୫୦ ଟିଫା ମେସିନି କିଣିବାକୁ ପାଗ ଭିଡିଲା ବିଏମ୍‍ସି, ବାହାଘର ବେଳେ ବାଇଗଣ ରୁଆ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି)ର ଏବେ ବାହାଘର ବେଳେ ବାଇଗଣ ରୋଇବା ଭଳି ଅବସ୍ଥା । ସମଗ୍ର ରାଜଧାନୀକୁ ଡେଙ୍ଗୁ କବଳିତ କଲାପରେ ଏବେ ବିଏମ୍‍ସି ଧୂଆଁ ଛାଡୁଥିବା ଟିଫା ମେସିନ କିଣିବାକୁ ପାଗ ଭିଡିଛି । ସହର ପାଇଁ ୫୦ଟି ଟିଫା ମେସିନ କିଣିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

ଏହି ସୂଚନା ଅନୁଯାୟୀ ରାଜଧାନୀବାସୀ ମଶା କାମୁଡାରେ କଲବଲ ହେଲାପରେ ବିଏମ୍‍ସିର ଟିଫା ମେସିନ କଥା ମନେ ପଡିଲା । ଖୋଜିଲା ବେଳକୁ ଦେଖିଲା ଅଛି ମାତ୍ର ୨ଟି । ତାହା ପୁଣି ପୁରୁଣା ଓ ଭଙ୍ଗା । ଏହା ମଶାଧୂଆଁ ଛାଡିଲେ ମଶା ଯିବା ସମ୍ଭବ ନୁହେଁ । ତେଣୁ ଲୋକଙ୍କୁ କ୍ରୋଧରୁ ବଞ୍ଚିବାପାଇଁ ତୁରନ୍ତ ଟିଫା ମେସିନ କିଣିବାକୁ ଯୋଜନା ହେଲା । କମିଟି ବସିଲା । କମିଟି ପ୍ରସ୍ତାବ ଦେଲା ରାଜଧାନୀପାଇଁ ଅତି କମ୍‍ରେ ୬୦ଟି ଟିଫା ମେସିନ ଦରକାର । ତେବେ କର୍ତ୍ତୃପକ୍ଷ ୬୦ଟି ବଦଳରେ ୫୦ଟି କିଣିବାପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଏହି ମେସିନ କେବେ ଆସି ରାଜଧାନୀରୁ ମଶା ଘଉଡାଇବା ତାହା କେହି କହିବାରୁ ନାହାନ୍ତି । ତେବେ ବିଏମ୍‍ସିର ଏଭଳି ସମୟରେ ଟିଫା ମେସିନ କିଣିବାକୁ କିନ୍ତୁ ଲୋକେ ବାହାଘର ବେଳେ ବାଇଗଣ ରୋଇବା ଭଳି କାମ ବୋଲି କହୁଛନ୍ତି । କାରଣ ସହରରୁ ମଶା ମାରିବା କାମ ହେଉଛି ବିଏମ୍‍ସିର । ଡେଙ୍ଗୁ ମଶା ଏବେ ଲୋକଙ୍କୁ କଲବଲ କରିବା ଏବଂ ଡାକ୍ତରଖାନାରେ ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ ଖଟିଆଟିଏ ମିଳିବା କଷ୍ଟକର ହେଲା ବେଳକୁ ଟିଫା ମେସିନ କିଣିବାକୁ ମନେ ପଡିଲା । ପୂର୍ବରୁ ବିଏମ୍‍ସି କର୍ତ୍ତୃପକ୍ଷ କ’ଣ କରୁଥିଲେ ବୋଲି ଏବେ ସାଧାରଣରେ ପ୍ରଶ୍ନ ।

ସହରରେ ଯେତିକି ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି ତାହା ତୁଳନାରେ କର୍ତ୍ତୃପକ୍ଷ କମ୍‍ ଦେଖାଉଛନ୍ତି । ଅନେକ ଲୋକ ଘରୋଇ ଡାକ୍ତରଖାନାରେ ଡେଙ୍ଗୁ ପରୀକ୍ଷା କରାଇ ନେଉଛନ୍ତି । ଏବେ ସବୁ ଡାକ୍ତରଖାନାରେ ଡେଙ୍ଗୁ ରୋଗୀଙ୍କ ଭିଡ । ହେଲେ ବିଏମ୍‍ସି କିନ୍ତୁ ବିଜ୍ଞାପନଟିଏ ଦେଇ ନିଜ କାମ ସାରିଦେଉଛି । ବିଏମ୍‍ସି ଏବେ କରୋନା ମୁକାବିଲାରେ ସଫଳ ବୋଲି ପ୍ରଚାରରେ ଲାଗିଛି । ବିଶେଷକରି ରାଜଧାନୀର ସବୁ ଲୋକ ଟିକା ନେଲେ ବୋଲି ପ୍ରଚାର ଚଳାଇଛି । ତେବେ ପ୍ରତିଦିନ ଟିକାଦାନ କେନ୍ଦ୍ର ଆଗରେ କାହିଁକି ଶହ ଶହ ଲୋକ ଧାଡି ଲଗାଉଛନ୍ତି ବୋଲି ପ୍ରଶ୍ନ ଉଠିଲାଣି ।

ତେବେ ବିନା ଟିଫା ମେସିନରେ ବିଏମ୍‍ସିର ଭଲ ଲାଭ ବି ହେଉଛି । ପଇସା ବଞ୍ଚି ଯାଉଛି । ଟିଫା ମେସିନ ନଥିବାରୁ ଏଥିପାଇଁ ମଶାମରା ତେଲ କିଣିବାକୁ ପଡୁନି କି ଲୋକବଳ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡୁନି । ବିଏମ୍‍ସିର ଏଭଳି ବୁଦ୍ଧି ଯୋଗୁଁ ରାଜଧାନୀବାସୀ ଏବେ କରୋନା ମୁହଁରୁ ମୁକୁଳି ଡେଙ୍ଗୁ ହାବୁଡରେ ପଡିଛନ୍ତି । ଆଉକେତେ ଦିନ କଲବଲ ହେବେ ତାହା ଜାଣିପାରୁ ନାହାନ୍ତି । ଏଣେ ବିଏମ୍‍ସି କିନ୍ତୁ ସଫାଇବାଲା ଗାଡି, ଖତ ବିକ୍ରି ଆଦିର ବ୍ୟାପକ ପ୍ରଚାରରେ ମାତିଛି ।

Share

Leave a Reply

Your email address will not be published. Required fields are marked *

9 − four =