ତେଲେଙ୍ଗାନା ଢାଞ୍ଚାରେ ବିଧାନ ପରିଷଦ

ଭୁବନେଶ୍ବର (ନିପ୍ର) ଆସନ୍ତା ମୌସୁମୀ ଅଧିବେଶନରେ ବିଧାନସଭାରେ ଆସିବ ବିଧାନ ପରିଷଦ ସଂକ୍ରାନ୍ତ ଚିଠା ବିଲ । ଯେଉଁମାନେ ଦଳୀୟ ଟିକେଟରୁ ବଞ୍ଚିତ ହେବେ ଅଥବା ଯେଉଁ ସବୁ ନେତାଙ୍କୁ ଟିକେଟ୍ ଦିଆଯାଇପାରିବ ନାହିଁ, ସେମାନଙ୍କ ମଧ୍ୟରୁ କିଛି ପ୍ରଭାବୀ ନେତାଙ୍କୁ ରାଜ୍ୟ ସରକାର ପରବର୍ତ୍ତୀ ପରିସ୍ଥିତିରେ ବିଧାନ ପରିଷଦରେ ଥଇଥାନ କରିପାରନ୍ତି। ଗତକାଲିଠାରୁ ବିଜେଡିର ରାଜନୈତିକ ମହଲରେ ଏମିତି ଆଲୋଚନା ଆରମ୍ଭ ହୋଇଛି।

ବିଧାନ ପରିଷଦର ସ୍ବରୂପ କିଭଳି ହେବ, ସେ ସଂକ୍ରାନ୍ତରେ ସରକାର ଗଠନ କରିଥିବା କମିଟି ତାଙ୍କ ରିପୋର୍ଟ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବା ପରେ ବିଧାନ ପରିଷଦ ଗଠନର ଚର୍ଚ୍ଚା ଜୋର ଧରିଛି। କମିଟିର ଅଧ୍ୟକ୍ଷ ତଥା ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ସାହୁ ଓ ଅନ୍ୟ ସଦସ୍ୟମାନେ ତେଲେଙ୍ଗାନା ଢାଞ୍ଚାରେ ଓଡ଼ିଶାରେ ବିଧାନ ପରିଷଦ ଗଠନ କରିବା ଲାଗି ସୁପାରିସ କରିଥିବା ସୂଚନା ମିଳିଛି। କମିଟିର ସୁପାରିସ ଉପରେ ସରକାର ତତ୍କାଳ ଅନୁଧ୍ୟାନ କରିବା ସହିତ ତୁରନ୍ତ ଏ ସଂକ୍ରାନ୍ତ ଚିଠା ବିଲ୍ ପ୍ରସ୍ତୁତ କରିବା ଲାଗି ଗତକାଲି ନିର୍ଦେଶ ଦେଇଥିବା ମଧ୍ୟ ଜଣାପଡିଛି ।

ଚର୍ଚ୍ଚା ହେଉଛି, ଆସନ୍ତା ମାସରେ ଆରମ୍ଭ ହେଉଥିବା ବିଧାନସଭାର ମୌସୁମୀ ଅଧିବେଶନରେ ବିଧାନ ପରିଷଦ ଗଠନ ଲାଗି ଚିଠା ବିଲ୍ ଗୃହରେ ଆଗତ କରାଯିବ। କେବଳ ସେତିକି ନୁହେଁ, ଏହି ବିଲକୁ ପାରିତ କରି ସାଧାରଣ ନିର୍ବାଚନ ପୂର୍ବରୁ ଆନୁସଙ୍ଗିକ ଅନୁମୋଦନ ହାସଲ ଲାଗି ଗତକାଲି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ମିଳୁଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାର ତେଲେଙ୍ଗାନା ଢାଞ୍ଚାରେ ବିଧାନ ପରିଷଦ ଗଠନ କରିବେ ।

ନିୟମ ଅନୁଯାୟୀ ବିଧାନସଭା ସଦସ୍ୟ ସଂଖ୍ୟାର ଏକ ତୃତୀୟାଂଶ ଆସନ ବିଧାନ ପରିଷଦରେ ରହିବ। ଏଣୁ ଓଡ଼ିଶା ବିଧାନ ପରିଷଦ ଗଠନ ହେଲେ ଏହାର ସଦସ୍ୟ ସଂଖ୍ୟା ୪୯ରେ ସୀମିତ ରହିବ। ପରୋକ୍ଷ ନିର୍ବାଚନ ଓ ମନୋନୟନ ପଦ୍ଧତିରେ ଏହି ଆସନଗୁଡ଼ିକ ପୂରଣ ହେବ। ପରିଷଦ ଏକ ସ୍ଥାୟୀ ବ୍ୟବସ୍ଥାପକ ସଭା ଓ ପ୍ରତି ଦୁଇ ବର୍ଷରେ ଏକ ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରିବାର ବ୍ୟବସ୍ଥା ରହିଛି।

Share

Leave a Reply

Your email address will not be published. Required fields are marked *

twelve + thirteen =