ସ୍ୱର୍ଗତଃ ଏସ୍ ପି ହିନ୍ଦୁଜାଙ୍କ ପାଇଁ ମୁମ୍ବାଇ ପ୍ରାର୍ଥନା ସଭା ଆୟୋଜନ ସହ ଶ୍ରଦ୍ଧାଞ୍ଜଳି ପ୍ରଦାନ

ଭୁବନେଶ୍ୱର: ହିନ୍ଦୁଜା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତଃ ଏସ୍ ପି ହିନ୍ଦୁଜାଙ୍କ ସ୍ମୃତିରେ ମୁମ୍ବାଇରେ ଏକ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା ଯେଉଁଥିରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବହୁ ରାଜନେତା, ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତି, ଶୁଭେଚ୍ଛୁ, ବୈଦେଶିକ ବ୍ୟକ୍ତିବିଶେଷ ଓ ଆଧ୍ୟାତ୍ମିକ ଗୁରୁ ଏହି ପ୍ରାର୍ଥନା ସଭାରେ ଯୋଗ ଦେଇ ଏସ୍ ପି ହିନ୍ଦୁଜାଙ୍କ ଦାତବ୍ୟ କାର୍ଯ୍ୟ ଏବଂ ୧୦୮ ବର୍ଷ ପୁରୁଣା ଗ୍ରୁପ୍‌ର ମୂଲ୍ୟବୋଧକୁ କଡ଼ାକଡ଼ି ଭାବେ ପାଳନ କରିବା ପ୍ରତି ଅତୁଟ ଭାବ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ସଭାରେ ବିଭିନ୍ନ କ୍ଷେତ୍ରରେ ୨୫୦୦ରୁ ଅଧିକ ଅତିଥି ଯୋଗ ଦେଇଥିଲେ ।
ହିନ୍ଦୁଜା ଗ୍ରୁପ୍‌ର ଅଧ୍ୟକ୍ଷ ଗୋପୀଚନ୍ଦ ହିନ୍ଦୁଜା ନିଜ ଭାଇ, ବନ୍ଧୂ, ମାର୍ଗଦର୍ଶକ ଓ ଗୁୁରୁଙ୍କୁ ମନେ ପକାଇ କହିଛନ୍ତି ଯେ, “ଆମ ପାଇଁ ସେ ଦୁନିଆର କେନ୍ଦ୍ର ଥିଲେ ଏବଂ ପରିବାର ନୀତି ଓ ଆଦର୍ଶ ଅନୁସାରେ ଶାନ୍ତି ଓ ସୌହାର୍ଦ୍ଦ୍ୟର ସହ ବଂଚିବା ଲାଗି ଆମକୁ ବାଟ ଦେଖାଉଥିଲେ । ତାଙ୍କ ପରଲୋକଗମନ ମୋ ଏକ ବ୍ୟକ୍ତିଗତ କ୍ଷତି । ସେ ହେଉଛନ୍ତି ମୋ ପିଲାଦିନର ମାର୍ଗଦର୍ଶକ ଓ ତାଙ୍କ ମାର୍ଗଦର୍ଶନରେ ମୁଁ ବଢ଼ିଛି । ପିଲାଟି ଦିନରୁ ଆମେ ପରସ୍ପର ସହ ଜଡ଼ିତ । ଆମେ ସବୁୁ କିଛି ମିଳିମିଶି କରିଛୁ । ଆମ ଲୋକମାନେ ରାମ ଓ ଲକ୍ଷ୍ମଣଙ୍କ ସହ ତୁଳନା କରୁଥିଲେ ଏବଂ ପ୍ରକାଶ ହେଉଛନ୍ତି ଭରତ ଓ ଅଶୋକ ଶତ୍ରୁଘ୍ନ । ଭାଇମାନଙ୍କ ସହିତ ମିଶି ବିଶ୍ୱସ୍ତରରେ ଭାରତର ଭାବମୂର୍ତି ବଢ଼ାଇବାରେ ସେ କାର୍ଯ୍ୟ କରୁଥିଲେ । ଶ୍ରଦ୍ଧେୟ ଶ୍ରୀଚନ୍ଦ, ଆମେ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛୁ ଯେ ଦାଦା ଓ ଆମ୍ମାଙ୍କ ନୀତି ଆଦର୍ଶକୁ ଅନୁସରଣ କରି ପିଢ଼ି ପରେ ପିଢ଼ି ପରିବାରର ଏହି ଯାତ୍ରା ଜାରି ରହିବ ଏବଂ ଆମର ଭବିଷ୍ୟତ କଲ୍ୟାଣ ଓ ଏକଜୁଟତା ପାଇଁ ତାହା ଅନ୍ୟମାନଙ୍କୁ ସ୍ଥାନାନ୍ତରିତ ହେବ ।’’
ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ନିଜ ଭିଡିଓ ବାର୍ତାରେ କହିଛନ୍ତି ଯେ, “ଶ୍ରୀଚନ୍ଦ ହିନ୍ଦୁଜା କେବଳ ସଂପତି ସୃଷ୍ଟିକାରୀ ନଥିଲେ, ସେ ୪୮ଟି ଦେଶରେ ୨,୦୦,୦୦୦ ନିଯୁକ୍ତି ସୃଷ୍ଟି କରିଥିଲେ । ଏହି ଗୁପ୍ ସହିତ ଭାରତ ସରକାରଙ୍କ ବହୁତ ଭଲ ସମ୍ପର୍କ ରହିଛି । ନରସିଂହ ରାଓଙ୍କ ସରକାର ଅମଳରେ ଏହି କଂପାନି ଦେଶକୁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିଥିଲା ।
ଏହି ଅବସରରେ ଇସ୍‌କନ୍‌ର ଗୋପଳ କ୍ରିଷ୍ଣ ଗୋସ୍ୱାମୀ ମହାରାଜ, ଋଷିକେଶର ପରମାର୍ଥ ନିକେତନର ସ୍ୱାମୀ ଚିଦାନନ୍ଦ ସରସ୍ୱତୀ, ବିଏପିଏସ୍ ସ୍ୱାମୀ ନାରାୟଣର ପୂର୍ଜ୍ୟ ସ୍ୱାମୀ ବ୍ରହ୍ମବିହାରୀ, ଇଶା ଫାଉଣ୍ଡେସନର ସଦ୍‌ଗୁରୁ, ବିଶିଷ୍ଟ ଗାୟକ କୈଳାଶ ଖେର, ଅନୁପ ଜଲୋଟା ଓ ରାହତ ଫତେହ ଅଲ୍ଲୀ ଖାନ୍ ଉପସ୍ଥିତ ଥିଲେ ।
ଅଶୋକ ହିନ୍ଦୁଜାଙ୍କ ପତ୍ନୀ ହର୍ଷ ହିନ୍ଦୁଜା ମଧ୍ୟ ଏସ୍ ପି ହିନ୍ଦୁଜାଙ୍କ ସ୍ମୃତିଚାରଣ କରିଥିଲେ । ହିନ୍ଦୁଜା ପରିବାରର ତୃତୀୟ ପିଢ଼ିର ସଦସ୍ୟ ଯଥା ସଂଜୟ ହିନ୍ଦୁଜା, ଅଜୟ ହିନ୍ଦୁଜା, ଧୀରଜ ହିନ୍ଦୁଜା ଓ ସୋମ୍ ହିନ୍ଦୁଜା ମଧ୍ୟ ସେମାନଙ୍କ ମନ କଥା ବର୍ଣ୍ଣନା କରିଥିଲେ । ସାରା ବିଶ୍ୱରୁ ହିନ୍ଦୁଜା ପରିବାରକୁ ଶ୍ରଦ୍ଧାଞ୍ଜଳି ପତ୍ର ଓ ବାର୍ତା ଆସିଥିଲା ।

Share

Leave a Reply

Your email address will not be published. Required fields are marked *

5 × 1 =