ପାଣିରେ ବୁଡି ରହିଛି ଶ୍ରୀଜୀଉଙ୍କ ରଥ

ପୁରୀ () କାଲି ବାହୁଡ଼ା ଯାତ୍ରା, ଆଜି କିନ୍ତୁ ପ୍ରବଳ ବର୍ଷରେ ପୁରୀ ସହରର ଅବସ୍ଥା ସଙ୍ଗୀନ। ବର୍ଷାରେ ବଡ଼ଦାଣ୍ଡ ଓ ଶରଧାବାଲି ଏବେ ଜଳାର୍ଣ୍ଣବ। ଲହଡ଼ି ମାରୁଛି ପାଣି। ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ବାର ନିକଟରେ ପାଣିରେ ବୁଡ଼ି ରହିଛି ନନ୍ଦିଘୋଷ, ତାଳଧ୍ବଜ ଓ ଦେବଦଳନ ରଥ। ଲଘୁଚାପ ଯୋଗୁଁ ପୁରୀରେ ଗତକାଲି ଠାରୁ ଲଗାଣ ବର୍ଷା ଜାରି ରହିଛି। ସମୁଦ୍ର ଅଶାନ୍ତ ରହିଥିବାରୁ ବଡ଼ ବଡ଼ ଜୁଆରମାନ ଉଠୁଛି। କେବଳ ସେତିକି ନୁହେଁ, ଲଗାଣ ବର୍ଷା ଯୋଗୁଁ ପୁରୀରେ ମଧ୍ୟ ଲୋକଙ୍କ ଘର ଭିତରେ ପାଣି ପଶିଛି। ସହରର ସମସ୍ତ ଦୋକାନବଜାର ବନ୍ଦ ଥିବା ବେଳେ ବଡ଼ଦାଣ୍ଡ ଠାରୁ ଆରମ୍ଭ କରି ସିଦ୍ଧ ମହାବୀର ପାଟଣା, ଶରଧାବାଲି, ରାମଚଣ୍ଡି ସାହି, ବାଲିକୁଦ ବସ୍ତି, ବଳିଆପଣ୍ଡା ବସ୍ତି, ମାରୁତିନଗର, ଚୁଡ଼ଙ୍ଗ ସାହି ପ୍ରଭୃତି ଅଞ୍ଚଳ ପାଣିରେ ବୁଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ସହରରେ ୨୬୮.୯ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ରୋକର୍ଡ କରାଯାଇଛି। ବଡ଼ ଦାଣ୍ଡର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଲେଖାଏ ପାଣି ଜମିଛି। ପୁରୀରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ହ୍ରାସ ପାଇଛି। ପୁରୀ ବେଳାଭୂମୀ ମାର୍ଗରେ ବର୍ଷା ଲହଡ଼ି ମାରୁଛି। ଲୋକନାଥ ମନ୍ଦିର ପରିସରରେ ଆଣ୍ଠୁଏ ଲେଖାଏ ପାଣି ଜମି ରହିଛି। ମୋଟାମୋଟି ଭାବେ କହିବାକୁ ଗଲେ ବର୍ଷା ଯୋଗୁ ସଙ୍ଗିନ ହୋଇଯାଇଛି ଶ୍ରୀକ୍ଷେତ୍ରର ଅବସ୍ଥା । ଜିଳ୍ଲାପାଳ ଜଳ ନିଷ୍କାସନ ବ୍ୟବସ୍ଥାର ତଦାରଖ କରିଛନ୍ତି । ଏମିତିକି ଚୋକ୍ ହୋଇପଡିଥିବା ଡ୍ରେନ୍ ସଫେଇ ଚାଲିଥିବା ବେଳେ ନିଜେ ଜିଲ୍ଲାପାଳ ଉପସ୍ଥିତ ରହି ଏହାର ଅନୁଧ୍ୟାନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

3 × 1 =