କରୋନା ରୋଗୀଙ୍କୁ ସୁସ୍ଥ କରିବେ କରୋନା ମୁକ୍ତ, କାଲି ପ୍ରଥମ ଚିକିତ୍ସା

ଭୁବନେଶ୍ବର () ପ୍ଲାଜମା ଥେରାପୀ ସବୁ ଶ୍ରେଣୀର କରୋନା ରୋଗୀଙ୍କୁ ପାଇଁ ସମ୍ପୁର୍ଣ୍ଣ ମାଗଣାରେ ପ୍ରଦାନ କରାଯିବ । ଆଜି ପ୍ଲାଜମା ଥେରାପୀର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଆଗାମୀ ଦିନରେ କୋଭିଡ ମୁକାବିଲାରେ ଏହି ଥେରାପୀ ବେଶ ଉପାଦେୟୀ ସାବ୍ୟସ୍ତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସେ ରାଜ୍ୟବାସୀଙ୍କୁ ଆଶ୍ବାସନା ଦେଇଛନ୍ତି ଯେ, ସରକାର କରୋନା ମୁକାବିଲାରେ ସବୁ ପ୍ରକାର ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ପ୍ରତିଶୃତିବଦ୍ଧ । ରାଜ୍ୟର କୌଣସି ଲୋକ ଏହି ଅତ୍ୟାଧୁନିକ ସେବାରୁ ବଂଚିତ ହେବେ ନାହିଁ ।

କରୋନା ଯୁଦ୍ଧରେ ଡାକ୍ତରଙ୍କ କଠିନ ପରିଶ୍ରମ ଓ ସେବାକୁ ସେ ପ୍ରଶଂସା କରିବା ସହ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବାକୁ ଅପିଲ କରିଛନ୍ତି । କରୋନା ମୁକାବିଲାରେ ରାଜ୍ୟକୁ ଆଉ ଏକ ସଫଳତା । ଆରମ୍ଭ ହେଲା ପ୍ଲାଜମା ଥେରାପୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଏହି ଅତ୍ୟାଧୁନିକ ସ୍ବାସ୍ଥ୍ୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ଲାଜମା ସେଣ୍ଟର ଆରମ୍ଭ ହୋଇଛି । ଆଗାମୀ ଦିନରେ ସମ, କିମ୍ସ ଓ ଅଶ୍ବିନୀ ହସ୍ପିଟାଲରେ ମଧ୍ୟ ପ୍ଲାଜମା ଥେରାପୀ ଆରମ୍ଭ ହେବ । କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ଏହି ଅତ୍ୟାଧୁନିକ ସେବା ଏକ ବରଦାନ ସଦୃଶ ।

ଏହାଦ୍ବାରା ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜମା ସଂଗ୍ରହ କରି ଅନ୍ୟଜଣେ ସଂକ୍ରମିତଙ୍କୁ ଶରୀରରେ ଦିଆଯାଇଥାଏ । ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ କରୋନା ଭୂତାଣୁ ବିରୋଧରେ ଲଢିବାକୁ ଆଣ୍ଟିବଡି ସୃଷ୍ଟି ହୋଇଥାଏ । ତେଣୁ ସଂକ୍ରମିତଙ୍କୁ ପ୍ଲାଜମା ଜରିଆରେ ଆଣ୍ଟିବଡି ଦିଆଯାଇ ତାଙ୍କୁ କରୋନା ବିରୋଧରେ ଲଢିବାର ଶକ୍ତି ଦିଆଯାଇଥାଏ । ଦିଲ୍ଲୀ ମହାରାଷ୍ଟ୍ର ପରେ ଓଡିଶାରେ ଏହି ପ୍ଲାଜମା ଥେରାପୀ ଆରମ୍ଭ ହୋଇଛି । ଆସନ୍ତାକାଲି ଅଶ୍ବିନୀ ହସ୍ପିଟାଲରେ ପ୍ରଥମ କରୋନା ରୋଗୀଙ୍କୁ ପ୍ଲାଜମା ଚିକିତ୍ସା କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

୧୮ରୁ ୬୦ ବର୍ଷ ବୟଷର ବ୍ୟକ୍ତି ଯାହାଙ୍କ ଓଜନ ୫୫ କେଜିରୁ କମ ହୋଇନଥିବ ସେହିଭଳି ଜଣେ ସୁସ୍ଥ ବ୍ୟକ୍ତି ହିଁ ପ୍ଲାଜମା ଦାନ କରିପାରିବେ । ମହିଳାଙ୍କ କ୍ଷେତ୍ରରେ ଗର୍ଭବତୀ ମହିଳାମାନେ ପ୍ଲାଜମା ଦାନ କରିପାରିବେ ନାହିଁ । ଆଜି ପ୍ରଥମ ଦିନରେ ସଂକ୍ରମଣ ପରେ ସୁସ୍ଥ ହୋଇଥିବା ଡକ୍ଟର ଚିତ୍ତରଂଜନ ପରିଡା ଓ ଆଉ ଦୁଇ ଜଣ ସୁସ୍ଥ ବ୍ୟକ୍ତି ପ୍ଲାଜମା ଦାନ କରିଛନ୍ତି । ପ୍ଲାଜମା ଦାନ କରି ଡକ୍ଟର ଚିତ୍ତରଂଜନ କହିଛନ୍ତି ଯେ, ସେ କେବେ ଭାବିନଥିଲେ କେବେ ସୁସ୍ଥ ହେବେ ବୋଲି । ହେଲେ ଭଗବାନଙ୍କ କୃପାରୁ ସୁସ୍ଥ ହୋଇଛନ୍ତି । ତେଣୁ ସେ ପ୍ଲାଜମା ଦାନ କରି ରାଜ୍ୟବାସୀଙ୍କୁ ତାଙ୍କ ଋଣ ଶୁଝିପାରିବେ ବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 4 =