ଲାଇନମ୍ୟାନ ଦିବସରେ ଟାଟା ପାୱାର ନେତୃତ୍ୱାଧୀନ ଡିସକମଗୁଡ଼ିକ ପକ୍ଷରୁ ୨୧,୦୦୦ ସ୍ଥାନୀୟ ଲାଇନମ୍ୟାନଙ୍କୁ ସ୍ୱୀକୃତି

କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମାର୍ଚ୍ଚ ୪କୁ ‘ଲାଇନମ୍ୟାନ୍ ଦିବସ’ ଭାବେ ପାଳନ
ଲାଇନମ୍ୟାନଙ୍କ ଦ୍ୱାରା ଓଡ଼ିଶାରେ ପ୍ରାୟ ୫ କୋଟି ଲୋକଙ୍କୁ ଭରସାଯୋଗ୍ୟ ଏବଂ ଗୁଣାତ୍ମକ ବିଜୁଳି ଯୋଗାଣ ସୁନିଶ୍ଚିତ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଚାରି ଯୌଥ ଉଦ୍ୟୋଗ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମଗୁଡ଼ିକ ପକ୍ଷରୁ ରାଜ୍ୟବ୍ୟାପୀ କାର୍ଯ୍ୟକରୁଥିବା ୨୧୦୦୦ ଲାଇନମ୍ୟାନ୍ ଓ କ୍ଷେତ୍ର ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ଅକ୍ଳାନ୍ତ ସମର୍ପଣକୁ ସ୍ୱୀକୃତି ଓ ମାନ୍ୟତା ପ୍ରଦାନ କରି ‘ଲାଇନମ୍ୟାନ୍ ଦିବସ’ ପାଳନ କରାଯାଇଛି।

ବାତ୍ୟା, ଝଡ଼, ଉଚ୍ଚ ତାପମାତ୍ରା, ଦୁର୍ଗମ ଅଞ୍ଚଳଠାରୁ ଆରମ୍ଭ କରି ବୈଷୟିକ ଓ ପରିଚାଳନାଗତ କଠିନ ସ୍ଥିତି ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ସ୍ଥାନୀୟ ଲାଇନମ୍ୟାନମାନେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ସହ ନିଜ କର୍ତ୍ତବ୍ୟକୁ ପ୍ରଭାବଶାଳୀ ଢଙ୍ଗରେ ସମ୍ପାଦନ କରୁଛନ୍ତି । କାଳବୈଶାଖୀ ସମୟରେ ଏହି ଲାଇନମ୍ୟାନମାନେ ଅନେକ ଆହ୍ୱାନର ସମ୍ମୁଖୀନ ହୁଅନ୍ତି । ଗଛ ପଡ଼ିବା, ଉପୁଡ଼ି ପଡ଼ିଥିବା ଖୁଣ୍ଟ, ଫସି ଯାଇଥିବା ଜୀବନ୍ତ ତାର ଏବଂ ବୁଡ଼ି ଯାଇଥିବା ରାସ୍ତା, ଏପରିକି ଅତି ଦୁର୍ଗମ ଅଞ୍ଚଳରେ ମଧ୍ୟ ବିଦ୍ୟୁତ୍ ଯୋଗାଣ ପୁନରୁଦ୍ଧାର କରିବା କାର୍ଯ୍ୟକୁ ସେମାନେ ସମ୍ପାଦନ କରିଥାନ୍ତି । ସ୍କୁଲ, କଲେଜ, ବ୍ୟାଙ୍କ, ହସ୍ପିଟାଲ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷା ଓ ଶକ୍ତି ଯୋଗାଣରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ।
୨୦୨୧ରେ ଆରମ୍ଭ ହୋଇଥିବା ‘ଲାଇନମ୍ୟାନ୍ ଦିବସ’ରେ ଦେଶର ବିଦ୍ୟୁତ ବଣ୍ଟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା କ୍ଷେତ୍ର ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ଅକ୍ଳାନ୍ତ ସମର୍ପଣକୁ ସ୍ୱୀକୃତି ଦିଆଯାଇଛି । ‘ସେବା, ସୁରକ୍ଷା, ସ୍ୱାଭିମାନ’ ବିଷୟବସ୍ତୁ ଉପରେ ଆଧାରିତ ଏହି ଦିବସରେ ଦେଶବ୍ୟାପୀ ଲାଇନମ୍ୟାନଙ୍କ ନିଃସ୍ୱାର୍ଥପର ସେବାକୁ ପାଳନ କରାଯାଇଛି । ଜରୁରୀକାଳୀନ କଲ୍ ଗୁଡ଼ିକର ତତ୍ପରତାର ସହ ଉତ୍ତର ଦେବା, ବିଦ୍ୟୁତ୍ ଲାଇନର ତୁରନ୍ତ ମରାମତି ଓ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା, ବିଦ୍ୟୁତ୍ ଯୋଗାଣର ଦ୍ରୁତ ପୁନରୁଦ୍ଧାର, ଦୈନନ୍ଦିନ କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣ, ବୈଷୟିକ ତ୍ରୁଟିର ସମାଧାନ ଏବଂ ନୂତନ ନେଟୱାର୍କକୁ ସୁଗମ କରିବା ଆଦି କାମ କରି ସେମାନେ ସାଧାରଣ ଜନତାଙ୍କ ମନରେ ବିଶ୍ୱାସ ସୃଷ୍ଟି କରିପାରିଛନ୍ତି ।
କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ ଓ ଜାତୀୟ ନିରାପତ୍ତା ଦିବସର ଟିପି ଓଡ଼ିଶା ଡିସକମ ପକ୍ଷରୁ ସମଗ୍ର ଓଡ଼ିଶାରେ ବିଭିନ୍ନ ଉତ୍ସବ ଆୟୋଜନ କରାଯାଇଥିଲା । ଯେଉଁଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଲାଇନମ୍ୟାନମାନଙ୍କୁ ବରିଷ୍ଠ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମ୍ମାନିତ କରାଯାଇଥିଲା ଏବଂ ସୁରକ୍ଷା ସପ୍ତାହ ପାଳନ ପାଇଁ ରାଲି ଆୟୋଜନ କରାଯାଇଥିଲା ।
ସ୍ୱୀକୃତି ବ୍ୟତୀତ ଟିପି ଓଡ଼ିଶା ଡିସକମ ‘ଶୂନ୍ୟ ଆଘାତ ସଂସ୍କୃତି’ ନିର୍ମାଣ କରିବା ଏବଂ ଲାଇନମ୍ୟାନଙ୍କ ସୁରକ୍ଷାର ସର୍ବୋଚ୍ଚ ମାନଦଣ୍ଡ ପାଳନ କରିବାକୁ ପ୍ରତିଶୃତିବଦ୍ଧ । ଟିପି ଓଡ଼ିଶା ଡିସକମ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ଗାଇଡଲାଇନ ଅନୁଯାୟୀ ଲାଇନମ୍ୟାନଙ୍କ ପାଇଁ ନିୟମିତ ନିରାପତ୍ତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରି ନିରାପତ୍ତାକୁ ପ୍ରାଥମିକତା ଦେବା ସହ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ ପାଇଁ ଆବଶ୍ୟକ ଦକ୍ଷତା ଓ ଜ୍ଞାନ ପ୍ରଦାନ କରୁଛନ୍ତି ।
ନିରବଚ୍ଛିନ୍ନ ବିଜୁଳି ଯୋଗାଣ ବଜାୟ ରଖିବା, ବିଭିନ୍ନ କ୍ଷେତ୍ରକୁ ସମର୍ଥନ କରିବା ଏବଂ ରାଜ୍ୟର ପ୍ରଗତିରେ ଉଲ୍ଲେଖନୀୟ ଯୋଗଦାନ ଦେବାରେ ଓଡ଼ିଶାର ଲାଇନମ୍ୟାନମାନେ ଦୃଢ଼ତା ଓ ସଂକଳ୍ପ ପ୍ରଦର୍ଶନ କରିଆସୁଛନ୍ତି ।
ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ବାର୍ଷିକ ସିଏସ୍‌ଆରଡି ରିପୋର୍ଟ ଅନୁଯାୟୀ, ସେମାନଙ୍କ କଠିନ ପରିଶ୍ରମ ଓଡ଼ିଶା ଡିସକମଗୁଡ଼ିକର ଗ୍ରାହକ ସେବା ରେଟିଂରେ ଉନ୍ନତି ଆଣିବାରେ ଉଲ୍ଲେଖନୀୟ ଯୋଗଦାନ ଦେଇଛି ।
ଓଡ଼ିଶାରେ ଏହାର ବିତରଣ ବ୍ୟବସାୟର ଏକ ଅଂଶ ଭାବରେ ଟାଟା ପାୱାର ଟିପି ସେଣ୍ଟ୍ରାଲ, ଟିପି ସଦର୍ନ, ଟିପି ନର୍ଦନ ଏବଂ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ନାମରେ ଚାରିଟି ଡିସକମ୍ ପରିଚାଳନା କରୁଛି ଏବଂ ଗ୍ରାମୀଣ ଓ ସହରାଞ୍ଚଳର ପାଖାପାଖି ୫ କୋଟି ଲୋକଙ୍କୁ ବିଶ୍ୱସନୀୟ ଏବଂ ଭରସାଯୋଗ୍ୟ ବିଜୁଳି ଯୋଗାଇ ଦେଉଛି ।

Share

Leave a Reply

Your email address will not be published. Required fields are marked *

twenty − 1 =