ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନରେ ନକଲି ମଦ ବେପାରୀଙ୍କ ମଧ୍ୟରେ କୋକୁଆ ଭୟ

ଭୁବନେଶ୍ୱର : ବେଆଇନ୍‍ ମଦ ପ୍ରସ୍ତୁତି ଏବଂ ବିକ୍ରି ଉପରେ ଅବକାରୀ ବିଭାଗ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଚଳାଯାଉଛି । କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ଏହା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଚଳିତବର୍ଷ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ୮୪ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନକଲି ମଦ ଓ ମଦ ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି ଯାହାକି ଗତବର୍ଷ ତୁଳନାରେ ପ୍ରାୟ ଦୁଇ ଗୁଣରୁ ଅଧିକ । ଅବକାରୀ ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନ ଏବେ ନକଲି ମଦ ପ୍ରସ୍ତୁତକାରୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି କରିଛି ।

ନକଲି ଭାରତ ତିଆରି ବିଦେଶୀ ମଦ ସମେତ ଦେଶୀ ମଦର ବେଆଇନ୍‍ ପ୍ରସ୍ତୁତି ଓ ବିକ୍ରୟ ଉପରେ କଡା ନଜର ରଖାଯିବା ସହିତ ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଏହାର ମନିଟରିଂ କରାଯାଉଛି । ଚଳିତ ଆର୍ଥିକ ବର୍ଷରେ ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ନକଲି ଆଇଏମଏଫ୍‍ଏଲ୍‍ ସହିତ ଦେଶୀମଦ ତିଆରି ପାଇର୍ ବ୍ୟବହାର ହେଉଥିବା କଞ୍ଚାମାଲ, ନକଲି ମଦ ଲେବୁଲ, ହୋଲୋଗ୍ରାମ, ଠିପି ଆଦି ଗଞ୍ଜାମ, ବ୍ରହ୍ମପୁର, ବାଲେଶ୍ୱର, ମୟୁରଭଞ୍ଜ, କଟକ ଆଦି ସ୍ଥାନରୁ ଜବତ ହୋଇଥିବାବେଳେ ରାଜ୍ୟର ସୀମାନ୍ତବର୍ତ୍ତୀ ଇଲାକାରୁ ନକଲି ଭାରତ ତିଆରି ବିଦେଶୀ ମଦ ବୋତଲ ଠାବ କରାଯାଇଛି ।

କାର୍ଯ୍ୟାନୁଷ୍ଠାନ ସୂଚନାରୁ ଜଣାଯାଇଛି ଯେ ଚଳିତ ବର୍ଷ ଏପ୍ରିଲରୁ ଅକ୍ଟୋବର ମାସ ମଧ୍ୟରେ ରାଜ୍ୟରୁ ପ୍ରାୟ ୮୪କୋଟି ୪୬ଲକ୍ଷ ଟଙ୍କାର ବେଆଇନ୍‍ ମଦ ଓ ମଦପ୍ରସ୍ତୁତ ସାମଗ୍ରୀ ଜବତ ହୋଇଥିବାବେଳେ ଗତ ଆର୍ଥିକ ବର୍ଷର ଏହି ସମୟରେ ଜବତ ସାମଗ୍ରୀର ପରିମାଣ ୪୦କୋଟି ଟଙ୍କାରୁ କମ୍‍ ଥିଲା । ଚଳିତବର୍ଷ ପ୍ରାୟ ୫୭ଲକ୍ଷ କିଲୋର ଦେଶୀମଦ ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଥିବାବେଳେ ଗତବର୍ଷ ଏହି ପରିମାଣ ୩୪ଲକ୍ଷ ୪୫ହଜାର କିଲୋରୁ ସାମାନ୍ୟ ଅଧିକ ରହିଥିଲା । ସେହିଭଳି ଚଳିତବର୍ଷ ୫୪୭୦ ଲିଟର ମହୁଲି ମଦ ଜବତ ହୋଇଥିବାବେଳେ ଗତବର୍ଷ ଏହା ମାତ୍ର ୧୭୭୮ ଲିଟର ଥିଲା । ଚଳିତବର୍ଷ ୪୦,୧୯୦ ଲିଟର ଗୁଡ ତିଆରି ମଦ ଜବତ ହୋଇଥିବାବେଳେ ଗତବର୍ଷ ଏହା ମାତ୍ର ୧୭୦୪ ଲିଟର ରହିଥିଲା । ତେବେ ନକଲି ବିଦେଶୀ ମଦ ଜବତ କ୍ଷେତ୍ରରେ ଚଳିତବର୍ଷ ଆଶାତୀତ ସଫଳତା ମିଳିଛି । ଚଳିତବର୍ଷ ୪୧୪୯ ଲିଟର ନକଲି ଭାରତ ତିଆରି ବିଦେଶୀ ମଦ ଜବତ ହୋଇଥିବାବେଳେ ଗତବର୍ଷ ଏହା ମାତ୍ର ୧୧୭ ଲିଟର ରହିଥିଲା ।

ଏହିସବୁ ନକଲି ମଦ ଓ ମଦ ତିଆରି ସାମଗ୍ରୀ ଜବତ ସହିତ ଚଳିତ ଆର୍ଥିକ ବର୍ଷର ପ୍ରଥମ ୭ମାସରେ ଏହି ଘଟଣାରେ ୨୦,୦୯୭ଟି ମାମଲା ରୁଜୁ ହୋଇଥିବାବେଳେ ଗତବର୍ଷ ଏହା ୧୩,୪୧୦ଟି ମାମଲା ଥିଲା । ସେହିଭଳି ଏହି ଘଟଣାରେ ଜଡିତ ଅଭିଯୋଗରେ ଚଳିତବର୍ଷ ୧୬,୪୮୦ଜଣଙ୍କୁ ଗିରଫ କରାଯାଇଥିବାବେଳେ ଗତବର୍ଷ ଏହି ସମୟରେ ଗିରଫବ୍ୟକ୍ତିଙ୍କ ସଂଖ୍ୟା ୯୮୦୪ ରହିଥିଲା ।

ଚଳିତବର୍ଷ ଲଗାତାର ଭାବେ ଅବକାରୀ ବିାଭଗର ଚଢଉ ଦ୍ୱାରା କଟକ ଜିଲ୍ଲାର କୋରଙ୍ଗା, ଭିରୁଦା, କରଡାପାଲି ଏବଂ ବାଲେଶ୍ୱର ଜିଲ୍ଳାର ପୁରୁଣା ବାଲେଶ୍ୱର ଅଞ୍ଚଳରେ ବେଆଇନ୍‍ ମଦ ତିଆରି କାରଖାନାକୁ ମାଟିରେ ମିଶାଇ ଦିଆଯାଇଛି । ଅବାକାରୀ ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ରାଜ୍ୟରେ ବେଆଇନ୍‍ ଓ ନକଲି ମଦ କାରବାରକୁ ପ୍ରତିହତ କରିବ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

14 + 7 =