ବର୍ଷାରେ ରାଜ୍ୟର ସ୍ଥିତି ବେହାଲ

ଭୁବନେଶ୍ବର () ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ଦେବୀ, ମହାନଦୀ, କୁଶଭଦ୍ରା, ସୁବର୍ଣ୍ଣରେଖା ଆଦି ନଦୀର ଜଳସ୍ତର ବଢୁଛି । କିନ୍ତି ଏହିସବୁର ଜଳସ୍ତର ଏବେବି ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ତେବେ ଜଳକା ନଦୀର ଜଳସ୍ତର ବିପଦ ସଂକେତ ଅତିକ୍ରମ କରିଛି । ଏଥିସହ କଟକ ଓ ଭୁବନେଶ୍ବରରେ ଜଳବନ୍ଦୀ ଅବସ୍ଥା ଉତ୍କଟ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ସ୍ଥିତିର ସମୀକ୍ଷା କରିବା ସହ ଜିଲ୍ଲା ପ୍ରଶାସନକୁ ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି । ଜିଲ୍ଲା ସ୍ତରରେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି ।

ଗତ 24 ଘଣ୍ଟାରେ ପୁରୀରେ ସର୍ବାଧିକ 322 ମିଲିମିଟର ବର୍ଷା ହୋଇଥିବା ବେଳେ କଳାହାଣ୍ଡିର ଥୁଅମୂଳ ରାମପୁରରେ 288 ମିଲିମିଟର, ନବରଙ୍ଗପୁର ତେନ୍ତୁଳିଖୂଂଟୀରେ 241 ମିଲିମିଟର, କେଶିଙ୍ଗାରେ 237 ମିଲିମିଟର, କୋରାପୁଟ ବୈପାରିଗୁଡାରେ 220 ମିଲିମିଟର ବର୍ଷା ହୋଇଛି । 24 ଘଣ୍ଟାରେ 15ଟି ବ୍ଲକରେ 200 ମିଲିମିଟରରୁ ଅଧିକ ଏବଂ 35ଟି ବ୍ଲକରେ 100 ରୁ 200 ମିଲିମିଟର ବର୍ଷା ହୋଇଛି । ବର୍ଷା ଓ ବନ୍ୟା ସ୍ଥିତି ଯୋଗୁ ଜଳ ବିଦ୍ୟୁତ ଉତ୍ପାଦନକୁ ସାମୟିକ ବନ୍ଦ ରଖାଯାଇଛି । ବିଭିନ୍ନ ସ୍ଥାନରେ କିଛି ଲୋକ ଜଳବନ୍ଦୀ ହୋଇରହିଥିବା ବେଳେ ପାଇକମାଳରେ କାନ୍ଥ ପଡି ଜଣେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।

ବନ୍ୟା ପରିସ୍ଥିତି ଯୋଗୁ ଜୟପୁର-ମାଲକାନଗିରି, ଜୟପୁର-ବାଲିମେଳା, କାଲିମେଳା ଓ ମୋଟୁକୁ ଯୋଗାଯୋଗ ବିଛିନ୍ନ ହୋଇଛି । ମାଲକାନଗିରିରେ 15 ଜଣ ଓ କଳାହାଣ୍ଡିରେ 50 ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ 250 ଜଣ ଜଳବନ୍ଦୀ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଛି । କଳାହାଣ୍ଡିର ମଦନପୁର-ତୁମୁଡିବନ୍ଧ ଜାତୀୟ ରାଜପଥ-59ର 2ଟି ସ୍ଥାନରେ ଏବଂ ଜାତୀୟ ରାଜପଥ 326ର ଗୋଟିଏ ସ୍ଥାନରେ ଘାଇ ସୃଷ୍ଟି ହୋଇଛି ।

କଟକ ଓ ଭୁବନେଶ୍ବରରେ ଜଳବନ୍ଦୀ ଗୁରୁତ୍ତର ହୋଇଛି । ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ନାୟପଲ୍ଲୀ, ଆଇଗିନିଆ, ପାତ୍ରପଡା, ଜୟଦୁର୍ଗା ନଗର, ଜଗମୋହନ ନଗର, ପଞ୍ଚସଖା ନଗର, ଝାରପଡା ଶୈଳଶ୍ରୀ ବିହାର ଆଦି ଅଞ୍ଚଳରେ ମନୁଷ୍ୟକୃତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କଟକରେ 16ଶହ ଲୋକଙ୍କୁ ଜିଲ୍ଲା ପ୍ରଶାସନ ରନ୍ଧା ଖାଦ୍ୟ ଦେଇଛି । ଅନ୍ୟ ପ୍ରଭାବିତ ଅଂଚଳରେ ଆବଶ୍ୟକ ପଡ଼ିଲେ ରନ୍ଧା ଖାଦ୍ୟ ସହ ଆବଶ୍ୟକ ପମ୍ପ ସେଟ ଓ ଓଡ୍ରାଫ ଟିମ ନିୟୋଜିତ କରିବାକୁ ନିର୍ଦେଶ ଦେଇଛନ୍ତି । ଭୁବନେଶ୍ବର ପାଣିପାଗ କାର୍ଯ୍ୟାଳୟ ନିର୍ଦେଶକ ଏଚ ଆର ବିଶ୍ବାସ କହିଛନ୍ତି ଯେ ଆହୁରି 48 ଘଣ୍ଟା ବର୍ଷା ହେବ ।

Share

Leave a Reply

Your email address will not be published. Required fields are marked *

20 − fourteen =