ରାହୁଲଙ୍କ ପାଣ୍ଠି ସଂଗ୍ରହ ଆହ୍ବାନକୁ ସମ୍ମାନ ନାହିଁ

ଭୁବନେଶ୍ବର () : ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ପାଣ୍ଠିକୁ ଅର୍ଥ ଦେବାକୁ ରାଜ୍ୟ କଂଗ୍ରେସ ନେତାମାନେ ପଛଘୁଞ୍ଚା ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶୃତି ମନେପକେଇବାକୁ ରାଉଲକେଲାରୁ ମୁକ୍ତିକାନ୍ତ ବିଶ୍ବଳ ଆରମ୍ଭ କରିଥିବା ଅଭିଯାନକୁ ଶକ୍ତି ଯୋଗାଇବାକୁ ରାହୁଲ ଗାନ୍ଧୀ ଆଇଜିଏଚ ପାଇଁ ପାଣ୍ଠି ସଂଗ୍ରହର ଆହ୍ବାନ ଦେଇଥିଲେ । ସପ୍ତାହକ ମଧ୍ୟରେ ୨୦ ଲକ୍ଷ ଟଙ୍କା ଆଦାୟର ଅଭିଯାନ ଆରମ୍ଭ ହୋଇଥିଲା । ବିଭିନ୍ନ ସ୍ଥାନରୁ ସହୃଦୟ ବ୍ୟକ୍ତିମାନେ ସହାୟତା ଦେଲେଣି । ଏଭିତରେ ସାଢେ ତିନି ଲକ୍ଷ ଟଙ୍କା ଆଦାୟ ହୋଇଥିବା ସୂଚନା ମିଳିଛି । ତେବେ ପ୍ରଶ୍ନ ଉଠୁଛି ରାଜ୍ୟ କଂଗ୍ରେସ ନେତାଙ୍କ ଆଇଜିଏଚ ପାଇଁ ଥିବା ଆନ୍ତରିକତା ଏହି ଘଟଣାରୁ ପ୍ରମାଣିତ ହୋଇଛି ।

ମୁକ୍ତିକାନ୍ତଙ୍କ ପାଇଁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ୧୧ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ବିରୋଧୀ ଦଳ ନେତା ୧୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ପ୍ରଭାରୀ ଜିତେନ୍ଦ୍ର ସିଂହ ୨୧ ହଜାର ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟ କଂଗ୍ରେସରେ ଏମିତି ବହୁ ପ୍ରତିପତିଶାଳୀ ନେତା ଥିବା ବେଳେ ମୁକ୍ତିକାନ୍ତଙ୍କ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ରାହୁଲ ଗାନ୍ଧୀ ଦେଇଥିବା ଆହ୍ବାନକୁ ମଧ୍ୟ ରାଜ୍ୟ କଂଗ୍ରେସ ନେତାମାନେ ସମ୍ମାନ ଜଣାଉନାହାଁନ୍ତି ବୋଲି ଚର୍ଚ୍ଚା ହେଉଛି । ରାଜ୍ୟ କଂଗ୍ରେସରେ ଏମିତି ବହୁ ନେତାମାନେ ଅଛନ୍ତି ଯେଉଁମାନେ ରାହୁଲଙ୍କ ଆହ୍ବାନରେ ମୁକ୍ତିକାନ୍ତଙ୍କ ପାଇଁ ବହୁ ଅଧିକ ଅର୍ଥ ଦାନ କରିବାର କ୍ଷମତା ରଖୁଛନ୍ତି । ରାଜ୍ୟ କଂଗ୍ରେସ ପାଇଁ ୨୦ ଲକ୍ଷ ଟଙ୍କା ସଂଗ୍ରହ କିଛି ବଡ କଥା ନୁହେଁ । କିନ୍ତୁ ନେତାମାନେ କାହିଁକି ପଛଘୁଞ୍ଚା ଦେଉଛନ୍ତି ତାହା ବୁଝାପଡୁନି ।

ଚର୍ଚ୍ଚା ହେଉଛି ଆଞ୍ଚଳିକ ରାଜନୀତିରେ ରାଜ୍ୟ କଂଗ୍ରେସ ନେତାମାନେ ଆଇଜିଏଚ ପାଇଁ ଅର୍ଥ ଦାନ କରିବାକୁ ଆଗ୍ରହୀ ନୁହଁନ୍ତି । ରାହୁଲ ଗାନ୍ଧୀ ଆଇଜିଏଚ ଓ ମୁକ୍ତିକାନ୍ତକୁ ନେଇ ଜାତୀୟ ପ୍ରସଙ୍ଗ କରି ଛିଡା କରିବାକୁ ଚାହୁଁଥିବା ବେଳେ ରାଜ୍ୟ କଂଗ୍ରେସ ନେତାମାନେ ଭାବୁଛନ୍ତି ବୋଧହୁଏ ଏହି ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ବିଶେଷ ପ୍ରଭାବିତ କରିବ ନାହିଁ କିମ୍ବା ଦଳ ପାଇଁ ଆସନ୍ତା ନିର୍ବାଚନରେ ସେତେଟା ପ୍ରଭାବୀ ହେବ ନାହିଁ । ଅବଶ୍ୟ ଏହି ପ୍ରସଙ୍ଗ ସୁନ୍ଦରଗଡ ଜିଲ୍ଲା ରାଜନୀତିକୁ ପ୍ରଭାବିତ କରିବ ।

ଏପ୍ରିଲ ୧୬ରୁ ମୁକ୍ତିକାନ୍ତଙ୍କ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ ହୋଇଥିଲା । ଉଦ୍ଦେଶ୍ୟ ଥିଲା ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ମନେ ପକେଇଦେବା । ୨୦୧୫ ଏପ୍ରିଲ ୧ ତାରିଖରେ ଷ୍ଟିଲ ସିଟିରେ ପ୍ରଧାନମନ୍ତ୍ରୀ ରାଉରକେଲାର ଲାଇଫଲାଇନ୍ କୁହାଯାଉଥିବା ବ୍ରାହ୍ମଣୀ ବ୍ରିଜର ନିର୍ମାଣ ଓ ଇସ୍ପାତ ଜେନେରାଲ ହସ୍ପିଟାଲକୁ ସୁପର ସ୍ପେସାଲିଷ୍ଟ ମେଡ଼ିକାଲ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ ବେଶ୍ କିଛି ଦିନ ବିତିଯାଇଥିଲେ ହେଁ ମୋଦି ପ୍ରତିଶ୍ରୁତି ପାଳନ କରିନଥିଲେ । ଆଉ ଏଥିପାଇଁ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ କରିଥିଲେ ମୁକ୍ତିକାନ୍ତ । ମୁକ୍ତିକାନ୍ତଙ୍କ ଏହି ଦିଲ୍ଲୀ ଚଲୋ ଅଭିଯାନକୁ ସମର୍ଥନ ଜଣାଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଭାରତର ଜନସାଧାରଣ ଏବଂ କଂଗ୍ରେସ ଦଳ ପ୍ରତିଶ୍ରୁତି ପୂରଣ କରିବା ସହ ଫଣ୍ଡ ସଂଗ୍ରହ କରିବ ବୋଲି ରାହୁଲ ଗାନ୍ଧୀ ଟ୍ବିଟ କରିଥିଲେ ।

ତେବେ ମିଶନ ମୁକ୍ତିକାନ୍ତ ନେଇ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ମୁକ୍ତିକାନ୍ତ କେତେ ବାଟ ଯାଇଛନ୍ତି ମୋତେ ଜଣାନାହିଁ । କିଛି ଦିନ ତଳେ ସେ ଆଗ୍ରାରେ ଥିଲେ । ଆଉ ତା’ପରେ ସେ ଯାତ୍ରା ଆରମ୍ଭ କରିଛନ୍ତି । ଯଥାସମ୍ଭବ ତାଙ୍କୁ ସାହାଯ୍ୟ କରିବା ପାଇଁ ଆମେ ଚେଷ୍ଟା କରିବୁ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଏନେଇ ସେ ନିଜେ ଯେତେ ପାରିବେ ସାହାଯ୍ୟ କରିବ ବୋଲି ମଦ୍ୟ କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ଏହାସହ ପିସିସି ସଭାପତି ଗଣମାଧ୍ୟମ ମାଧ୍ୟମରେ ମୁକ୍ତିକାନ୍ତଙ୍କୁ ସାହାଯ୍ୟ କରିବା ଅପିଲ ମଧ୍ୟ କରିଥିଲେ ।

ଏହା ବ୍ୟତୀତ ମିଶନ ମୁକ୍ତିକାନ୍ତ ନେଇ ପ୍ରଦେଶ କଂଗ୍ରେସ କମିଟିର ପ୍ର·ର ଅଧ୍ୟକ୍ଷ ଭକ୍ତ ଦାସ କହିଛନ୍ତି ବ୍ୟାପକ ଭାବରେ ଏହି କାର୍ଯ୍ୟକ୍ରମ କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ତେବେ ୨୦ ଲକ୍ଷ ଟଙ୍କା ଆଦାୟ ହେବା ନେଇ କହିଛନ୍ତି କେତେ ଟଙ୍କା ଆସିଛି ସେ ବିଷୟରେ ଅଧିକ ଜଣାନାହିଁ । ପିସିସି ସଭାପତିଙ୍କ ପାଖରେ ଅଧିକ ତଥ୍ୟ ଥିବ । ଏହାସହ ସେ ମଧ୍ୟ ମୁକ୍ତିକାନ୍ତଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଅପିଲ କରିଛନ୍ତି ।

ସୂଚନାଯୋଗ୍ୟ ଦ୍ବିତୀୟ ବ୍ରାହ୍ମଣୀ ସେତୁ, ଆଇଜିଏଚ ମେଡିକାଲ କଲେଜ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ପରି କେତେକ ଦାବି ନେଇ ରାଉରକେଲାରୁ ଦିଲ୍ଲୀ ପଦଯାତ୍ରାରେ ଥିବା ମୁକ୍ତିକାନ୍ତ ବିଶ୍ବାଳ ଶନିବାର ହରିୟାଣାରେ ପ୍ରବେଶ କରିଥିଲେ । ଆସନ୍ତା ୨୭ରେ ମୁକ୍ତିକାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିପାରନ୍ତି ବୋଲି ଆଶା କରାଯାଇଛି । ଶନିବାର ସୁଦ୍ଧା ମୁକ୍ତିକାନ୍ତ ୧୪୬୦ କିମି ପଦଯାତ୍ରା କରିସାରିଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen − 10 =