ଶକ୍ତି କ୍ଷେତ୍ରରେ ସ୍ବାବଲମ୍ବୀ ହେଲା ଓଡିଶା

ବନହରପାଲୀରେ 1320 ମେଗାୱାଟର ବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲା ଗସ୍ତ କରି ବନହରପାଲୀଠାରେ ଓପିଜିସର 660X2 ମେଗାୱାଟ ବିଶିଷ୍ଟ ବିଦ୍ୟୁତ ସଂପ୍ରସାରଣ ପ୍ରକଳ୍ପ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଏହାଦ୍ବାରା ଶକ୍ତି କ୍ଷେତ୍ରରେ ରାଜ୍ୟ ସ୍ବାବଲମ୍ବି ହୋଇପାରିଛି ଏବଂ ଆଗାମୀ 25 ବର୍ଷ ପାଇଁ ସାରା ରାଜ୍ୟରେ ଜନସାଧାରଣହ୍କୁ ନିରନ୍ତର ବିଦ୍ୟୁତ ଯୋଗାଣ କରାଯାଇପାରିବ ବୋଲି ମଖ୍ୟମନ୍ତ୍ରୀ କହିଛନ୍ତି ।

ଓଡିଶାର ଜନସାଧାରଣଙ୍କୁ ଉନ୍ନତମାନର ବିଦ୍ୟୁତ ସେବା ପ୍ରଦାନ ପାଇଁ ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ ଜାରି ରଖିଛନ୍ତି । ରାଜ୍ୟର ସବୁ ଗାଁକୁ ବିଦ୍ୟୁତ ଯୋଗାଇ ଦିଆଯାଇଥିବା ବେଳେ 1 କୋଟି ପରିବାରକୁ ବିଦ୍ୟୁତ ସଂଯୋଗ ଦିଆଯାଇଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ପାଇଁ ଓଡିଶା କୋଲ ଆଣ୍ଡ ପାୱାର ଲିମିଟେଡ ଜରିଆରେ ମନୋହରପୁର କୋଲ ବ୍ଲକରୁ ବର୍ଷକୁ 8 ନିୟୁତ ଟନ କୋଇଲା ଯୋଗାଇ ଦିଆଯାଉଛି । ପ୍ରଦୁଷଣ ରୋକିବା ପାଇଁ ଏଥିରେ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ପ୍ରକଳ୍ପ ପାଇଁ ବିସ୍ଥାପିତ ପରିବାରମାନଙ୍କୁ ଏକ ନୂତନ କଲୋନୀରେ ଅବସ୍ଥାପିତ କରାଯାଇ ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ ଭିତ୍ତିଭୂମି ସହିତ ପିଲାମାନଙ୍କ ଦକ୍ଷତା ବିକାଶ ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଉଛି । ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଝାରସୁଗୁଡା, ବିଶେଷ କରି ବନହରପାଲୀର ଜନସାଧାରଣ, ଶକ୍ତି ବିଭାଗ ଓ ଓପିଜିସିର କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ ।

ଏହାପରେ ମୁଖ୍ୟମନ୍ତ୍ରୀ ରାଉରକେଲା ଯାଇ ସେଠାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ଶୁଭାରମ୍ଭ କରିଥିଲେ । ସୁନ୍ଦରଗଡ ଜିଲ୍ଲା ପାଇଁ 336 କୋଟି 61 ଲକ୍ଷ ଟଙ୍କାର 23ଟି ପ୍ରକଳ୍ପ ଉଦଘାଟନ କରିବା ସହିତ 309.78 କୋଟି ଟଙ୍କାର 19ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ ।

ଏହିସବୁ କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଚାଷୀ, ମହିଳା ଓ ଯୁବସମାଜର ଉନ୍ନତି ପାଇଁ ସରକାରଙ୍କ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । କାଳିଆ ଯୋଜନା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, 30 ଲକ୍ଷ ଚାଷୀ ସାମିଲ ହେବା ସହିତ ଆଉ 10 ଲକ୍ଷ ଚାଷୀଙ୍କୁ ସାମିଲ କରାଯିବ । କାଳିଆ ଯୋଜନା ବନ୍ଦ ହୋଇଯିବ ବା ଏହି ଯୋଜନା ଟଙ୍କା ଫେରାଇବାକୁ ହେବ ବୋଲି ଯେଉଁ ଅପପ୍ରଚାର ଚାଲିଛି, ତାହା ସଂପୂର୍ଣ୍ଣ ମିଛ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କାଳିଆକୁ କେହି ବନ୍ଦ କରିପାରିବେ ନାହିଁ, ଏହା ଚାଷୀମାନଙ୍କର ହକ, ଚାଷୀଙ୍କ ଟଙ୍କା, ଏହାକୁ ସେମାନେ ଚାଷ କାମରେ ଲଗାଇବେ ।

ସେହିପରି ମିଶନ ଶକ୍ତିର ମା ମାନେ ବହୁତ ଭଲ କାମ କରୁଛନ୍ତି ଏବଂ ତାକୁ ଆଖି ଆଗରେ ରଖି ସେମାନଙ୍କୁ ବିନା ସୁଧରେ ଋଣ ଦିଆଯାଉଛି । ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ କରିବା ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Share

Leave a Reply

Your email address will not be published. Required fields are marked *

three × 5 =