ଟିକା ପାଇଥିବା ଲୋକଙ୍କୁ ମିଳିବ ଡିଜିଟାଲ ସାର୍ଟିଫିକେଟ

ନୂଆଦିଲ୍ଲୀ () ୧୬ରେ ସାରା ଦେଶରେ ଆରମ୍ଭ ହେବ ଟିକାକରଣ, ଆଉ ମାତ୍ର ଦିନ କେଇଟାର ଅପେକ୍ଷା । ସାରା ଦେଶବାସୀଙ୍କୁ କରୋନା ମହାମାରୀ ବିରୋଧରେ ଲଢିବାକୁ ମିଳିବ ପ୍ରତିଷେଧକ । କରୋନାକୁ ମାତ୍ ଦେବା ପାଇଁ ଆରମ୍ଭ ହେବ ଟିକାକରଣ । ଏହା ପୂର୍ବରୁ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଥମେ କରୋନା ଯୋଦ୍ଧାଙ୍କୁ ମିଳିବ ଟିକା । ରାଜ୍ୟ ଓ କେନ୍ଦ୍ରର ମିଳିତ ସହଯୋଗରେ ଆରମ୍ଭ ହେବ ଟିକାକରଣ । ମୋଦି କହିଛନ୍ତି, ୨ କରୋନା ଟିକା ଭରସାଯୋଗ୍ୟ ଓ ଶସ୍ତା । ୧୬ ଜାନୁଆରୀରୁ ଦେଶରେ ସବୁଠୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ ହେବ । ବୈଜ୍ଞାନିକଙ୍କ ନିର୍ଦ୍ଦେଶ ଆମେ ପାଳନ କରୁଛୁ । ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ମିଳିବ ମାଗଣା ଟିକା । ପରେ ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାଦାନ କରାଯିବ । ଟିକାକରଣ ପାଇଁ ବୁଥ୍ ସ୍ତରରେ ରଣନୀତି ପ୍ରସ୍ତୁତ ହୋଇଛି । ଟିକା ପାଇଥିବା ଲୋକଙ୍କୁ ଡିଜିଟାଲ ସାର୍ଟିଫିକେଟ ଦିଆଯିବ ।

ମୋଟ୍ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି । ଟିକାକୁ ନେଇ ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ । ମିଳିତ ପ୍ରୟାସରେ ମହାମାରୀର ମୁକାବିଲା କରାଯାଇପାରିବ ବୋଲି ମୋଦି କହିଛନ୍ତି । ତେବେ ଟିକା ଆସିଥିଲେ ମଧ୍ୟ କୋଭିଡ୍ କଟକଣା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୨୦୦ ଟଙ୍କାରେ ମିଳିବ କରୋନା ଟିକା । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଟିକା ବାହାରିଛି । କୋଭିସିଲ୍ଡର ପ୍ରତି ଡୋଜର ମୂଲ୍ୟ ରହିଛି ୨୦୦ ଟଙ୍କା ।

ଓଡ଼ିଶାରେ ମଧ୍ୟ କୋଭିଡ‌-୧୯ ଟୀକାକରଣ କାର୍ଯ୍ୟ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।
ଏଥିପାଇଁ ରାଜ୍ୟର ୧୬୦ଟି କେନ୍ଦ୍ର ଚିହ୍ନଟ ହୋଇଛି । ତା’ ମଧ୍ୟରୁ ଭୁବନେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମା ହସ୍‌ପିଟାଲ୍‌ ମଧ୍ୟରେ ତଥ୍ୟ ସରବରାହ ପାଇଁ ଭିଡ଼ିଓ କନ୍‌ଫରେନ୍ସିଂ ବ୍ୟବସ୍ଥା କରାଯାଇଛି ।
କୋଭିଡ୍‌-୧୯ ଟୀକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍‌-୧୯ ଟୀକାକରଣ କାର୍ଯ୍ୟ ପାଇଁ ବିଭିନ୍ନ ଜିଲ୍ଲାରେ କେନ୍ଦ୍ର ଚିହ୍ନଟ ହୋଇଛି ।

ଅନୁଗୋଳ, ଦେଓଗଡ଼, ସୋନପୁର ଜିଲ୍ଲା ଏବଂ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୨ଟି ଲେଖାଏଁ, ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, ମାଲକାନଗିରି, ନୂଆପଡ଼ା ଜିଲ୍ଲା ଏବଂ ବ୍ରହ୍ମପୁର ଓ କଟକ ମହାନଗର ନିଗମରେ ୩ଟି ଲେଖାଏଁ, ବରଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, ନବରଙ୍ଗପୁର, ନୟାଗଡ଼ ଜିଲ୍ଲାରେ ୪ଟି ଲେଖାଏଁ, ବାଲେଶ୍ୱର, ଯାଜପୁର, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ସମ୍ବଲପୁର ଜିଲ୍ଲା ଏବଂ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫ଟି ଲେଖାଏଁ, କେନ୍ଦ୍ରାପଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତ୍ୟେକ ୬ଟି ଲେଖାଏଁ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରେ ୭ଟି ଲେଖାଏଁ, କଟକ, ଗଞ୍ଜାମ, ପୁରୀ ଆଦି ଜିଲ୍ଲାରେ ୮ଟି ଲେଖାଏଁ ଏବଂ ମୟୂରଭଞ୍ଜ ଜିଲ୍ଲାର ୧୦ଟି ସ୍ଥାନରେ ଏହି ଟୀକାକରଣ କାର୍ଯ୍ୟ ହେବ । ଏହି ପରି ୩୦ଟି ଜିଲ୍ଲା ଏବଂ ୫ଟି ମହାନଗର ନିଗମ ଅଞ୍ଚଳର ୧୬୦ଟି କେନ୍ଦ୍ରକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୋଭିଡ୍‌-୧୯ ଟୀକାକରଣ ପାଇଁ ଚିହ୍ନଟ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

one × 4 =