ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମି ହେବ ବିଶ୍ବସ୍ତରୀୟ

ଭୁବନେଶ୍ବର () ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମିକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକାଶିତ କରାଯିବ ଭୁବନେଶ୍ବର । ପର୍ଯ୍ୟଟନ ରାଜ୍ୟ ସରକାରଙ୍କର ଅଗ୍ରାଧିକାର କ୍ଷେତ୍ର ଭାବରେ ବିକାଶ ଲାଭ କରିବା ଆରମ୍ଭ କରିଛି । ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ଉପଯୋଗ କରି ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଏକ ଉଚ୍ଚାଭିଳାଷ ଯୋଜନା ପ୍ରସ୍ତୁତ କରିଛନ୍ତି । ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଭାବରେ , ରାଜ୍ୟରେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ, ଚନ୍ଦ୍ରଭାଗା ଏବଂ ବାଲେଶ୍ବରର ତଳସାରୀ – ଉଦୟପୁର ବେଳାଭୂମିରେ ଭିତ୍ତିଭୂମିର ବିକାଶ କରି ଆନ୍ତର୍ଜାତିକ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇଟି ମହତ୍ୱକାଂକ୍ଷୀ ଯୋଜନାର ରୂପାୟନ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଯୋଜନାରେ ପୁରୀ – କୋଣାର୍କ ବେଳାଭୂମିର ଚନ୍ଦ୍ରଭାଗା ଠାରେ ୧ କିଲୋମିଟର ବ୍ୟାପୀ ଅଞ୍ଚଳର ବିକାଶ କରାଯିବ । ଏଥିପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନରେ ଜଳକ୍ରୀଡ଼ା , ଆମୋଦପ୍ରମୋଦ , ସୁଦୃଶ୍ୟ ଚଲାପଥ , ସାଇକେଲ ଟ୍ରାକ୍ , ସମୁଦ୍ରର କୂଳେ କୂଳେ କାଠର ଚଲାପଥ , ମୁକ୍ତ ରଙ୍ଗମଞ୍ଚ , ଛୋଟ ପିଲାଙ୍କ ଖେଳ ପାଇଁ ଅଞ୍ଚଳ : ସୂର୍ଯ୍ୟୋଦୟ ଦେଖିବା ପାଇଁ ମଞ୍ଚ , ଦୁଃସାହସିକ କ୍ରୀଡା ଆଦି ଅତ୍ୟାଧୁନିକ ସୁବିଧା ସେହିସବୁ ସ୍ଥାନ ମାନଙ୍କରେ ଉପଲବ୍ଧ ହେବ । ଏତଦ୍‌ବ୍ୟତୀତ ଆଧୁନିକ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା , Landscaping , ବାଲି ସୁରକ୍ଷା ବ୍ୟବସ୍ଥା , ସୌର ଆଲୋକ ସୁବିଧା ସହିତ ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରାଯିବ । ଏହି କାର୍ଯ୍ୟ ଏକ ବର୍ଷ ମଧ୍ୟରେ ସଂପୂର୍ଣ୍ଣ କରିବା ଲକ୍ଷ୍ୟ ରଖାଯାଇଥିବା ବେଳେ , ପର୍ଯ୍ୟଟକମାନେ କେବଳ ଦିନ ସମୟରେ ହିଁ ଏହିସବୁକୁ ଉପଭୋଗ କରିପାରିବେ ।

ଅନ୍ୟପକ୍ଷରେ ବାଲେଶ୍ବରର ତଳସାରୀର ବେଳାଭୂମିରେ ପର୍ଯ୍ୟଟକମାନେ ଏକାଧିକ ଦିନ ରହଣୀ କରି ଯେଭଳି ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ , ସେଥିପାଇଁ ସେଠାରେ ୨.୪ କିଲୋମିଟର ଅଞ୍ଚଳକୁ ବିକଶିତ କରାଯିବ । ଏଥିପାଇଁ ସେଠାରେ ତାରକା ହୋଟେଲ ଏବଂ ବଜେଟ ହୋଟେଲ ନିର୍ମାଣ କରିବା ପାଇଁ ଉତ୍ସାହିତ କରାଯିବ । ଏହି ବେଳାଭୂମିର ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକମାନେ ଯେପରି ମନଭରି ଉପଭୋଗ କରିପାରିବେ , ସେଥିପାଇଁ ରୁଚିପୂର୍ଣ୍ଣ ଭାବରେ ପାଭିଲିଅନ ସହିତ ବର୍ଷା ଆଶ୍ରୟସ୍ଥଳ , Kiosk , Sitting Islands , Solar Photo Voltaic panels, Amphi – Theatres , Restaurants ଆଦି ସୁବିଧା ପର୍ଯ୍ୟଟକ ମାନଙ୍କ ପାଇଁ କରାଯିବ । ଏତଦ୍‌ବ୍ୟତୀତ ପର୍ଯ୍ୟଟକମାନଙ୍କୁ ଓଡିଶାର କଳା ସଂସ୍କୃତି ସହ ପରିଚିତ କରିବା ପାଇଁ ଏକ Art & Craft Plaza ମଧ୍ୟ ନିର୍ମାଣ କରାଯିବ । ଏସବୁ ଭିତ୍ତିଭୂମି କାର୍ଯ୍ୟ ଅକ୍ଟୋବର ୨୦୨୧ ସୁଦ୍ଧା ଲକ୍ଷ୍ୟ ରଖାଯାଇଛି ।

ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯିବ ଏବଂ ଲାଇଫ ଗାର୍ଡ ମାନଙ୍କୁ ମୁତୟନ କରାଯିବ । ଏହିସବୁ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଏଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାପାଇଁ ରାଜ୍ୟ ସରାକରଙ୍କର ବିଭିନ୍ନ ବିଭାଗ , ଏଜେନ୍ସି ଓ ଜିଲ୍ଲାପ୍ରଶାନକୁ ନିର୍ଦ୍ଦେଶ ଦେଇଥିଲେ । ପୁରୀ ବେଳାଭୂମିକୁ Blue Flag Standard ମିଳିଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦପ୍ରକାଶ କରିବା ସହିତ ଏଥିପାଇଁ ଜିଲ୍ଲାପ୍ରଶାସନ ଓ ପର୍ଯ୍ୟଟନ ବିଭାଗକୁ ଧନ୍ୟବାଦ ଜଣାଇଥିଲେ ଏବଂ ଆଗାମୀ ୨ ବର୍ଷ ମଧ୍ୟରେ ପୀର ଜାହାନିଆ , ନିଳାଦ୍ରୀ , ମୁହାଣ ଆଦି ପୁରୀ ଜିଲ୍ଲାରେ ଥିବା ବେଳାଭୂମି ଏବଂ ଗଞ୍ଜାମ ଜିଲ୍ଲାର ହରିପୁର ଓ ପତିସୋନପୁର ବେଳାଭୂମିକୁ Blue Flag ବେଳାଭୂମି ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଆଲୋଚନା ବୈଠକରେ ଭୋଗରାଇ ବିଧାୟକ ଅନନ୍ତ ଦାସ , OTDC ର ଅଧ୍ୟକ୍ଷା , ମୁଖ୍ୟ ଶାସନ ସଚିବ , ଉନ୍ନୟନ କମିଶନର , ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ , ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ , ମୁଖ୍ୟମନ୍ତ୍ରୀଙ୍କ ସଚିବ ( ୫ – ଟି ) ଏବଂ ପୁରୀ ଓ ବାଲେଶ୍ବରର ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

eight − four =