ଭକ୍ତ ଓ ଭଗବାନଙ୍କ ମହାମିଳନ

ପୁରୀ () ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା । ମାଉସୀ ମାଆ ମନ୍ଦିରରେ ଲାଗିଛି ବଡ ଭାଇ ବଳଭଦ୍ରଙ୍କ ତାଳଧ୍ବଜ ଓ ଭଉଣୀ ସୁଭଦ୍ରାଙ୍କ ଦେବୀ ଦଳନ ରଥ । ସନ୍ଧ୍ୟା ହୋଇଯିବାରୁ ବଳଗଣ୍ଡି ଛକରେ ଅଟକିଯାଇଛି ମହାପ୍ରଭୁ ଜଗନ୍ନାଥଙ୍କ ରଥ । ରଥ ଉପରେ ଚତୁର୍ଧାମୁରତିଙ୍କୁ ଦର୍ଶନ କରିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଆଜି ନିର୍ଧାରିତ ସମୟର ଦେଢ ଘଂଟା ପୂର୍ବରୁ ରଥ ଟଣା ଯାଇଥିଲା । ମହାପ୍ରଭୁଙ୍କୁ ପହଣ୍ଡିରେ ମାଉସୀ ମାଆ ମନ୍ଦିରକୁ ନିଆଯିବ । ଆଜି ପ୍ରବଳ ବର୍ଷା ସତ୍ତ୍ବେ ଶ୍ରୀକ୍ଷେତ୍ରରେ ଜମିଥିଲା ଭିଡ । ଶ୍ରୀଜୀଉଙ୍କୁ ରଥରେ ଦର୍ଶନ ପାଇଁ ଦେଶ ବିଦେଶରୁ 15 ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ଆଜି ନିର୍ଦ୍ଧାରିତ ସମୟରେ ସବୁ ନିତିକାନ୍ତି ସମ୍ପନ୍ନ ହୋଇଥିବା ବେଳେ ତିନି ଠାକୁର ଗମ୍ଭୀରୀ ଭିତରୁ ଧାଡି ପହଣ୍ଡିରେ ବଡଦାଣ୍ଡକୁ ଆସିଥିଲେ । ସେବାୟତଙ୍କ ଭିତରେ ଧିରେ ଧିରେ ତିନି ଠାକୁର ଜଣକ ପରେ ଜଣେ ରଥ ଅଭିମୁଖେ ଆସିଥିଲେ । ନିର୍ଧାରିତ ସମୟ ପୂର୍ବରୁ ତିନି ଠାକୁର ନିଜ ନିଜ ରଥରେ ଅବସ୍ଥାନ କରିଥିଲେ । ସେପଟେ ପରମ୍ପରା ଅନୁସାରେ ଗଜପତି ମହାରାଜ ସିଂହଦ୍ବାର ନିକଟରେ ଠିଆ ହୋଇଥିବା ତିନି ରଥରେ ପହଂଚି ଛେରାପହଁରା କରିଥିଲେ ।

ଛେରାପହଁରା ପରେ ତିନିରଥରେ ଘୋଡା ଯୋଚା ହେବା ସହ ଚାରମାଳ କଢାଯାଇଥିଲା । ଏହା ସହ ରଥଦଉଡି ବନ୍ଧା ହେବା ପରେ ଲକ୍ଷ ଲକ୍ଷ ଭକ୍ତ ତିନି ରଥକୁ ଟାଣି ଟାଣି ନେଇଥିଲେ । ଶରଧାବାଲିରେ ଘର୍ଘର ନାଦ କରି ତିନି ରଥ ଗଡି ଚାଲିଥିଲେ ମାଉସୀ ମାଙ୍କ ଘର ଅଭିମୁଖେ । ବର୍ଷା ହେଉଥିଲେ ବି ଏହାକୁ ଖାତିର କରି ନଥିଲେ ଭକ୍ତ । କିଏ କେଉଁ ଭାବରେ ନିଜର ଭକ୍ତି ନିବେଦନ କରିଛନ୍ତି । ଓଡିଶୀ ନୃତ୍ୟଶିଳ୍ପୀମାନେ ନିଜ ପରିପାଟି ଭିତରେ ଭଗବାନଙ୍କୁ ଭକ୍ତି ଜଣାଇଛନ୍ତି । ସେପଟେ ଭକ୍ତ ଭଗବାନଙ୍କୁ ଭକ୍ତି ଜଣାଇବାକୁ ଯାଇ ହନୁମାନ, ଶିବ ପାର୍ବତୀ ପରି ବେଶ ହୋଇଛନ୍ତି । ବହୁ ସାଧୁସନ୍ଥଙ୍କ ଭିଡ ବି ଜମିଛି ଶ୍ରୀକ୍ଷେତ୍ର ପୁରୀରେ । ଘୋଷଯାତ୍ରା ଭକ୍ତଙ୍କ ମହାମିଳନର ପର୍ବ ସାଜିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ଅବସରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ସେବାୟତଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀଜିଉଙ୍କ ଅଙ୍ଗବସ୍ତ୍ର ଦେଇ ସ୍ବାଗତ କରାଯାଇଛି । ରଥଯାତ୍ରା ଅବସରରେ ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ମନ୍ତ୍ରୀ ପୁରୀରେ ଉପସ୍ଥିତ ରହି ରଥଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସେପଟେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ପୁରୀରେ ରହି ଚତୁର୍ଧା ମୂରତିଙ୍କ ଦର୍ଶନ କରିଛନ୍ତି । ସେ ରାଜ୍ୟପାଳ ଭାବେ ଓଡିଶାର ଦାୟିତ୍ବ ନେବା ପରେ ଏହା ତାଙ୍କର ପ୍ରଥମ ରଥଯାତ୍ରାରେ ଦିଅଁ ଦର୍ଶନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟ ବିଜେପିର ବରିଷ୍ଠ ନେତାମାନଙ୍କୁ ପୁରୀରେ ଦେଖିବାକୁ ମିଳିଛି । ଏହା ସହ କଂଗ୍ରେସର ରାଜ୍ୟ ପ୍ରଭାରୀ ଜୀତେନ୍ଦ୍ର ସିଂଙ୍କ ସମେତ ବହୁ କଂଗ୍ରେସ ନେତା ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

10 − ten =