା ଆହାର କେନ୍ଦ୍ରରେ ସାରା ରାଜ୍ୟରେ ଦୈନିକ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ରିହାତି ଦରରେ ଖାଦ୍ୟ ଯୋଗାଇ ଦିଆଯାଇପାରିବ । ଏଥିସହ ଆହାର କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଏବଂ ପରିଚ୍ଛନତାର ନିୟମିତ ତଦାରଖ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × five =