ଆରମ୍ଭ ହେବ କଂଗ୍ରେସର ଜନ ସଂପର୍କ ଅଭିଯାନ

ଭୁବନେଶ୍ବର () ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ କଂଗ୍ରେସ ଏବେ ତୃଣମୂଳ ସ୍ତରରୁ ସଂପର୍କ ଅଭିଯାନ ଆରମ୍ଭ କରିବ  । ଏଥିପାଇଁ ଆଜି ଅନୁଷ୍ଠିତ ପ୍ରଥମ ସମନ୍ବୟ କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଏଥିପାଇଁ ସଂସଦୀୟ କ୍ଷେତ୍ର କିମ୍ବା ରାଜସ୍ବ କ୍ଷେତ୍ର ଆଧାରରେ ସଂଯୋଜକଙ୍କୁ ଦାୟିତ୍ବ ଦିଆଯିବ । ଏଥିସହିତ ପ୍ରାକ ନିର୍ବାଚନୀ ପ୍ରଚାର ଅଭିଯାନ ପାଇଁ ଆସନ୍ତା ଅଗଷ୍ଟ ଚତୁର୍ଥ ସପ୍ତାହରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡିଶା ଆସିପାରନ୍ତି । ଯଦିଓ ରାହୁଲଙ୍କ ଓଡିଶା ଗସ୍ତ କାର୍ଯ୍ୟସୂଚୀ ଚୁଡାନ୍ତ ହୋଇନାହିଁ, ଦଳ ତରଫରୁ ଆପାତତଃ ଭାବେ ଅଗଷ୍ଟ ଶେଷ ସପ୍ତାହକୁ ଟାର୍ଗେଟ କରି ପ୍ରସ୍ତୁତି ପର୍ବ କରାଯିବ ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ତୃଣମୂଳ ସ୍ତରରେ ଥିବା ଦଳୀୟ କନ୍ଦଳ ଏବଂ ସମନ୍ବୟର ଅଭାବକୁ ଦୂର କରିବା ପାଇଁ ମଧ୍ୟ ଆଜିର ବୈଠକରେ ଆଲୋଚନା ହୋଇଛି । ଖୁବଶୀଘ୍ର କଂଗ୍ରେସ କର୍ମୀମାନେ ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଚାଷୀ, ବ୍ୟବସାୟୀ, ଗୃହିଣୀ, କର୍ମଜୀବୀ ସବୁ କ୍ଷେତ୍ରର ଭୋଟରଙ୍କ ସହ ସଂପର୍କ ସ୍ଥାପନ କରିବେ । କେନ୍ଦ୍ରର ବିଜେପି ସରକାରର ବିଫଳତାର ବାର୍ତ୍ତା ପହଁଚାଇ କଂଗ୍ରେସ ସପକ୍ଷରେ ଜନମତ ସୃଷ୍ଟି କରିବେ  ।

ଏଥିସହତି ଅଗଷ୍ଟ 9 କ୍ରାନ୍ତି ଦିବସରେ ପିସିସି ସଭାପତି ସବୁ କଂଗ୍ରେସ କର୍ମୀ ଓ କଂଗ୍ରେସ ପ୍ରେମୀଙ୍କୁ ସେମାନଙ୍କ ବାସଭବନ ଉପରେ ଜାତୀୟ ପତାକା ଉଡାଇବାକୁ ଆହ୍ବାନ ଦେଇଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି, ଇଂରେଜ ଶାସନ ଅମଳରେ ଦେଶରେ କ୍ରାନ୍ତି ଆଣିବାକୁ ସେ ସମୟରେ କଂଗ୍ରେସ ଯେଭଳି କ୍ରାର୍ଯ୍ୟ କରିଥିବା ସେ ସମ୍ପର୍କରେ ପୁଣି ଥରେ ଜନଜାଗରଣ ସୃଷ୍ଟି କରାଯିବ  । ଫରକ ଏତିକି, ସେ ସମୟରେ କଂଗ୍ରେସ ଇଂରେଜ ସରକାର ବିରୋଧରେ ଲଢେଇର ଆହ୍ବାନ ଦେଇଥିଲା, ଏଥର କିନ୍ତୁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ବିରୋଧରେ କ୍ରାନ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ରାଜ୍ୟ କଂଗ୍ରେସ ।

ରାଜ୍ୟ କଂଗ୍ରେସ ପ୍ରାଭାରୀ ଜିତେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ବୟ କମିଟି ବୈଠକରେ ସମସ୍ତ 31ଜଣ ସଦସ୍ୟ ଯୋଗ ଦେଇଥିଲେ । ବୈଠକର ଆବାହକ ଥିଲେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ପୂର୍ବତନ ପିସିସି ସଭାପତି କେ.ପି. ସିଂହଦେଓ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କା, ହେମାନନ୍ଦ ବିଶ୍ବଳ ପ୍ରମୁଖ ବୈଠକରେ ଯୋଗ ଦେଇ ଆସନ୍ତା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଅଧିକ ସଂଗଠିତ ଓ ଶକ୍ତିଶାଳୀ କରିବାକୁ ପରାମର୍ଶ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

3 × two =